କୋଣାର୍କ,୧୧/୦୯: ରାସ୍ତା କଡ଼ରୁ ମାନସିକ ବିକୃତ ଥିବା ବୃଦ୍ଧଙ୍କ ମୃତଦେହ ଠାବ । ମୃତକ ଜୁଣେଇ ଗାଁର କୃଷ୍ଣଚନ୍ଦ୍ର ବାରିକ ବୋଲି ଜଣାପଡ଼ିଥିବା ବେଳେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । କୋଣାର୍କ ବସଷ୍ଟାଣ୍ଡ ନିକଟରେ ଥିବା ତାରିଣୀ ଜୁଏଲେରୀ ସମ୍ମୁଖରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, କୃଷ୍ଣଚନ୍ଦ୍ର ଦୀର୍ଘଦିନ ହେବ ମାନସିକ ଭାରସାମ୍ୟ ହରାଇ କୋଣାର୍କ ,ଚନ୍ଦ୍ରଭାଗା ଓ ଜୁଣେଇ ବଜାରରେ ବୁଲୁଥିଲେ । ତେବେ ବୁଧବାର ସକାଳୁ ତାଙ୍କ ମୃତଦେହ ତାରିଣୀ ଜୁଏଲେରୀ ରାସ୍ତା କଡ଼ରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ସମ୍ୱନ୍ଧରେ କୃଷ୍ଣଚନ୍ଦ୍ରଙ୍କ ପରିବାର ଏବଂ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟଲୋକେ । ଖବର ପାଇ ଉଭୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ପହଞ୍ଚି ମୃତଦେହକୁ ଜବତ କରି ଚାରିଛକ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି କୋଣାର୍କ ପୋଲିସ । ପରେ ତାଙ୍କ ପରିବାର ପକ୍ଷରୁ କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ତେବେ କିପରି କୃଷ୍ଣଚନ୍ଦ୍ରଙ୍କର ମୃତ୍ୟୁ ହେଲା, ତାହାର କାରଣ ଖୋଜି ଘଟଣାର ତଦନ୍ତ ଆରମ୍ଭ କରିଛି କୋଣାର୍କ ପୋଲିସ । ତଦନ୍ତ ପରେ ସତ ସାମ୍ନାକୁ ଆସିବ ବୋଲି କୋଣାର୍କ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।