ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ଡିପ୍‌ ଫେକ୍‌ର ସୁନାମି...

ଭୁବନେଶ୍ୱର: ସେ ୩୫ ବର୍ଷୀୟା ଆମେରିକୀୟ ଗାୟିକା, ଗୀତିକାର, ପ୍ରଭାବିତ କରିଛନ୍ତି ମ୍ୟୁଜିକ ଇଣ୍ଡଷ୍ଟ୍ରିକୁ ଓ ଜନପ୍ରିୟତା ଲାଭ କରିଛନ୍ତି ନିଜ ସଂସ୍କୃତିକୁ ବହୁଭାବରେ ପ୍ରଭାବିତ କରି । ତାଙ୍କ ନାଁ ସୁଇଫ୍‌ଟ ଟେଲର । ସୋସିଆଲ ମିଡିଆରେ ତାଙ୍କ ଫଲୋଅରଙ୍କ ସଂଖ୍ୟା ୫୦କୋଟିରୁ ଊଦ୍ଧ୍ୱର୍ । ସେ ଏବେ ସଦ୍ୟ ଶିକାର ହୋଇଛନ୍ତି ଡିପ୍‌ ଫେକ୍‌ ଆତଙ୍କରେ । ତାଙ୍କରି ଫଟୋକୁ ଭିଡିଓକୁ ଯୌନ ଉତ୍ତେଜକ, ଅଶ୍ଳୀଳ କାଳ୍ପନିକ ଚିତ୍ରକୁ ରୂପାନ୍ତରିତ କରି ସୋସିଆଲ ମିଡିଆରେ ଛାଡ଼ି ଦିଆଯାଇଛି । ୧୭ଘଣ୍ଟା ଏହିସବୁ ଅଶ୍ଳୀଳ ଚିତ୍ର ରହିବା ଭିତରେ ଗୋଟିଏ ଗୋଟିଏ ଚିତ୍ରକୁ ଦେଖିଛନ୍ତି ୪-୫କୋଟି ଫଲୋଅର ଓ ସେୟାର କରିଛନ୍ତି ୨୪ହଜାର ଥର । ଏହିସବୁ ଚିତ୍ର ଯେବେ ସୁନାମି ସୃଷ୍ଟି କରିଚାଲିଥିଲା ସୋସିଆଲ ମିଡିଆରେ, ତାର ୧୭ଘଣ୍ଟା ପରେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡ଼ିବାରୁ ସେହି ସବୁକୁ ହଟାଇ ନିଆଗଲା । କିନ୍ତୁ କିଏ ଏପରି କରିଥିଲା? କାହିଁକି? ଜଣେ ସେଲେବ୍ରିଟିକୁ ବଦନାମ କରିବା ପାଇଁ କାହିଁକି ଏଭଳି ଧୃଷ୍ଟତା? ଏହାକୁ କୁହାଯାଉଛି ଡିପ୍‌ ଫେକ୍‌ କୃତ୍ରିମ ବୁଦ୍ଧିମତା ।

ଡିପ୍‌ ଅର୍ଥ- ଗଭୀର ଜ୍ଞାନ, ଫେକ୍‌ ଅର୍ଥ- ନକଲ ଜାଲିଆତି କରିବା । ଅର୍ଥାତ୍‌ ଏ.ଆଇ. ବା କୃତ୍ରିମ ବୁଦ୍ଧିମତାକୁ ବ୍ୟବହାର କରି ନିଜର ହୀନ ଲାଳସାକୁ ଚରିତାର୍ଥ କରିବା । ସେମାନଙ୍କର ଟାର୍ଗେଟ ହେଲେ ବିଶେଷ ଭାବରେ ଖ୍ୟାତି ଅର୍ଜନ କରିଥିବା ମହିଳା, ରାଜନେତା, ଏପରିକି ଅତି ସାଧାରଣ ମଣିଷ । କେହି କିଛି ଜାଣିବା ପୂର୍ବରୁ ଏହା ପ୍ରସାରିତ ହୋଇଚାଲିଥିବ ହଜାର ହଜାର ବା ଲକ୍ଷ ଲକ୍ଷ ବ୍ୟବହାରକାରୀଙ୍କ ମଧ୍ୟରେ । ଏହାକୁ ସୃଷ୍ଟି କରାଯାଏ ଏ.ଆଇ. ମାଧ୍ୟମରେ । ସେଥିରେ ଗଭୀର ଜ୍ଞାନ ନଥିଲେ ଏପରି କରିବା ସମ୍ଭବ ନୁହେଁ । ତେବେ ସୁଇଫ୍‌ଟଙ୍କ ଏଭଳି ଦୁର୍ଦ୍ଦଶା ଦେଖି ଚିନ୍ତା ପ୍ରକଟ କରିଛନ୍ତି ଅନେକ ଟପ୍‌ ଆମେରିକୀୟ ସାଂସଦ । ଏପରିକି ପ୍ରେସିଡେଣ୍ଟ ବାଇଡେନ ମଧ୍ୟ ଏକଥା ଉଲ୍ଳେଖ କରିଛନ୍ତି ଓ ହ୍ୱାଇଟ ହାଉସ୍‌ ତରଫରୁ ଏହାକୁ ବନ୍ଦ କରିବାକୁ ପ୍ରୟାସ କରିବାକୁ ଆହ୍ୱାନ ଦେଇଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି, ଏହାକୁ ବନ୍ଦ କରିବାର ବାଟ କେଉଁଠି ଅଛି । ଏଥିରେ କେତେ ସେଲେବ୍ରିଟି ଯେ ପ୍ରତିଦିନ ଶିକାର ହେଉଛନ୍ତି ତାର ଇୟତ୍ତା ନାହିଁ । ଏବେ ସମଗ୍ର ବିଶ୍ୱର ସ୍ୱର ଉଠିଛି ଏଭଳି କୃତ୍ରିମ ବୁଦ୍ଧିମତ୍ତାରୁ ସୃଷ୍ଟ ‘ଡିପ୍‌ ଫେକ୍‌’ର ଭୟାବହତାକୁ ଦୂର କରିବା ପାଇଁ ।

ସୁଇଫ୍ଟ ଜଣେ ଲୋକପ୍ରିୟ ଗାୟିକା ହୋଇଥିବାରୁ ତାର ମୂଳ ଉତ୍ସ ଖୋଜିବା ମାଧ୍ୟମରେ ଯାହା ଯେତିକି ମିଳିଛି ତାହା ହେଲା ଗୋଟେ ନିର୍ଦ୍ଦିଷ୍ଟ ଟେଲିଗ୍ରାମ ଗ୍ରୁପ୍‌ରୁ ସୃଷ୍ଟି ହୋଇ ୪-ଚାନ୍‌ ନାମକ ଏକ ଇଂରାଜି ୱେସାଇଟ ମାଧ୍ୟମରେ ଏହା ଟୁଇଟରକୁ ଜମ୍ପ କରି ଏଭଳି ଭାଇରାଲ ହୋଇଛି। ସେହି ନିର୍ଦ୍ଦିଷ୍ଟ ଟେଲିଗ୍ରାମ ଗ୍ରୁପ୍‌ ହେଉଛି ମହିଳାଙ୍କୁ ଟାର୍ଗେଟ କରି ଏଭଳି ଅପମାନଜନକ ଫଟୋ ଭିଡିଓ ସୃଷ୍ଟି କରିବାରେ ସିଦ୍ଧହସ୍ତ । ଏକଥା ପ୍ରକାଶ କରିଛି ୪୦୪ ମିଡିଆ କମ୍ପାନୀ, ଯାହା ନୂତନ ଭାବରେ ସ୍ୱାଧୀନ ପତ୍ରକାରମାନଙ୍କ ଦ୍ୱାରା ଗଠିତ ଏକ ମିଡିଆ କମ୍ପାନୀ । ଏହାର କାର୍ଯ୍ୟ ହେଲା, କିଭଳି ଟେକ୍ନୋଲୋଜି ଆମ ବିଶ୍ୱକୁ ନୂତନ ରୂପ ପ୍ରଦାନ କରି ଚାଲିଛି ତାର ଅନୁଧ୍ୟାନ କରିବା ଓ ତତ୍‌ସହିତ ର‌୍ୟାକିଂ, ସାଇବର କ୍ରାଇମ, ସାଇବର ସିକ୍ୟୁରିଟି, ଯୌନ ଉଦ୍ଦୀପକ ଚିତ୍ର, ଭିଡିଓ ଆଦିର ଉତ୍ସ ଖୋଜିବା, ଉପଭୋକ୍ତାଙ୍କ ଅଧିକାର, ସେମାନଙ୍କ ପ୍ରାଇଭେସି ଓ ଇଣ୍ଟରନେଟକୁ ଲୋକତନ୍ତ୍ରୀ କରିବା ଇତ୍ୟାଦି । ଆଉ ମଧ୍ୟ ଜଣାପଡ଼ିଛି ଯେ, ସେହି ଗ୍ରୁପ୍‌ ଅତି କମ୍‌ରେ ଗୋଟେ ଟୁର୍‌ ବ୍ୟବହାର କରିଛି, ଯାହା ହେଲା ଫ୍ରି ମାଇକ୍ରୋସଫ୍ଟ ଟେକ୍ସଷ୍ଟ ଟୁ ଇମେଜ୍‌ ଏ.ଆଇ. ଜେନେରେଟର । ମାଇକ୍ରୋସଫ୍ଟ ଡିଜାଇନରମାନେ ଏହାକୁ ବ୍ୟବହାର କରନ୍ତି ନିର୍ଦ୍ଦିଷ୍ଟ ଇମେଜ ସୃଷ୍ଟି କରିବା ପାଇଁ । ହ୍ୱାଇଟ ହାଉସ୍‌ କହିଛି, ଆମେ ଏହି ନିର୍ମାତାକୁ ଠାବ କରିବୁ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ଦେଖାଯାଉ କେବେ କରୁଛନ୍ତି, ନା କେବଳ ଆଶ୍ୱାସନା ଦେଉଛନ୍ତି ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନ ଅଛି ବୋଲି ।

ଏବେ ଡିପ୍‌ ଫେକ୍‌ ପନ୍ନୋଗ୍ରାଫି ସବୁଆଡ଼େ । ତାର ଟାର୍ଗେଟ ବିଶେଷ ଭାବରେ ମହିଳା । ଜଣେ ଭର୍ଜିନିଆ ସ୍କୁଲ ଅଫ୍‌ ଲ’ର ପ୍ରଫେସର କହିଛନ୍ତି- ୯୫୦୦ରୁ ଊଦ୍ଧ୍ୱର୍ ସାଇଟ୍‌ ଆଜି ଯେମିତି ଉତ୍ସର୍ଗୀକୃତ ଏଭଳି ଅସମ୍ମତମୂଳକ ନିବିଡ଼ ମିଳନର ଦୃଶ୍ୟାବଳୀକୁ ଫଟୋ ଓ ଭିଡିଓ ମାଧ୍ୟମରେ ଦର୍ଶାଇବା ପାଇଁ । ଏଥିରୁ ୯୬% ହେଉଛି ଡିପ୍‌ ଫେକ୍‌ ପନ୍ନୋଗ୍ରାଫି । ଗତବର୍ଷ ଗୋଟେ ନିଉଜର୍ସି ହାଇସ୍କୁଲର ଛାତ୍ରମାନେ ୩୦ରୁ ଊଦ୍ଧ୍ୱର୍ ଛାତ୍ରୀମାନଙ୍କର ଏ.ଆଇ. ଦ୍ୱାରା ନିର୍ମିତ ଅଶ୍ଳୀଳ ଭିଡିଓ ସେୟାର କରିଚାଲିଥିବାର ଦୃଶ୍ୟ ସେମାନଙ୍କ ପିତାମାତାଙ୍କୁ ବ୍ୟଥିତ କରିଥିଲା । ୨୦୧୯ ପରେ ପରେ ଏଯାବତ୍‌ ଏହିସବୁ ଡିପ୍‌ ଫେକ୍‌ ଇମେଜର ୫୫୦% ବୃଦ୍ଧି ଘଟିଲାଣି । ଏହା କୃତ୍ରିମ ବୁଦ୍ଧିମତାର ଭବିଷ୍ୟତକୁ ଗଭୀର ଅନ୍ଧାର ଭିତରକୁ ଠେଲିଦବାକୁ ଆରମ୍ଭ କରିଛି । କିଛିଦିନ ତଳେ ଏକ ଭିଡିଓ ପ୍ରଦର୍ଶିତ ହେଲା ଯେ, ରୁଷିଆର ରାଷ୍ଟ୍ରପତି ଦେଶକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି ରୁଷିଆ ଏବେ ୟୁକ୍ରେନ ସହିତ ଯୁଦ୍ଧ ବନ୍ଦ କରି ଶାନ୍ତି ଚୁକ୍ତି କରିଛି । ସମଗ୍ର ବିଶ୍ୱକୁ ଆଶ୍ୱସ୍ତ କରିଦେଲା କିଛି ଘଣ୍ଟା ପାଇଁ । ପରେ ରୁଷିଆ ତରଫରୁ ସ୍ପଷ୍ଟୀକରଣ ଦେଇ କୁହାଗଲା- ଏହା ସଂପୂର୍ଣ୍ଣ ମିଥ୍ୟା । ଏହା ଥିଲା ସେହି ଏଆଇ ଜେନେରେଟେଡ ଡିପ୍‌ ଫେକ୍‌ ଇମେଜେରି । ପୁଣି କିଛି ଦିନ ପରେ ୟୁକ୍ରେନର ରାଷ୍ଟ୍ରପତି ସେଭଳି ଏକ ବାର୍ତ୍ତାରେ କହିଛନ୍ତି ଯେ, ସେ ନିଜ ସୈନ୍ୟବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି ରୁଷିଆ ସହିତ ଯୁଦ୍ଧ ବନ୍ଦ କରି ଯୁଦ୍ଧାସ୍ତ୍ରକୁ ତ୍ୟାଗ କରିବା ପାଇଁ । ଏହା ୟୁକ୍ରେନ ସମର୍ଥକ ଆମେରିକା ତଥା ନାଟୋ ରାଷ୍ଟ୍ରସମୂହକୁ ଆଶ୍ଚର୍ଯ୍ୟାନ୍ୱିତ କରିଦେଲା । ପରେ ଜଣାପଡ଼ିଲା ଏହା ସଂପୂର୍ଣ୍ଣ ମିଥ୍ୟା । ଏହା ସବୁ ସେଇ ଡିପ୍‌ ଫେକ୍‌ ଇମେଜେରି । ଜଣେ ସାଧାରଣ ମଣିଷ ଅବଶ୍ୟ ଜାଣିପାରେ ଯେବେ ଫେସବୁକ୍‌, ଟୁଇଟର ଆଦିରେ ଡୋନାଲଡ ଟ୍ରମ୍ପଙ୍କ ମୁଣ୍ଡକୁ କାଢ଼ି ନରେନ୍ଦ୍ର ମୋଦିଙ୍କ ମୁଣ୍ଡକୁ ଯୋଡ଼ି ଦବାର ଭିଡିଓକୁ ଅବା କୌଣସି ଚର୍ଚ୍ଚିତ ବ୍ୟକ୍ତିଙ୍କର ଚେହେରାକୁ ବଦଳାଇ ଅନ୍ୟ କିଛିରେ ଯୋଡ଼ିଦେଇ ଭ୍ରମାତ୍ମକ ଭିଡିଓ ସୃଷ୍ଟି କରାଯାଏ । କିନ୍ତୁ ସବୁ କ୍ଷେତ୍ରରେ ଏହା ସମ୍ଭବ ହୋଇନପାରେ । ସତ୍ୟ ଭଳି ବିବେଚିତ ହୁଏ, ଯେତେବେଳେ ଦୁଇଟି ଚେହେରା ମଧ୍ୟରେ ଅତି ନିଖୁଣ ଭାବରେ ସାମଞ୍ଜସ୍ୟ ସୃଷ୍ଟି କରାଯାଇପାରେ । କିନ୍ତୁ ତାହା ମଧ୍ୟ କୃତ୍ରିମ ବୁଦ୍ଧିମତା ପ୍ରଦାନ କରିବାକୁ ସକ୍ଷମ ।

ଏହି ଡିପ୍‌ ଫେକ୍‌ ଇମେଜେରିକୁ କୁହାଯାଇପାରେ ଏକବିଂଶ ଶତାବ୍ଦୀର ଫଟୋସପିଙ୍ଗର ଯଥାର୍ଥ ଉତ୍ତର । କୃତ୍ରିମ ବୁଦ୍ଧିମତାର ବିକାଶ ଯୋଗୁଁ ଦୁଇଟି ପୃଥକ ଚେହେରାକୁ ଏପରି ନିଖୁଣ ଭାବରେ ମିଶାଇ ଦିଆଯାଇ ପାରୁଛି ଫରକ ଜାଣିବା ଅସମ୍ଭବ । ଯେଉଁ ପ୍ରଚଳିତ ଲୋକୋ ଉକ୍ତି ଥିଲା ‘ଦେଖିବା ହିଁ ବିଶ୍ୱାସ କରିବା’ ଆଜି ଯେମିତି ମିଥ୍ୟାକୁ ରୂପାନ୍ତରିତ ହୋଇଗଲାଣି । ଜଣେ ମହିଳାଙ୍କ ମୁଖମଣ୍ଡଳକୁ ଅଧିକ ସ୍ପଷ୍ଟ ଓ ଅତ୍ୟନ୍ତ ସୁନ୍ଦର କରି ଦେଖାଇ ଦିଆଯାଉଛି । ମହିଳା ଚିତ୍ରତାରକା ହୁଅନ୍ତୁ ବା ଷ୍ଟାର ଗାୟିକା ହୁଅନ୍ତୁ, ସେମାନଙ୍କୁ ରୂପାନ୍ତରିତ କରିଦିଆଯାଉଛି ପର୍ଣ୍ଣଷ୍ଟାରକୁ ବା ନଗ୍ନ ଅବା ଅର୍ଦ୍ଧନଗ୍ନ ଅବିକଳ ସେମାନଙ୍କ ଚେହେରାକୁ । କଳ୍ପନା ଓ ବାସ୍ତବତା ମଧ୍ୟରେ ଯେଉଁ ସୀମା ଥାଏ ତାହା ଯେପରି ଝାପ୍‌ସା ହବାକୁ ଆରମ୍ଭ କଲାଣି । ଯେବେ ଏହି ଡିପ୍‌ ଫେକ୍‌ ଇମେଜେରି ଆରମ୍ଭ ହେଲା ସେବେ କେବଳ ଜଣକର ମୃତ୍ୟୁବରଣ କରିଥିବା କୌଣସି ସଂପର୍କୀୟକୁ ବାସ୍ତବରେ କଥାକୁହା ଇମେଜ ଭାବରେ ସୃଷ୍ଟି କରାଯାଉଥିଲା । କିନ୍ତୁ ଖୁବ୍‌ଶୀଘ୍ର ଏହାର ଗତିପଥ ବଦଳିଗଲା । ଏବେ ୯୦% ଡିପ୍‌ ଫେକ୍‌ ଭିଡିଓ ହେଲା ପର୍ଣ୍ଣୋଗ୍ରାଫିକ୍‌ । 

‘ଡିପ୍‌ ଟ୍ରେସ୍‌’ ନାମକ ଏକ କୃତ୍ରିମ ବୁଦ୍ଧିମତାର ଫାର୍ମ ପ୍ରକାଶ କରିଛି ଯେ, ଗତ ସେପ୍ଟେମ୍ବର ୨୦୦୯ରେ ଅନ୍‌ଲାଇନରେ ମିଳୁଥିବା ଡିପ୍‌ ଫେକ୍‌ ଭିଡିଓଗୁଡ଼ିକର ସଂଖ୍ୟା ଥିଲା ମାତ୍ର ୧୫ହଜାର । ତାର ୯ମାସ ପରେ ଏହା ଦ୍ୱିଗୁଣିତ ହୋଇଯାଇଛି । ସେଥିରୁ ୯୬% ଅଶ୍ଳୀଳ ଓ ସେଥିମଧ୍ୟରୁ ୯୯% ଅଙ୍କିତ ଚେହେରା ହେଲା ମହିଳା ସେଲେବ୍ରିଟିମାନଙ୍କର, ଯାହାକୁ ପରିବର୍ତ୍ତିତ କରାଯାଇଛି ଅଶ୍ଳୀଳ ଇମେଜକୁ ।

ଏହା କିପରି କରାଯାଇଛି? ଧରାଯାଉ ଦୁଇଜଣ ବ୍ୟକ୍ତି ଅଛନ୍ତି । ଅନ୍ୟ ଜଣେ କୃତ୍ରିମ ବୁଦ୍ଧିମତାର ଏକ ଏନକୋଡରକୁ ଚାଳିତ କରି ସେହି ଦୁଇଜଣଙ୍କର ହଜାର ହଜାର ଇମେଜ ସୃଷ୍ଟି କରିପାରିବ । ଏହା ହେଲା କୃତ୍ରିମ ବୁଦ୍ଧିମତାର ଏକ ସୁନିର୍ଦ୍ଦିଷ୍ଟ ପଦ୍ଧତିରେ କାର୍ଯ୍ୟ ସଂପାଦନ କରିବାର ଗୋପନୀୟ ସଂକେତ ଆକାରରେ ଲେଖା ବା ଆଲଗୋରିଦମ୍‌ । ତା’ପରେ ଏ.ଆଇ. ଏହି ହଜାର ହଜାର ଚିତ୍ରକୁ ତୁଳନା କରିଚାଲିବ ଫ୍ରେମ୍‌ ପରେ ଫ୍ରେମ୍‌ ଅତ୍ୟନ୍ତ କ୍ଷିପ୍ରଗତିରେ ଓ ବାହାର କରିଦେବ କେଉଁ ଦୁଇଟି ଚିତ୍ର ଦିଶୁଛି ଏକଦମ୍‌ ସମାନ ଏବଂ ସଙ୍ଗେ ସଙ୍ଗେ ରୂପାନ୍ତରିତ କରିଦବ କମନ୍‌ ସେୟାର୍ଡ ଫିଚରକୁ । ସେହିପରି ଆଉ ଗୋଟିଏ ଆଲଗୋରିଦମ୍‌ ବ୍ୟବହାର କରି ଜଣକର ମୁଖମଣ୍ଡଳକୁ ପୁନଃ ରଚନା କରି ସେଥିରେ ଅବିକଳ ଦେଖାଯାଉଥିବା ଦ୍ୱିତୀୟ ବ୍ୟକ୍ତିର ମୁଖମଣ୍ଡଳର ଅଭିବ୍ୟକ୍ତି ଓ ଉଚ୍ଚାରଣ କରୁଥିବା ଶବ୍ଦସମୂହକୁ ଅବସ୍ଥାପିତ କରିଦବ । ଏଠାରେ ଅବଶ୍ୟ ଉଲ୍ଲେଖନୀୟ, ଗୋଟିଏ ଷ୍ଟାଣ୍ଡାର୍ଡ ଭିଡିଓରେ ଥାଏ ୨୦ଟିରୁ କିଛିଟା ଅଧିକ ଫ୍ରେମ୍‌ । କିନ୍ତୁ କୃତ୍ରିମ ବୁଦ୍ଧିମତ୍ତା ଦ୍ୱାରା ସୃଷ୍ଟ ଭିଡିଓରେ ଥାଏ ହଜାର ହଜାର ଫ୍ରେମ୍‌ ପ୍ରତି ମିନିଟରେ ମ୍ୟାଚ କରାଇବା ପାଇଁ । ଆଉ ଏକ ଆହୁରି ସହଜ କରିବା ପାଇଁ ସଫ୍ଟଓୟାର ମଧ୍ୟ ମିଳିଗଲାଣି । କିଭଳି ପ୍ରଭାବିତ କରୁଥିବ ଏହି ଶୈଳୀ ଅନୁମାନ କରାଯାଇପାରେ । ଏହି ଡିପ୍‌ ଫେକ୍‌ କେତେ ସାଙ୍ଘାତିକ ହେଇପାରେ କଳନା କରିବା ମୁସ୍କିଲ । ଏହା ଉସ୍‌କାଇ ଦେଇପାରେ ସାଂପ୍ରଦାୟିକ ଦଙ୍ଗାକୁ । ପ୍ରଭାବିତ କରିପାରେ ଭୋଟରମାନଙ୍କୁ, ପରିବର୍ତ୍ତନ କରିଦେଇପାରେ ସରକାରମାନଙ୍କୁ । ଷ୍ଟକ୍‌ ପ୍ରାଇସ୍‌କୁ ହ୍ରାସ କରି ଦେଶର ଅର୍ଥବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଦେଇପାରେ ।

କୃତ୍ରିମ ବୁଦ୍ଧିମତା ସୃଷ୍ଟି କରିଛି ଏହି ଡିପ୍‌ ଫେକ୍‌ । ସେ ହିଁ କରିବ ତାର ସମାଧାନ । ଏହି କୃତ୍ରିମ ବୁଦ୍ଧିମତାକୁ ନିଜର ସଂକୀର୍ଣ୍ଣ ସ୍ୱାର୍ଥପାଇଁ ବ୍ୟବହାର କରି ନିପୁଣ ହସ୍ତରେ ଅତି ନିଖୁଣ ଭାବରେ ଏହାକୁ ବ୍ୟବହାର କରି ସୃଷ୍ଟି କରାଯାଉଛି ଡିପ୍‌ ଫେକ୍‌ ଭିଡିଓ । ଏହାକୁ ସବୁ ଚିହ୍ନଟ କରିବାର ଉପାୟ ଭାବରେ ଗ୍ରହଣ କରାଯାଉଛି ବ୍ୟାଡ୍‌ ଲିପ୍‌ସିଙ୍କିଙ୍ଗ ବା କଥା କହିବାବେଳେ ଓଠ ଠିକ୍‌ଭାବରେ ନପଡ଼ିବା, ପ୍ୟାଡ ସ୍କିନ୍‌ ଟୋନ ଅର୍ଥାତ୍‌ ଚର୍ମ ନିର୍ମାଣରେ ଅସଙ୍ଗତି ଥିବା, ମୁଖମଣ୍ଡଳରେ ଚାରିପାଖ ଝାପ୍‌ସା ଦିଶୁଥିବା, ଇମେଜରେ ଅଦ୍ଭୁତ ପ୍ରତିଫଳନ ସୃଷ୍ଟି ହେଉଥିବା ଇତ୍ୟାଦି । ଯଦି ଏଭଳି କିଛି ଦୃଷ୍ଟିଗୋଚର ହୁଏ ସେଗୁଡ଼ିକୁ ସେୟାର ନକରିବା ଉଚିତ ଓ ଅନ୍ୟମାନଙ୍କୁ ସତର୍କ କରିଦବା ବିଧେୟ । ଆଉ ସରକାରମାନେ କଠୋର କଟକଣା ଓ କଠିନ ଦଣ୍ଡର ପ୍ରାବଧାନ କରିବା ଉଚିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.