ନୂଆଦିଲ୍ଲୀ: କୁଖ୍ୟାତ ISIS ଆତଙ୍କବାଦୀ ରିଜୱାନ ଅବଦୁଲ ହାଜି ଅଲ୍ଲି ଗିରଫ । ସେ NIAର ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ସାମିଲ ଥିଲା । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ତାକୁ ଆଜି ଭୋର ଗିରଫ କରିଛି । ରିଜୱାନ ଉପରେ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଆତଙ୍କବାଦୀ ରିଜୱାନ ଦିଲ୍ଲୀର ଦରିୟାଗଞ୍ଜ ଅଞ୍ଚଳର ବାସିନ୍ଦା । ସେ ପୁଣେର ଆଇଏସଆଇଏସ୍ ମଡ୍ୟୁଲର ଜଣେ କୁଖ୍ୟାତ ଆତଙ୍କବାଦୀ ଥିଲା ।
ପୁଣେର ଆଇଏସଆଇଏସ୍ ମଡ୍ୟୁଲର ବହୁ କୁଖ୍ୟାତ ଆତଙ୍କବାଦୀଙ୍କୁ ଏନଆଇଏ ଓ ପୁଣେ ପୋଲିସ ଗିରଫ କରିସାରିଛି । ହେଲେ ରିଜୱାନ ଅବଦୁଲ ପୋଲିସ ଆଖିରେ ଧୂଳି ଦେଇ ଫେରାର ହେବାରେ ସକ୍ଷମ ହେଉଥିଲା । ଆଇଏସ୍ ସଙ୍ଗଠନର ଆତଙ୍କବାଦୀମାନେ ଦିଲ୍ଲୀ ଓ ମୁମ୍ବାଇର ବହୁ ଭିଭିଆଇପି ଅଞ୍ଚଳରେ ଆକ୍ରମଣ ପାଇଁ ରେକି କରିଥିଲେ । ଏହାପରଠୁ ସେ ଏନଆଇଏ ଟାର୍ଗେଟରେ ଥିଲେ । ଗତ ବର୍ଷ ଜୁଲାଇ ମାସରେ ଏନଆଇଏ ମହାରାଷ୍ଟ୍ରର ପୁଣେରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ, ISIS ପତ୍ରିକା ଆଦି ଜବତ କରିଥିଲା ।
ଏହି ମାମଲାରେ ପୋଲିସ ପ୍ରଥମେ ୧୩ ଜଣଙ୍କ ନାମରେ ଚାର୍ଜସିଟ୍ ଫାଇଲ୍ କରିଥିଲା । ଏହାପରେ ଚଳିତ ବର୍ଷ ମାର୍ଚ୍ଚରେ ଉକ୍ତ ମାମଲାରେ ଆଉ ୩ ଜଣଙ୍କ ନାମରେ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ହୋଇଥିବା ବେଳେ ସେଥିରେ ରିଜୱାନର ନାଁ ବି ସାମିଲ ଥିଲା । ଏହା ପରେ ତାକୁ ଗିରଫ କରିବାକୁ ଏନଆଇଏ ଉଦ୍ୟମ ଆରମ୍ଭ କରିଥିଲା । ଶେଷରେ ଦିଲ୍ଲୀ ପୋଲିସ ସହ ମିଳିତ ଭାବେ ଏନଆଇଏ ତାକୁ ଗିରଫ କରିବାରେ ସଫଳ ହୋଇଛି । ରିଜୱାନକୁ ଗିରଫ କରିବା ସମୟରେ ପୋଲିସ ତା ନିକଟରୁ ବହୁ ମାରଣାସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରିଥିବା ଜଣାପଡ଼ିଛି ।