ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଏତ ନିର୍ବାଚନ ନୁହେଁ, ଗଣତନ୍ତ୍ରର ମହୋତ୍ସବ

Image Courtesy: dnaindia

ବର୍ତ୍ତମାନ ସମୟରେ ନିର୍ବାଚନ ଏକ ଉତ୍ସବରେ ପରିଣତ ହୋଇଛି । ଅଧିକରୁ ଅଧିକ ନାଗରିକ ଏଥିରେ ସାମିଲ ହେଉଛନ୍ତି । ବିଶେଷ କରି ଯୁବ ଭୋଟରମାନଙ୍କୁ ନିଜର ମତାଧିକାର ସାବ୍ୟସ୍ତ କରିବା ସକାଶେ ପ୍ରୋତ୍ସାହିତ କରାଯାଉଛି । ବୟସ୍କ ଓ ଦିବ୍ୟାଙ୍ଗ ଭୋଟରମାନଙ୍କ ନିମନ୍ତେ ସୁଦ୍ଧା ମତଦାନ ସକାଶେ ବିଶେଷ ବ୍ୟବସ୍ଥା କରାଯାଉଛି । ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବା ସକାଶେ ପ୍ରତ୍ୟେକ ନାଗରିକ ଗର୍ବ ଓ ଗୌରବ ଅନୁଭବ କରିବା ଉଚିତ ।

ଅଷ୍ଟାଦଶ ଲୋକସଭାର ୫୪୩ଜଣ ସଦସ୍ୟଙ୍କ ନିର୍ବାଚନ ନିମନ୍ତେ ଚଳିତ ବର୍ଷ ୧୯ ଏପ୍ରିଲରୁ ଜୁନ୍‌ ୧ ତାରିଖ ମଧ୍ୟରେ ୭ଟି ପର୍ଯ୍ୟାୟରେ ୪୪ଦିନ ବ୍ୟାପୀ ଗଣମହୋତ୍ସବ, ଜୁନ୍‌ ୪ ତାରିଖରେ ଫଳାଫଳ ଘୋଷଣା ସହିତ ଉଦ୍‌ଯାପିତ ହେବ । ଏଥିସହିତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଏବଂ ସିକିମ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଦେଶର ସମୁଦାୟ ଜନସଂଖ୍ୟା ୧୪୦କୋଟି ମଧ୍ୟରୁ ପ୍ରାୟ ୯୬କୋଟି ମତଦାତା ଏହି ମହୋତ୍ସବରେ ସାମିଲ ହେବେ । ମାର୍ଚ୍ଚ ୧୬ ତାରିଖରେ ନିର୍ବାଚନ କମିଶନର ନିର୍ବାଚନ ତାରିଖ ଘୋଷଣା କରିବା ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ନିରନ୍ତର ଗଣସଚେତନତା କାର୍ଯ୍ୟକ୍ରମ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସଫଳ ପ୍ରୟୋଗ ଫଳରେ ଏବେ ନିର୍ବାଚନ ପରିଚାଳନା ସହଜ ହୋଇଯାଇଛି । କିନ୍ତୁ ସାତ ଦଶନ୍ଧି ପୂର୍ବେ ଅନୁଷ୍ଠିତ ଦେଶର ପ୍ରଥମ ସାଧାରଣ ନିର୍ବାଚନ ପରିଚାଳନା ଆଦୌ ସହଜ ନଥିଲା । ୧୯୫୦ ମସିହା ଜାନୁୟାରୀ ୨୬ ତାରିଖରେ ସମ୍ବିଧାନ ଲାଗୁ ହେବାପରେ ଆମ ଦେଶ, ସଂସଦୀୟ ଶାସନ ବ୍ୟବସ୍ଥାକୁ ଆଦରିଥିବା ସାର୍ବଭୌମ ସମାଜବାଦୀ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେଲା । 

ଦେଶର ସମ୍ବିଧାନ ପ୍ରଣୟନ ନିମନ୍ତେ ଯେଉଁ ସମ୍ବିଧାନ ସଭା ଗଠିତ ହୋଇଥିଲା, ୧୯୪୭ ମସିହାରେ ସ୍ୱାଧୀନତା ପ୍ରାପ୍ତି ପରେ ତାହା "ଅସ୍ଥାୟୀ ସଂସଦ'ରେ ପରିଣତ ହୋଇଗଲା । ପ୍ରଧାନମନ୍ତ୍ରା ଜବାହରଲାଲ ନେହେରୁଙ୍କ ସମେତ ୨୬ଜଣ ମନ୍ତ୍ରିମଣ୍ଡଳର ସଦସ୍ୟ ରହିଲେ । ଯେହେତୁ ନିର୍ବାଚନ ହେଉଛି ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରର ଜୀବନ ରେଖା, ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହେଲା । ସେହି ସମୟରେ ସାରା ବିଶ୍ୱର ନଜର ଭାରତ ଉପରେ ରହିଥିଲା । ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରସମୂହ ଆଶଙ୍କା କରିଥିଲେ, ଅଶିକ୍ଷିତ ଓ ଦରିଦ୍ର ଭାରତରେ ଗଣତନ୍ତ୍ର ତିଷ୍ଠିପାରିବ ନାହିଁ । ସ୍ୱାଧୀନତା ପ୍ରାପ୍ତି ସମୟରେ ଦେଶର ସାକ୍ଷରତା ହାର ଥିଲା ୧୬% ଏବଂ ଦେଶର ଅର୍ଥନୀତି ବିଶ୍ୱ ଅର୍ଥନୀତିର ମାତ୍ର ୩% । (ମାତ୍ର ବ୍ରିଟିଶ ଭାରତକୁ ପ୍ରବେଶ କରିବା ସମୟରେ ଅର୍ଥନୀତି ହାର ଥିଲା ୨୫% ଏବଂ ସେହି ଅନୁପାତରେ ଆମେ ସାକ୍ଷରତା ହାର ଆକଳନ କରିପାରିବା ।) ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଉଇନ୍‌ଷ୍ଟନ ଚର୍ଚ୍ଚିଲ ଭାରତୀୟ ନେତୃବୃନ୍ଦଙ୍କୁ କଠୋର ଶବ୍ଦରେ ନିନ୍ଦା କରିଥିଲେ । ସେହି କୁତ୍ସାରଟନାରୁ ମହାତ୍ମା ଗାନ୍ଧି ମଧ୍ୟ ବାଦ୍‌ ପଡ଼ିନଥିଲେ । ସେମାନଙ୍କର ଆଶଙ୍କା ଥିଲା, ନାମକୁ ମାତ୍ର ଗଣତନ୍ତ୍ର ବୋଲାଉଥିବା ତୃତୀୟ ବିଶ୍ୱ ରାଷ୍ଟ୍ରସମୂହରେ ଯେଉଁ ବ୍ୟକ୍ତିମାନେ କ୍ଷମତା ଅକ୍ତିଆର କରନ୍ତି, ସେମାନେ ତାହା ଜାବୁଡ଼ି ଧରିବା ପାଇଁ ପ୍ରୟାସ କରୁଥିବାରୁ ଦେଶରେ ଅହରହ କ୍ଷମତା କନ୍ଦଳ ଲାଗି ରହିଥାଏ । ଗୋଟିଏ ରାଷ୍ଟ୍ରର ଦୃଷ୍ଟାନ୍ତ ନେବା । ୧୯୨୨ ମସିହାରେ ଇଜିପ୍‌ଟ ରାଷ୍ଟ୍ର ସାର୍ବଭୌମ ରାଷ୍ଟ୍ରରେ ପରିଣତ ହେଲା । ୧୯୨୨ରୁ ୧୯୩୦ ମସିହା ଏହି ଆଠବର୍ଷ ମଧ୍ୟରେ ସାତଜଣ ବ୍ୟକ୍ତି ପ୍ରଧାନମନ୍ତ୍ରୀ ଆସନରେ ବସିଥିଲେ । ଏହିଥିରୁ ଦେଶରେ ଶାସନ ବ୍ୟବସ୍ଥାର ସ୍ପଷ୍ଟ ଚିତ୍ର ମିଳିଥାଏ । କିନ୍ତୁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁ ଦେଶରେ ବିଧିବଦ୍ଧ ନିର୍ବାଚନ ମାଧ୍ୟରେ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତିଷ୍ଠା କରିବା ପାଇଁ ଉଦ୍ୟମ ଆରମ୍ଭ କଲେ । 

ସମ୍ବିଧାନର ଧାରା-୩୨୪ରେ ନିର୍ବାଚନ କମିଶନଙ୍କୁ ପାର୍ଲାମେଣ୍ଟ ଉଭୟ ସଦନ, ସମସ୍ତ ରାଜ୍ୟର ବିଧାନସଭା, ଦେଶର ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନ କରିବାର କ୍ଷମତା ପ୍ରଦାନ କରାଯାଇଛି । ସମ୍ବିଧାନର ଧାରା-୩୨୭ ଆଧାରରେ ଅସ୍ଥାୟୀ ସଂସଦ ୧୯୫୦ ମସିହାରେ ଏବଂ ୧୯୫୧ ମସିହାରେ "ଲୋକପ୍ରତିନିଧିତ୍ୱ ଆଇନ' (ଞଷର ଜରକ୍ଟ୍ରକ୍ସରଗ୍ଦରଦ୍ଭଗ୍ଧବଗ୍ଧସକ୍ଟଦ୍ଭ କ୍ଟଲ ଗ୍ଧଷର ଚରକ୍ଟକ୍ଟ୍ରକ୍ଷର ଇମଗ୍ଧ) ପ୍ରଣୟନ କରିଥିଲେ³ ଫଳରେ ଦେଶର ପ୍ରଥମ ଲୋକସଭା ଏବଂ ରାଜ୍ୟ ବିଧାନସଭା ନିମନ୍ତେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ୧୯୫୦ ମସିହା ଆଇନରେ ଭୋଟରଙ୍କ ଯୋଗ୍ୟତା, ଭୋଟର ତାଲିକା ପ୍ରସ୍ତୁତି ଓ ପ୍ରକାଶନ ବିଧିବ୍ୟବସ୍ଥା ନିରୂପଣ କରାଯିବା ସହିତ ଜାତି, ଧର୍ମ, ଲିଙ୍ଗ, ବର୍ଣ୍ଣ ନିର୍ବିଶେଷରେ ଦେଶର ୨୧ବର୍ଷରୁ ଊଦ୍ଧ୍ୱର୍ ସମସ୍ତ ନାଗରିକଙ୍କୁ ଭୋଟ ଦେବାର କ୍ଷମତା ପ୍ରଦାନ କରାଗଲା । ଦେଶ ବିଭାଜନ ଫଳରେ ଯେଉଁ ଶରଣାର୍ଥୀମାନେ ଅସ୍ଥାୟୀ ଶିବିରରେ ବାସ କରୁଥିଲେ, କେବଳ ବୟାନ ଆଧାରରେ ସେମାନଙ୍କୁ ଭୋଟ ଅଧିକାର ଦିଆଯାଇଥିଲା । ୧୯୫୧ ମସିହା ଆଇନରେ ଲୋକସଭା ଓ ବିଧାନସଭା ସଦସ୍ୟଙ୍କ ଯୋଗ୍ୟତା, ନିର୍ବାଚନ ପ୍ରକ୍ରିୟା, ଭୋଟ ଗଣତି, ନିର୍ବାଚନ ଖର୍ଚ୍ଚ ଆଦି ସ୍ଥାନ ପାଇଥିଲା । ଏହା ପୂର୍ବରୁ ଆମେରିକା ଏବଂ ପାଶ୍ଚାତ୍ୟ ରାଷ୍ଟ୍ରସମୂହରେ ନାଗରିକଙ୍କୁ କିସ୍ତିରେ ଭୋଟ ପ୍ରଦାନ କ୍ଷମତା ପ୍ରଦାନ କରାଯାଇଥିଲା । 

ଆମେରିକାରେ କୃଷ୍ଣକାୟମାନଙ୍କୁ ୧୯୬୫ ମସିହାରେ ଭୋଟ ଦେବାର କ୍ଷମତା ଦିଆଗଲା । ସୁଇଜରଲାଣ୍ଡ ଭଳି ସମୃଦ୍ଧ ରାଷ୍ଟ୍ରରେ ମହିଳାମାନଙ୍କୁ ୧୯୭୧ ମସିହାରେ ଭୋଟ ଅଧିକାର ପ୍ରଦାନ କରାଗଲା । ୟୁରୋପର ଅନ୍ୟ ଏକ ସମୃଦ୍ଧ ରାଷ୍ଟ୍ର ଲିଚଟେନଷ୍ଟାଇନ ୧୯୮୪ ମସିହାରେ ମହିଳାମାନଙ୍କୁ ଭୋଟ ଅଧିକାର ଦେଇଥିଲା । କିନ୍ତୁ ଭାରତ ସ୍ୱାଧୀନ ହେବାମାତ୍ରେ ୨୧ବର୍ଷରୁ ଊଦ୍ଧ୍ୱର୍ ସମସ୍ତ ନାଗରିକ ଭୋଟ ଦେବାର ଅଧିକାର ହାସଲ କରିଥିଲେ । ୧୯୮୮ ମସିହାରେ ଏହି ବୟସ ସୀମା ୧୮ବର୍ଷକୁ ଖସି ଆସିଥିଲା । ଦେଶ ସ୍ୱାଧୀନ ହେବା ପୂର୍ବରୁ ନେହେରୁଙ୍କ ନେତୃତ୍ୱରେ ୧୯୪୭ ମସିହାରେ ୨୩ ମାର୍ଚ୍ଚରୁ ୨ ଏପ୍ରିଲ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଦଶଦିନ ବ୍ୟାପୀ "ଏସୀୟ ସଂପର୍କ ସମ୍ମିଳନୀ' ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀର ଅଧ୍ୟକ୍ଷା ଥିଲେ ସରୋଜିନୀ ନାଇଡୁ । ଏହାର ଉଦ୍‌ଘାଟନୀ ଓ ଉଦ୍‌ଯାପନୀ ସମାରୋହ ଦିଲ୍ଲୀର ପୁରୁଣା କିଲ୍ଲାରେ ମୁକ୍ତମଞ୍ଚରେ ଅନୁଷ୍ଠିତ ହୋଇଥିଲା । ଉଦ୍‌ଯାପନୀ ସମାରୋହରେ ମହାତ୍ମା ଗାନ୍ଧି ଉଦ୍‌ବୋଧନ ଦେଇଥିଲେ । ଏହି ସମ୍ମିଳନୀରେ ଏସିଆ ମହାଦେଶର ଚୀନ, ଭିଏତନାମ ସମେତ ୨୮ଟି ରାଷ୍ଟ୍ର ଏବଂ ଆମେରିକା, ରୁଷିଆ, ଇଂଲଣ୍ଡ, ଅଷ୍ଟ୍ରେଲିଆ ଏବଂ ଆରବ ଲିଗ୍‌ ଆଦି ରାଷ୍ଟ୍ର ଏବଂ ମିଳିତ ଜାତିସଂଘ ଅନୁଷ୍ଠାନ ପର୍ଯ୍ୟବେକ୍ଷକ ପଠାଇଥିଲେ । ସମଗ୍ର ଏସିଆରେ ଗଣତନ୍ତ୍ର ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ସମସ୍ତେ ସଂକଳ୍ପବଦ୍ଧ ରହିବା ପାଇଁ ସମ୍ମିଳନୀର ଇସ୍ତାହାରରେ ସ୍ୱୀକୃତି ପ୍ରଦାନ କରିଥିଲେ । ତେଣୁ ଭାରତରେ ନିର୍ବାଚନ ମାଧ୍ୟମରେ ଗଣତନ୍ତ୍ର ପ୍ରତିଷ୍ଠା ନିମନ୍ତେ ନେହେରୁ ଉଦ୍ୟମ ଆରମ୍ଭ କରିଦେଲେ । ସେ ଅନୁଭବ କରିଥିଲେ, ନିର୍ବାଚନ ହିଁ ଗଣତାନ୍ତ୍ରିକ ବ୍ୟବସ୍ଥାର ଜୀବନରେଖା । ୧୯୫୦ ମସିହା ଜାନୁଆରୀ ମାସରେ ନିର୍ବାଚନ କମିଶନ ଗଠିତ ହେବାପରେ ସୁକୁମାର ସେନଙ୍କୁ ମାର୍ଚ୍ଚ ମାସରେ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତି ଦିଆଗଲା । ସେତେବେଳେ ସେ ଥାଆନ୍ତି ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ । ତାଙ୍କ ନେତୃତ୍ୱରେ ଦେଶରେ ପ୍ରଥମ (୧୯୫୧-୫୨) ଏବଂ ଦ୍ୱିତୀୟ (୧୯୫୭) ଦୁଇଟି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । 

ମୁଖ୍ୟ ନିର୍ବାଚନ କମିଶନର ସୁକୁମାର ସେନ୍‌ଙ୍କ ନିମନ୍ତେ ୮୫% ଅଶିକ୍ଷିତ ନାଗରିକଙ୍କୁ ଗଣତନ୍ତ୍ର ଓ ନିର୍ବାଚନର ପରିଭାଷା ବୁଝାଇବା ବହୁ ବଡ଼ ଆହ୍ୱାନ ଥିଲା । କେବଳ ସେତିକି ନୁହେଁ, ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ରସମୂହରେ ଜାତୀୟସ୍ତରରେ ଦୁଇଟି ଅବା ତିନୋଟି ଦଳ ନିର୍ବାଚନ ଲଢ଼ୁଥିବାବେଳେ, ଆମ ଦେଶରେ ପ୍ରଥମ ନିର୍ବାଚନରେ ସମୁଦାୟ ୫୩ଟି ପଞ୍ଜିକୃତ ଦଳ ଲୋକସଭାର ୪୮୯ଟି ଆସନ ଏବଂ ସମସ୍ତ ରାଜ୍ୟ ବିଧାନସଭାର ୪୦୦୦ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଜାତୀୟସ୍ତରରେ ମତଦାନ ହାର ଥିଲା ୪୫.୭% ଏବଂ କେରଳର କୋଟ୍ଟ ାୟମ ଜିଲ୍ଲାରେ ଏହା ଥିଲା ସର୍ବାଧିକ ୮୦.୫% । ମିଜୋ ପାହାଡ଼ର ୮୦୦୦ ବର୍ଗମାଇଲ ଅଞ୍ଚଳରେ ୯୨,୦୦୦ ଆଦିବାସୀଙ୍କ ନିମନ୍ତେ ୧୧୩ଟି ମତଦାନ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା । ଏହି ଆଦିବାସୀମାନେ ଦିନସାରା ଜଙ୍ଗଲରେ ଚାଲିଚାଲି ନାଚି ଗାଇ ରାତି ବିତାଇ ପରଦିନ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ । ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ମତଦାନ ହାର ଥିଲା ୭୦% । ସେମାନେ ପାରମ୍ପରିକ ପୋଷାକ ପିନ୍ଧି ହାତରେ ଧନୁ ତୀର ଧରି ମତଦାନ କେନ୍ଦ୍ରରେ ପ୍ରବେଶ କରିଥିଲେ । ଅଥଚ ବମ୍ବେର ସମ୍ଭ୍ରାନ୍ତ ମାଲାବାର ହିଲ୍‌ସ୍‌ ଇଲାକାରେ ଭୋଟଦାନ ହାର ଥିଲା ସର୍ବନିମ୍ନ । ମହିଳା ଭୋଟରଙ୍କ ତାଲିକା ପ୍ରସ୍ତୁତ କରୁଥିବାବେଳେ, ନିର୍ବାଚନ କମିଶନ ବିଚିତ୍ର ପରିସ୍ଥିତିରେ ଉପନୀତ ହୋଇଥିଲେ । ସ୍ଥାନୀୟ ଅଞ୍ଚଳର ପରମ୍ପରା ଅନୁଯାୟୀ କିଛି ମହିଳା ସେମାନଙ୍କ ନିଜ ନାମ ପରିବର୍ତ୍ତେ ସ୍ୱାମୀ ଅବା ସନ୍ତାନଙ୍କ ନାମରେ ନିଜର ପରିଚୟ ପ୍ରଦାନ କରିଥିଲେ । ଏହା ନିର୍ବାଚନ କମିଶନରଙ୍କ ନଜରକୁ ଆସିବା ମାତ୍ରେ ସେହି ତାଲିକା ସଂଶୋଧନ କରିବା ପାଇଁ ସେ ନିର୍ଦ୍ଦେଶନାମା ଜାରି କଲେ ଏବଂ ସେଥିନିମନ୍ତେ ଗୋଟିଏ ମାସ ସମୟ ବୃଦ୍ଧି କରାଗଲା । ତଥାପି କିଛି ମହିଳା ଭୋଟର ତାଲିକା ପ୍ରସ୍ତୁତ କରୁଥିବା ଅପରିଚିତ ବ୍ୟକ୍ତି ଆଗରେ ନିଜର ନାମ ପ୍ରକାଶ କରିବା ପାଇଁ କୁଣ୍ଠା ପ୍ରକାଶ କରିବାରୁ ପ୍ରାୟ ୮କୋଟି ମହିଳାଙ୍କ ମଧ୍ୟରୁ ୨୮ଲକ୍ଷ ମହିଳାଙ୍କ ନାମ ତାଲିକାରୁ ବାଦ୍‌ ପଡ଼ିଥିଲା । 

୧୯୫୧ ମସିହା ଅକ୍ଟୋବର ମାସରେ ଯେତେବେଳେ ଆମ ଦେଶ ଗଣତନ୍ତ୍ରର ମହୋତ୍ସବ ପାଳନ କରୁଥିଲା, ସେହି ଅକ୍ଟୋବର ମାସରେ ପଡ଼ୋଶୀ ପାକିସ୍ତାନର ପ୍ରଧାନମନ୍ତ୍ରୀ ଲିୟାକତ୍‌ ଅଲ୍ଲୀ ଖାଁ ରାଜନୈତିକ ହିଂସାରେ ଆକ୍ରାନ୍ତ ହୋଇ ଆତତାୟୀର ଗୁଳିରେ ନିହତ ହୋଇଥିଲେ । ସେହି ସମୟରୁ ପାକିସ୍ତାନ ସେନା କବଳକୁ ଆସିଗଲା ଯେ, ଏପର୍ଯ୍ୟନ୍ତ ମୁକ୍ତ ହୋଇପାରିନାହିଁ । ସ୍ୱାଧୀନତାର ସାତ ଦଶନ୍ଧିରୁ ଊଦ୍ଧ୍ୱର୍କାଳ ମଧ୍ୟରେ ପାକିସ୍ତାନର କୌଣସି ପ୍ରଧାନମନ୍ତ୍ରୀ ପାଞ୍ଚବର୍ଷ ଶାସନକାଳ ପୂର୍ଣ୍ଣ କରିନାହାନ୍ତି, ଅଥଚ ଭାରତରେ ଗଣତନ୍ତ୍ରର ଜୟଯାତ୍ରା ଅବ୍ୟାହତ ରହିଛି । ପ୍ରଥମ ନିର୍ବାଚନ ସମାପ୍ତ ହେବାପରେ ମୁଖ୍ୟ ନିର୍ବାଚନ କମିଶନର ସୁକୁମାର ସେନ ତାଙ୍କ ରିପୋର୍ଟରେ ଯାହା ଉଲ୍ଲେଖ କରିଥିଲେ ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ “ପ୍ରାଚୀନ ଭାରତରେ ଗଣତାନ୍ତ୍ରିକ ପରମ୍ପରା ସୁଦୃଢ଼ ଥିଲା । ବିଦେଶୀ ଶାସନକାଳରେ ଏହା ଲୁପ୍ତପ୍ରାୟ ସ୍ଥିତିରେ ଉପନୀତ ହୋଇଥିଲା । ସମ୍ବିଧାନ ଆଧାରରେ ପ୍ରାପ୍ତବୟସ୍କ ସମସ୍ତ ନାଗରିକଙ୍କୁ ଭୋଟ ଅଧିକାର ପ୍ରଦାନ କରିବା ସହିତ ଦେଶରେ ଗଣତାନ୍ତ୍ରିକ ସଂସଦୀୟ ସରକାର ପ୍ରତିଷ୍ଠା ନିଷ୍ପତ୍ତି ଏକ ଐତିହାସିକ ପଦକ୍ଷେପ । ଏହି ପଦକ୍ଷେପ ପ୍ରାଚୀନ ଭାରତର ଅନ୍ତଃସ୍ୱର ସହିତ ଆମକୁ ଯୋଡ଼ିବାରେ ସମର୍ଥ ହୋଇଛି” । ବର୍ତ୍ତମାନ ସମୟରେ ନିର୍ବାଚନ ଏକ ଉତ୍ସବରେ ପରିଣତ ହୋଇଛି । ଅଧିକରୁ ଅଧିକ ନାଗରିକ ଏଥିରେ ସାମିଲ ହେଉଛନ୍ତି । ବିଶେଷ କରି ଯୁବ ଭୋଟରମାନଙ୍କୁ ନିଜର ମତାଧିକାର ସାବ୍ୟସ୍ତ କରିବା ସକାଶେ ପ୍ରୋତ୍ସାହିତ କରାଯାଉଛି । ବୟସ୍କ ଓ ଦିବ୍ୟାଙ୍ଗ ଭୋଟରମାନଙ୍କ ନିମନ୍ତେ ସୁଦ୍ଧା ମତଦାନ ସକାଶେ ବିଶେଷ ବ୍ୟବସ୍ଥା କରାଯାଉଛି । ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବା ସକାଶେ ପ୍ରତ୍ୟେକ ନାଗରିକ ଗର୍ବ ଓ ଗୌରବ ଅନୁଭବ କରିବା ଉଚିତ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.