ଭୁବନେଶ୍ୱର,୦୩/୦୬: ଆସନ୍ତା ୪ ତାରିଖରେ ହେବ ଭୋଟ୍ ଗଣତି । ଏହାପୂର୍ବରୁ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ନିକୁଞ୍ଜ ବିହାରୀ ଧଳ ।
ଶ୍ରୀ ଧଳ କହିଛନ୍ତି, ଚଳିତ ସାଧାରଣ ନିର୍ବାଚନ ବେଳେ ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ରାଜ୍ୟରେ ରେକର୍ଡ ସଂଖ୍ୟକ ୧୮୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳ (ସିଏପିଏଫ୍) ମୁତୟନ ହୋଇଥିଲେ । ରାଜ୍ୟରେ ଚାରି ପର୍ଯ୍ୟାୟ ମତଦାନ ସରିବା ପରେ ଏହା ମଧ୍ୟରୁ କେବଳ ୨୫ କମ୍ପାନୀ ସିଏପିଏଫ୍ ଇଭିଏମ୍ ଷ୍ଟ୍ରଙ୍ଗରୁମ୍ ଓ ଗଣତି କେନ୍ଦ୍ର (କାଉଣ୍ଟିଂ ସେଣ୍ଟର)ରେ ମୁତୟନ ହୋଇଛନ୍ତି । ମାତ୍ର ଏବେ ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ଏବଂ ପ୍ରତ୍ୟେକ ଗଣତି କେନ୍ଦ୍ରର ସୁରକ୍ଷା ପାଇଁ ଆହୁରି ୭୦ କମ୍ପାନୀ ସିଏପିଏଫ୍ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ମୁତୟନ ରହିବେ ବୋଲି ଶ୍ରୀ ଧଳ ସୂଚନା ଦେଇଛନ୍ତି ।
ଚଳିତ ନିର୍ବାଚନ ସମୟରେ ବିଭିନ୍ନ ସ୍ଥାନରେ ବୁଥ୍ ଭିତରେ ଓ ବାହାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ପୁଣି ଭୋଟ୍ ଗଣତି ପରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ବୟାନବାଜି ଓ ହିଂସାକାଣ୍ଡ ଘଟିବାର ସମ୍ଭାବନା ରହିଛି । ଯାହାକୁ ଆଖି ଆଗରେ ରଖି ସିଇଓ ବ୍ୟାପକ ବ୍ୟବସ୍ଥା କରିବା ସହିତ ରାଜ୍ୟ ପୁଲିସକୁ ମଧ୍ୟ ପ୍ରସ୍ତୁତ ରହିବାକୁ କହିଛନ୍ତି । ଗତକାଲି ଶେଷ ପର୍ଯ୍ୟାୟ ନିର୍ବାଚନ ବେଳେ ସାଲେପୁର ମାଳଶାସନରେ ବୁଥ୍ ଭିତରେ ପନିକିରେ ଆକ୍ରମଣ ଯୋଗୁଁ ବିଜେପି ପ୍ରାର୍ଥୀଙ୍କ ଏଜେଣ୍ଟ ଗୁରୁତର ଆହତ ହୋଇଥିଲେ । ନିଆଳି ଜଲାରପୁରରେ ହାତାହାତି ଯୋଗୁଁ ଜଣେ ବିଜେଡି କର୍ମୀ ଆହତ ହୋଇ ମେଡିକାଲ୍ରେ ଭର୍ତ୍ତି ହୋଇଥିଲେ ।
ମାହାଙ୍ଗା ପଣସପୁର, କୁଣ୍ଡି ଓ ହଳଦିଆଠାରେ ମତଦାନ ସମୟରେ ମାର୍ପିଟ୍ ହୋଇଥିଲା । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ନୀଳକଣ୍ଠପୁର ପଞ୍ଚାୟତର ୩୫ ନମ୍ୱର ବୁଥ୍ରେ ବିଜେପି ଜୋନ୍ ସଭାପତିଙ୍କୁ ଛୁରାମାଡ଼ ହେବା ସହ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହୋଇଥିଲା । ଏଭଳି ବିଭିନ୍ନ ସ୍ଥାନରେ ଘଟିଥିବା ବହୁ ରାଜନୈତିକ ହିଂସାକାଣ୍ଡ ମାମଲାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନମଣ୍ଡଳୀର ତାଳପଦା, ବାମନବିନ୍ଧା ଓ ଦୋବଲ ପଞ୍ଚାୟତରେ ମଧ୍ୟ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ତାଳପଦାରେ ଚେୟାର୍ ଫିଙ୍ଗାଫିଙ୍ଗି ଓ ହାତାହାତି ହୋଇଥିବା ବେଳେ ଚାନ୍ଦବାଲି ଓ ଭଣ୍ଡାରପୋଖରୀରେ ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳ ସଂଘର୍ଷ ହୋଇଥିଲା । ଏହି ସବୁ ପରିସ୍ଥିତିକୁ ଦେଖି ନିର୍ବାଚନ ପରବର୍ତ୍ତୀ ହିଂସାକୁ ରୋକିବାକୁ ସିଇଓ ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି ।