ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଫେଲ୍‌ ମାରିଲା ଏଗ୍‌ଜିଟ୍‌ ପୋଲ୍‌, ହିରୋ ସାଜିଲେ ରାହୁଲ

ନୂଆଦିଲ୍ଲୀ, ୦୫/୦୬ : ଜୁନ୍‌ ୧ରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ ପରେ ଏଗ୍‌ଜିଟ୍‌ ପୋଲ୍‌ ରିପୋର୍ଟ ପ୍ରକାଶ ପାଇଥିଲା । ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ୩୫୦-୪୦୦ ଆସନ ପାଇ ତୃତୀୟ ଥର ପାଇଁ ସରକାର ଗଢ଼ିବ ବୋଲି ଅଧିକାଂଶ ଏଜେନ୍ସି ଆକଳନ କରିଥିଲେ । ବିଜେପି ଏକାକୀ ୩୦୦ ପାର୍‌ କରିବା ନେଇ କୁହାଯାଇଥିଲା । ଏ ସମସ୍ତ ଆକଳନ ଫେଲ୍‌ ମାରିଛି । ଏନ୍‌ଡିଏ ୩୦୦ ଡେଇଁପାରି ନାହିଁ । ବିଜେପି ଏଥର ଏକକ ବହୁମତ ପାଇବାରେ ବି ବିଫଳ ହୋଇଛି । ୟୁପିରେ ଥିବା ମୋଟ ୮୦ ଲୋକସଭା ଆସନରୁ ଏନ୍‌ଡିଏ ପ୍ରାୟ ୬୦ରୁ ୭୪ଟି ପାଇବା ନେଇ ଏଗ୍‌ଜିଟ୍‌ ପୋଲ୍‌ରେ ଅନୁମାନ ଲଗାଯାଇଥିଲା । ତାହା ବି ଭୁଲ ପ୍ରମାଣିତ ହୋଇଛି । 

ରାଜ୍ୟରେ ଏଥର ସପା ଓ କଂଗ୍ରେସ ମେଣ୍ଟକୁ ସର୍ବାଧିକ ଆସନ ମିଳିଛି । ପଶ୍ଚିମବଙ୍ଗର ମୋଟ ୪୨ ଆସନରୁ ବିଜେପି ଗଲାଥର ୧୮ଟି ପାଇଥିଲା ବେଳେ ଏଥର ଏହା ପାର୍‌ କରିଯିବା ନେଇ ଏଗ୍‌ଜିଟ୍‌ ପୋଲ୍‌ରୁ ଜଣାପଡ଼ିଥିଲା । କିନ୍ତୁ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ୩୧ ଆସନରେ ଆଗୁଆ ରହିଥିବା ବେଳେ ବିଜେପି କେବଳ ୧୦ଟିରେ ସୀମିତ ରହିଛି । ତେବେ ଦିଲ୍ଲୀ ପାଇଁ ହୋଇଥିବା ଏଗ୍‌ଜିଟ୍‌ ପୋଲ୍‌ ଆକଳନ ମୋଟାମୋଟି ଭାବେ ସତ ପ୍ରମାଣିତ ହୋଇଛି । ଏଠାରେ ବିଜେପି ସମସ୍ତ ୭ଟି ଲୋକସଭା ଆସନ ଜିତିନେଇଛି । ହରିଆଣାରେ ବିଜେପିକୁ ଆକଳନ ଅନୁସାରେ ସଫଳତା ମିଳିନାହିଁ । ତେବେ ମଧ୍ୟ ପ୍ରଦେଶରେ ଆକଳନ ସତ ହୋଇଛି । ଅନ୍ୟପକ୍ଷରେ ରାଜସ୍ଥାନରେ ଏଗ୍‌ଜିଟ୍‌ ପୋଲ୍‌ର ବିପରୀତ ଘଟିଛି । ଏଠାରେ ବିଜେପି ୨୩ ପର୍ଯ୍ୟନ୍ତ ଆସନ ପାଇବା ନେଇ ଆକଳନ ହୋଇଥିଲା । କିନ୍ତୁ ଦଳ ଏଠାରେ ପଛରେ ପଡ଼ିଯାଇଛି ।

୨୦୨୪ ଲୋକସଭା ନିର୍ବାଚନରେ ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଟ ଯଦି ଅଧିକ ଆସନ ପାଇଥାଏ, ତାହା ପଛରେ ସବୁଠୁ ବଡ଼ ହାତ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ରହିଛି ବୋଲି କୁହାଯିବ । ‘ପପ୍ପୁ’ ଟ୍ୟାଗ୍‌ରୁ ବିରୋଧୀଙ୍କ ଶାଣିତ ସ୍ୱର ସାଜିଥିଲେ ସେ । ଶାସକ ଦଳ ବିଜେପିକୁ ଜବାବ ଦେବାରେ ସେ କୌଣସି ସୁଯୋଗ ହାତଛଡ଼ା କରି ନ ଥିଲେ । ସେତିକି ନୁହେଁ, କଂଗ୍ରେସକୁ ଏଥର ପାଖାପାଖି ଦୁଇଗୁଣା ଅଧିକ ଆସନ ଦେବାରେ ସେ ସବୁଠୁ ବଡ଼ ଭୂମିକା ନିଭାଇଛନ୍ତି । ୨୦୧୯ରେ କଂଗ୍ରେସକୁ ୫୨ଟି ଆସନ ମିଳିଥିଲା ବେଳେ ଏଥର ଏହା ପ୍ରାୟ ୧୦୦ରେ ପହଞ୍ଚିଛି । ଏନ୍‌ଡିଏର ‘୪୦୦ ପାର୍‌’ ଆଶାକୁ ଧୂଳିସାତ୍‌ କରିଦେଇଛନ୍ତି ରାହୁଲ । ରାହୁଲ ଏଥର ଦୁଇଟି ଆସନରୁ ଲଢ଼ି ବିଜୟୀ ବି ହୋଇଛନ୍ତି । ଏହି ସଫଳତା ପାଇବା ରାହୁଲଙ୍କ ପାଇଁ ସହଜ ନଥିଲା । 

ଲୋକସଭା ନିର୍ବାଚନର ଦୁଇବର୍ଷ ପୂର୍ବରୁ ଅର୍ଥାତ ୨୦୨୨ ସେପ୍ଟେମ୍ବର ୭ରେ ରାହୁଲ ଗାନ୍ଧୀ ତାମିଲନାଡୁର କନ୍ୟାକୁମାରୀରୁ ‘ଭାରତ ଯୋଡ଼ୋ ଯାତ୍ରା’ ଆରମ୍ଭ କରିଥିଲେ । ଏହି ପଦଯାତ୍ରା ୧୨ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳ ଦେଇ ୩,୫୭୦ କିଲୋମିଟର ଅତିକ୍ରମ କରିଥିଲା । ୧୩୬ ଦିନର ଏହି ଯାତ୍ରାରେ ରାହୁଲ ୧୨ ସଭା କରିଥିଲେ । ଶତାଧିକ ବୈଠକ ଏବଂ ୧୩ ସାମ୍ବାଦିକ ସମ୍ମିଳନୀ କରିଥିଲେ । ୨୦୨୩ ମାର୍ଚ୍ଚ ୨୩ରେ ସୁରଟ କୋର୍ଟ ମାନହାନି ମାମଲାରେ ରାହୁଲଙ୍କୁ ୨ ବର୍ଷ ଜେଲଦଣ୍ଡ ଶୁଣାଇଥିଲେ । ଏହାର ପରଦିନ ତାଙ୍କର ଲୋକସଭା ସଦସ୍ୟତା ଚାଲିଯାଇଥିଲା । ସବୁ ମୋଦି ସାଙ୍ଗିଆ ଚୋର ବୋଲି ସେ କହି ବିବାଦ ସୃଷ୍ଟି କରିଥିଲେ । ତେବେ ପୁଣି ରାହୁଲ ତାଙ୍କ ସଦସ୍ୟତା ଫେରିପାଇଥିଲେ । ଏହାପରେ ୨୦୨୪ ଜାନୁଆରୀ ୧୪ରେ ମଣିପୁରର ଥାଉବଲ୍‌ରୁ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆରମ୍ଭ କରିଥିଲେ ରାହୁଲ । ୬୬ ଦିନ ଏବଂ ୬୩୦୦ କିମିର ଏହି ଯାତ୍ରାରେ ସେ ଲୋକଙ୍କ ନିକଟକୁ ଯାଇଥିଲେ । ସେମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ । ୧୫ ରାଜ୍ୟର ୧୧୦ ଜିଲ୍ଲାରେ ସେ ବୁଲିଥିଲେ । ନ୍ୟାୟ ଯାତ୍ରା ଜରିଆରେ ସେ ୩୫୫ ଲୋକସଭା ଆସନ ଉପରେ ଫୋକସ କରିଥିଲେ । ୨୦୧୯ ନିର୍ବାଚନରେ ବିଜେପି ଏଥିରୁ ୨୩୬ଟି ଜିତିଥିଲା ବେଳେ କଂଗ୍ରେସ ମାତ୍ର ୧୪ରେ ଜିତିଥିଲା । ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ନିର୍ବାଚନ ପୂର୍ବରୁ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକୁ ଏକତ୍ର କରିବାରେ ସହାୟକ ହୋଇଥିଲା । 

୨୦୨୪ ଲୋକସଭା ନିର୍ବାଚନରେ ରାହୁଲ ୧୦୬ ଜନସଭା ଏବଂ ରୋଡ ସୋ’ କରିଥିଲେ । ସେ ନିଜ ଭାଷଣରେ ଲଗାତର ଭାବେ ଦରଦାମ ବୃଦ୍ଧି, ବେକାରୀ, ସଂରକ୍ଷଣ ଏବଂ ସମ୍ବିଧାନ ସୁରକ୍ଷା ଭଳି ପ୍ରସଙ୍ଗ ଉଠାଇଥିଲେ । ଜନସଭାରେ ବିପୁଳ ଜନସମାଗମ ହୋଇଥିଲା ଏବଂ ସୋସିଆଲ ମିଡିଆରେ ଲୋକପ୍ରିୟତା ବଢ଼ିଥିଲା । ଏପ୍ରିଲ ୧ରୁ ମେ ୨୦ ମଧ୍ୟରେ ହୋଇଥିବା ଏକ ବିଶ୍ଳେଷଣ ମୁତାବକ ଇନ୍‌ଷ୍ଟାଗ୍ରାମରେ ତାଙ୍କର ଫଲୋଅର ସଂଖ୍ୟା ପ୍ରଧାନମନ୍ତ୍ରୀ ମୋଦିଙ୍କ ତୁଳନାରେ ଦୁଇଗୁଣା ଅଧିକ ଦ୍ରୁତ ବେଗରେ ବଢ଼ିଥିଲା । ୟୁଟ୍ୟୁବରେ ବି ଏପ୍ରିଲ ୨୧ରୁ ମେ ୨୨ ମଧ୍ୟରେ ରାହୁଲଙ୍କୁ ମୋଦିଙ୍କ ତୁଳନାରେ ୨୧ କୋଟି ଅଧିକ ଭ୍ୟୁ ମିଳିଥିଲା । ରାଜନୈତିକ ବିଶେଷଜ୍ଞ ଅଭୟ ଦୁବେଙ୍କ ମୁତାବକ ସୋସିଆଲ ମିଡିଆ ପ୍ଲାଟଫର୍ମରେ କୌଣସି ନେତାଙ୍କୁ ଯଦି ଲୋକପ୍ରିୟତା ମିଳେ, ତେବେ ତାଙ୍କୁ ରାଜନୈତିକ ଫାଇଦା ମିଳିଥାଏ । ରାହୁଲଙ୍କ କ୍ଷେତ୍ରରେ ତାହା ହିଁ ହୋଇଛି । ସିଏସ୍‌ଡିଏସ୍‌ର ପ୍ରଫେସର ତଥା ରାଜନୈତିକ ବିଶେଷଜ୍ଞ ସଞ୍ଜୟ କୁମାରଙ୍କ ମୁତାବକ ଯଦି ଶାସକ ପକ୍ଷରେ ପ୍ରଧାନମନ୍ତ୍ରୀ ମୋଦି ଅଛନ୍ତି, ତେବେ ରାହୁଲ ଗାନ୍ଧୀ ବିରୋଧୀଙ୍କର ସବୁଠୁ ବଡ଼ ନେତା । ପଦଯାତ୍ରା କରି ରାହୁଲ ଲୋକଙ୍କ ସହ ସିଧାସଳଖ ଯୋଡ଼ି ହୋଇଥିଲେ । ଲଗାତର ହାରି ସୁଦ୍ଧା ସେ ମଜଭୁତ ହୋଇ ଛିଡ଼ା ହୋଇ ରହିଥିଲେ। ଏହି ତମାମ କାରଣରୁ ରାହୁଲ ଆଜି ବିରୋଧୀଙ୍କୁ ବଡ଼ ସଫଳତା ପ୍ରଦାନ କରିଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.