ଦେବଗଡ଼, ୨୬।୩: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଟିଙ୍କବୀର ଗାଁରେ ମଙ୍ଗଳବାର ପଡ଼ୋଶୀଙ୍କ ଟାଙ୍ଗିଆ ଚୋଟରେ ବାପା ଓ ପୁଅ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଟିଙ୍କବୀର ଗାଁର ୬୨ ବର୍ଷୀୟ ମନୁ ସାହୁ ଓ ୪୪ ବର୍ଷୀୟ ଲୋକନାଥ ସାହୁ । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ସେମାନଙ୍କ ପଡ଼ୋଶୀ ବାପା ଓ ପୁଅ ମିଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଲୋକନାଥ ମଟରସାଇକଲ ଯୋଗେ ତାଙ୍କ ବାପା ମନୁ ସାହୁଙ୍କୁ ନେଇ ହକି ଫିଲ୍ଡ ନିକଟରେ ଥିବା ସେମାନଙ୍କ ଚାଷ ଜମିକୁ ଯାଉଥିବା ବେଳେ ପୂର୍ବରୁ ଛକି ବସିଥିବା ଦୁଇ ଆକ୍ରମଣକାରୀ ବାପା ମିଟୁ ଧଳ ଓ ପୁଅ ପପୁ ଧଳ ଟାଙ୍ଗିଆ ସାହାଯ୍ୟରେ ସେମାନଙ୍କୁ ଆକ୍ରମଣ କରିଥିଲେ ।
ଆକ୍ରମଣ ପରେ ଉଭୟ ବାପା ଓ ପୁଅ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରେ ପଡ଼ିଥିବା ବେଳେ ପରିବାର ଲୋକେ ସେମାନଙ୍କୁ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଉଭୟଙ୍କୁ ଦେବଗଡ଼ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଉଚ୍ଚ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ରିଆମାଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅଭିଯୁକ୍ତ ବାପା ମିଟୁ ଧଳକୁ ପୋଲିସ ଧରିବା ପରେ ଅଧିକ ପଚରାଉଚୁରା କରୁଛନ୍ତି ।