ନୂଆଦିଲ୍ଲୀ: ଗୁରୁବାର କେନ୍ଦ୍ର ସରକାର ୧୫୬ ଫିକ୍ସଡ ଡୋଜ୍ କମ୍ବିନେସନ (FDC) ଔଷଧ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏଥିରେ ଆଣ୍ଟିବାୟୋଟିକ୍, ପେନ୍ କିଲର ଏବଂ ମଲ୍ଟିଭିଟାମିନ୍ ଔଷଧ ଅନ୍ତର୍ଭୁକ୍ତ ରହିଛି । ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଔଷଧ ଗୁଡ଼ିକ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏହି ଔଷଧର ଉତ୍ପାଦନ, ବିକ୍ରୟ ଏବଂ ବିତରଣ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛି ।
ନିଷିଦ୍ଧ ହୋଇଥିବା ଏଫଡିସି ଔଷଧରେ ଆଣ୍ଟିବାୟୋଟିକ୍, ଆଣ୍ଟି-ଆଲର୍ଜି, ପେନ କିଲର, ମଲ୍ଟିଭିଟାମିନ୍ ଏବଂ ଜ୍ୱର ଏବଂ ଉଚ୍ଚ ରକ୍ତଚାପ ପାଇଁ ଉଧିଷ୍ଟ ଔଷଧ ଅନ୍ତର୍ଭୁକ୍ତ ରହିଛି। ଡ୍ରଗ ଟେକନିକ ଆଡଭାଇଜର ବୋର୍ଡ (DTAB) ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ବିଶେଷଜ୍ଞ କମିଟିର ସୁପାରିଶ ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ବିଜ୍ଞପ୍ତିରେ କୁହାଯାଇଛି ।
କେନ୍ଦ୍ର ସରକାର ଏବଂ DTAB ଦ୍ୱାରା ନିଯୁକ୍ତ ଏକ ବିଶେଷଜ୍ଞ କମିଟି ଦ୍ୱାରା ଏହି ଘଟଣାର ଅନୁସନ୍ଧାନ କରାଯାଇଥିଲା । ଏଥିରେ ଉଭୟ ସଂସ୍ଥା ପରାମର୍ଶ ଦେଇଛନ୍ତି ଯେ, ଏଫଡିସିରେ ଯୋଗ କରାଯାଇଥିବା ରାସାୟନିକ ପଦାର୍ଥ ପାଇଁ କୌଣସି ଚିକିତ୍ସା ଯଥାର୍ଥତା ନାହିଁ।
ତାଲିକାରେ ପ୍ରମୁଖ ଏଫଡିସି ଔଷଧ ଗୁଡିକ ଭିତରେ ମେଫେନାମିକ୍ ଏସିଡ୍ ମଧ୍ୟ ସାମିଲ ରହିଛି । ଏହି ଔଷଧ ବିଭିନ୍ନ ଅବସ୍ଥାରେ ଯନ୍ତ୍ରଣା ଏବଂ ଫୁଲା କମାଇବା ପାଇଁ ବ୍ୟବହୃତ ହୁଏ । ଓମେପ୍ରାଜୋଲ ମ୍ୟାଗ୍ନେସିୟମ୍ ଏବଂ ଡାୟସାଇକ୍ଲୋମାଇନ୍ ଏଚସିଏଲ ସପ୍ଲିମେଣ୍ଟସ୍, ଏହା ପେଟ ଯନ୍ତ୍ରଣାକୁ ଚିକିତ୍ସା କରିବା ପାଇଁ ବ୍ୟବହୃତ ହୁଏ ।
ତେବେ ଅନ୍ୟାନ୍ୟ FDC ଗୁଡ଼ିକରେ ଅର୍ସୋଡିଆକ୍ସିକୋଲିକ ଏବଂ ମେଟଫର୍ମିନ୍ ଏଚସିଏଲ ସପ୍ଲିମେଣ୍ଟ ଅନ୍ତର୍ଭୁକ୍ତ । ମଧୁମେହରେ ପୀଡିତ ଲୋକଙ୍କ ଠାରେ ଫ୍ୟାଟି ଲିଭରର ଚିକିତ୍ସା ପାଇଁ ଏହା ବ୍ୟବହୃତ ହୁଏ । ଚର୍ମ ସଂକ୍ରମଣକୁ ରୋକିବା ଏବଂ ଚିକିତ୍ସା ପାଇଁ ପୋଭିଡୋନ୍ ଆୟୋଡିନ୍, ମେଟ୍ରୋନିଡାଜୋଲ୍ ଏବଂ ଆଲୋ ସପ୍ଲିମେଣ୍ଟସ୍ ମଧ୍ୟ ବ୍ୟବହୃତ ହୁଏ।
ମନ୍ତ୍ରଣାଳୟ କହିଛି ଯେ ଏହି FDC ର ବ୍ୟବହାର ବହୁ ସଂଖ୍ୟକ ଲୋକଙ୍କୁ ବିପଦରେ ପକାଇପାରେ, ଯଦିଓ ଔଷଧର ନିରାପଦ ବିକଳ୍ପ ଉପଲବ୍ଧ ଅଛି । ବିଜ୍ଞପ୍ତିରେ କୁହାଯାଇଛି ଯେ DTAB ଏହି ଔଷଧ ଗୁଡିକର ଦାବିକୁ ଯଥାର୍ଥ ବୋଲି ଖୋଜି ପାଇଲା ନାହିଁ । ଏହା ସହିତ ମନ୍ତ୍ରଣାଳୟ କହିଛି ଯେ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଡ୍ରଗ୍ସ ଏବଂ କସମେଟିକ୍ସ ଆକ୍ଟ 1940 ର ଧାରା 26A ଅନୁଯାୟୀ ଏହି FDC ର ଉତ୍ପାଦନ, ବିକ୍ରୟ କିମ୍ବା ବଣ୍ଟନକୁ ନିଷେଧ କରିବା ଜରୁରୀ ହୋଇପଡିଛି ।