ଭୁବନେଶ୍ୱର,୩୧/୦୩: ରାଜଧାନୀ ରାଜରାସ୍ତାରେ ‘ହିଟ୍ ଆଣ୍ଡ ରନ୍’ ଦୁର୍ଘଟଣାରେ ଜଣେ ଚା’ ଦୋକାନୀଙ୍କ ଜୀବନ ଯାଇଛି । ସହିଦ୍ନଗର ଥାନା ପଣ୍ଡା ପାର୍କ କଡ଼ରେ ଏକ ଦ୍ରୁତଗାମୀ କାରର ବେପରୁଆ ଗାଡି ଚାଳନାରୁ ଏହି ଅଘଟଣ ଘଟିଛି । ସହିଦ୍ନଗର ଥାନା ପୁଲିସ କାରକୁ ଜବତ କରିଛି । ବଡ଼ କଥା ହେଲା, ଦୁର୍ଘଟଣା ଘଟାଇଥିବା କାର ସହ କଟକର ଜଣେ ବିଧାୟକଙ୍କ ଲିଙ୍କ୍ ଥିବା ସୁରାକ୍ ମିଳିଛି । ଏ ନେଇ ପୁଲିସ ତନାଘନା କରୁଛି ।
ଯାଜପୁର ଜିଲ୍ଲା ସୁନାପାଳ ବିଞ୍ଝାରପୁର ଅଞ୍ଚଳ ଦିଲ୍ଲୀପ ପରିଡ଼ାଙ୍କ ସହିଦ୍ନଗର ପଣ୍ଡା ପାର୍କ ପାଚେରିକୁ ଲାଗି ଏକ ଚା’ଦୋକାନ ରହିଛି । ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀପ ନିଜ ଦୋକାନକୁ ଚାଲିକରି ଯାଉଥିଲେ । ଏକ ଦାମୀ କାର (ଓଡି୩୩ଏକେ ୬୮୮୮) ଦ୍ରୁତଗତିରେ ଆସି ତାଙ୍କୁ ପଛ ଆଡୁ ଶକ୍ତ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ଦିଲ୍ଲୀପଙ୍କ ପ୍ରାଣବାୟୁ ଉଡି ଯାଇଥିଲା । ଦୁର୍ଘଟଣା ଘଟାଇ କାରଟି ସେଠାରୁ ଦ୍ରୁତଗତିରେ ଖସି ପଳାଇଥିଲା । ପୁଲିସ ମୃତଦେହ ଜବତ କରି ନଂ. ୧୯୦/୨୪ରେ ଏକ ହିଟ୍ ଆଣ୍ଡ ରନ୍ ମାମଲା କରିଛି ।
ଦିଲ୍ଲୀପଙ୍କୁ ଧକ୍କା ଦେଇଥିବା କାର୍କୁ ଜବତ କରାଯାଇଛି । ପୁଲିସ କାର ଚାଳକକୁ ଅଟକ ରଖିଛି । ତେବେ ଦୁର୍ଘଟଣା ବେଳେ କାର୍ କିଏ ଚଳାଉଥିଲା ସେ ନେଇ ତଦନ୍ତ ଚାଲିଛି । ପୁଲିସ ଦୁର୍ଘଟଣା ଘଟିଥିବା ସ୍ଥାନର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି । ଭୁବନେଶ୍ୱର ଆରଟିଓ-୧ର ଏମ୍ଭିଆଇ ଜବତ କାରକୁ ଯାଞ୍ଚ କରିଛନ୍ତି । ତଦନ୍ତରୁ ଜଣାପଡ଼ିଛି ଯେ ଦାମୀ କାର ସହ କଟକର ଜଣେ ବିଧାୟକଙ୍କ ଲିଙ୍କ୍ ରହିଛି । ଏହାର କାରଣ ହେଉଛି ଉକ୍ତ କାରଟି ଏକ ଘରୋଇ ସଂସ୍ଥା ନାଁରେ ରହିଛି । ଆଉ ଉକ୍ତ ସଂସ୍ଥାଟି କଟକର ଜଣେ ଚର୍ଚ୍ଚିତ ବିଧାୟକଙ୍କର ବୋଲି ତଥ୍ୟ ମିଳିଛି ।
ଅନ୍ୟପକ୍ଷେ ବ୍ୟବଚ୍ଛେଦ ପରେ ଦିଲ୍ଲୀପଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଦିଲ୍ଲୀପଙ୍କ ପରିବାର କହିଲେ, ସ୍ତ୍ରୀଙ୍କ ସହ ଗୋଟିଏ ପୁଅ ଓ ଝିଅ । ଚା’ ଦୋକାନରୁ କଷ୍ଟେମଷ୍ଟେ ସେ ପରିବାର ଚଳାଉଥିଲେ । ଏବେ ତାଙ୍କ ପରିବାର ବେସାହାରା ହୋଇପଡ଼ିଛି। ସେମାନଙ୍କୁ କ୍ଷତିପୂରଣ ଦେବାକୁ ପରିବାର ଲୋକେ ଓ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।