ଭୁବନେଶ୍ୱର,୧୦/୦୯: ରାଜ୍ୟରେ ଉଚ୍ଚ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟୟମୁହାଁ ହେଲାଣି । ବିଶ୍ୱବିଦ୍ୟାଳୟରେ ପ୍ରତିବର୍ଷ ଅଧ୍ୟାପକ ଓ ଅଣଅଧ୍ୟାପକ କର୍ମଚାରୀ ଅବସର ନେଉଛନ୍ତି । ହେଲେ ନୂଆ ନିଯୁକ୍ତି ହୋଇପାରୁନି । ଅଧ୍ୟାପକ ପଦ ଯେତିକି ଖାଲି ପଡ଼ିଛି ତାଠୁ ଅଧିକ ଚିନ୍ତା ବଢ଼ାଇଲାଣି ଅଣ ଅଧ୍ୟାପକ ତଥା କର୍ମଚାରୀ ପଦ । ରାଜ୍ୟରେ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଏବେ ୬୨ ପ୍ରତିଶତ ଅଧ୍ୟାପକ ପଦ ଖାଲି ପଡ଼ିଛି । ସେହିପରି ୭୩% କର୍ମଚାରୀ ପଦବି ମଧ୍ୟ ଖାଲି ପଡ଼ିଛି । ବିନା କର୍ମଚାରୀରେ ପ୍ରଶାସନିକ କାର୍ଯ୍ୟ ହେବ କେମିତି?
ଗୋଟିଏ ବିଶ୍ୱବିଦ୍ୟାଳୟକୁ ଅଧ୍ୟାପକ ଯେତିକି ଜରୁରୀ, ବିଶ୍ୱବିଦ୍ୟାଳୟର ପରିଚାଳନା କାର୍ଯ୍ୟ ପାଇଁ ଅଣଅଧ୍ୟାପକଙ୍କ ଆବଶ୍ୟକତା ସେତିକି ରହିଛି । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ୧୭ଟି ବିଶ୍ୱବିଦ୍ୟାଳୟ ରହିଛି । ଏଥିପାଇଁ ସରକାର ୧୯୧୧ ଅଧ୍ୟାପକ ପଦବୀ ମଞ୍ଜୁରୀ କରିଛନ୍ତି। ଏଥିରୁ ମାତ୍ର ୭୨୪ ଜଣ କାର୍ଯ୍ୟରତ ଥିବା ବେଳେ ବାକି ୧୧୮୭ ପଦବି ଖାଲି ପଡ଼ିଛି । ଅର୍ଥାତ୍ ୬୨.୧୧ ପ୍ରତିଶତ ଅଧ୍ୟାପକ ପଦବି ଖାଲି। ସେହିପରି ମୋଟ ୨୯୬୯ଟି ମଞ୍ଜୁରୀପ୍ରାପ୍ତ ଅଣ ଶିକ୍ଷକ ତଥା କର୍ମଚାରୀ ପଦବି ମଞ୍ଜୁର ରହିଛି । ହେଲେ କାର୍ଯ୍ୟରତ ଅଛନ୍ତି ୮୧୬ ଜଣ । ଆହୁରି ୨୧୫୩ ପଦବି ଖାଲି ପଡ଼ିଛି ।
ଉତ୍କଳ ବିଶ୍ୱବିଦ୍ୟାଳୟରେ ୯୮୦ ମଞ୍ଜୁରୀପ୍ରାପ୍ତ ପଦବିରୁ ୭୫୯ଟି ଖାଲି ପଡ଼ିଛି । ଅର୍ଥାତ୍ ୭୭ ପ୍ରତିଶତ ପଦ ଖାଲି ପଡ଼ିଛି । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୧୦୧ ମଞ୍ଜୁରୀପ୍ରାପ୍ତ ପଦବିରୁ ମାତ୍ର ୧୩ ଜଣ କାର୍ଯ୍ୟ କରୁଥିବା ବେଳେ ୮୮ ଜଣ ନାହାନ୍ତି । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୧୭୫ ଅଣଅଧ୍ୟାପକ ପଦବିରୁ ୧୬୨ ଖାଲି ପଡ଼ିଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୪୩୧ ପଦବିରୁ ୨୬୫, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୫୨୭ରୁ ୩୩୦ ପଦବି ଖାଲି ପଡ଼ିଛି । କଳାହାଣ୍ଡିର ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ୮୭ ପଦବି ମଞ୍ଜୁର ହୋଇଥିବା ବେଳେ ମାତ୍ର ୭ ଜଣରେ କାର୍ଯ୍ୟ ଚାଲୁଛି ।
ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ୪୩ ପଦବିରୁ ୬ ଜଣରେ କାର୍ଯ୍ୟ ହେଉଛି । ବାକି ୩୭ ପଦବି ଖାଲି ପଡ଼ିଛି । ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ୭୩, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଓ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ୨୦ ଲେଖାଏଁ ପଦବି ଖାଲି ପଡ଼ିଛି । ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପାଇଁ ୬୭ ପଦବି ମଞ୍ଜୁର ଥିବା ବେଳେ ମାତ୍ର ୯ ଜଣ କାମ କରୁଛନ୍ତି । ଆଶ୍ଚର୍ଯ୍ୟର କଥା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପାଇଁ ସରକାର ୯୨ ଅଣଅଧ୍ୟାପକ ପଦବି ମଞ୍ଜୁର କରିଛନ୍ତି । ହେଲେ କାହାରିକୁ ନିଯୁକ୍ତି ଦିଆଯାଇନି । ସେହିପରି ସମାନ ଅବସ୍ଥା ହେଉଛି ଧରଣୀଧର ବିଶ୍ୱବିଦ୍ୟାଳୟ ସ୍ଥିତି । ଏଠାରେ ୬୩ ପଦବି ମଞ୍ଜୁର କରାଯାଇଛି । ହେଲେ କାହାକୁ ନିଯୁକ୍ତି ଦିଆଯାଇନି । ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ପାଇଁ କୌଣସି ଅଣଅଧ୍ୟାପକ ପଦବି ମଞ୍ଜୁରୀ ହୋଇନି ବୋଲି ଅଗଷ୍ଟ ୩୦ ତାରିଖ ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂନା ଦେଇଛନ୍ତି।