ନୂଆଦିଲ୍ଲୀ,୧୩/୦୯: ଆମେରିକାରୁ ଭାରତକୁ ଆସୁଥିବା ମସୁର ଡାଲି ଏବେ ଶସ୍ତା ହେବ। ଅର୍ଥାତ୍ ସରକାର ଆମେରିକାରୁ ଆମଦାନୀ ହେଉଥିବା ମସୁର ଡାଲି ଉପରେ ଅତିରିକ୍ତ ଶୁଳ୍କ ବା କଷ୍ଟମ୍ ଡ୍ୟୁ ହଟାଇଛନ୍ତି। ସରକାରଙ୍କ ନିଷ୍ପତ୍ତିରେ ଭାରତୀୟ ବଜାରରେ ଶସ୍ତା ମସୁର ଡାଲି ଉପଲବ୍ଧ ହେବ, ଫଳରେ ସାଧାରଣ ଲୋକ ମଧ୍ୟ କମ୍ ଦାମ୍ରେ ମସୁର ଡାଲି ପାଇପାରିବେ। ଏହି ନିଷ୍ପତ୍ତିରେ ଭାରତୀୟ ବଜାରରେ ମସୁର ଡାଲି ଦର ନିୟନ୍ତ୍ରଣରେ ରହିବ। ଏହା ଖାଦ୍ୟ ମହଙ୍ଗା ଦରରେ ମଧ୍ୟ ହ୍ରାସ କରିବାରେ ସହାୟକ ହେବ।
ମସୁର ଉପରେ କେତେ ଲାଗୁଥିଲା ଅତିରିକ୍ତ ଶୁଳ୍କ:
ଆମେରିକାରୁ ଆମଦାନୀ ହେଉଥିବା ମସୁର ଡାଲି ଉପରେ ଭାରତ ସରକାର ୨୨ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଉଥିଲେ। ଏବେ ଏହାକୁ ହଟାଇ ଦିଆଯାଇଛି। ଭାରତ ପ୍ରଥମେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଜି-୨୦ ପାଇଁ ଆସିବା ପୂର୍ବରୁ ଏହି ନିଷ୍ପତ୍ତି ନେଇଥିଲେ। ଯେତେବେଳେ ଆମେରିକା ଏକ ସଂରକ୍ଷଣବାଦୀ ଆଭିମୁଖ୍ୟ ଗ୍ରହଣ କରି ଭାରତରୁ ଆମଦାନୀ ହୋଇଥିବା ଆଲୁମିନିୟମ୍ ଏବଂ ଇସ୍ପାତ ଦ୍ରବ୍ୟ ଉପରେ ଶୁଳ୍କ ବଢ଼ାଇଲା, ଠିକ୍ ସେତିକିବେଳେ ଆମେରିକାର ଉତ୍ପାଦ ଉପରେ ଅତିରିକ୍ତ କଷ୍ଟମ୍ ଡ୍ୟୁଟି ଲାଗୁ କରିବାକୁ ଭାରତ ୨୦୧୯ ରେ ନିଷ୍ପତ୍ତି ନେଇଥିଲା। ପ୍ରତିଶୋଧ ନେବାକୁ ଭାରତ ଏହି ଅତିରିକ୍ତ ଟିକସ ଲାଗୁ କରିଥିଲା। ଏହି କାରଣରୁ ଭାରତ ଏବଂ ଆମେରିକା ମଧ୍ୟରେ ଡବ୍ଲୁଟିଓ ସହ ବିବାଦ ଦେଖାଦେଇଥିଲା। ଏହାର ସମାଧାନ ପାଇଁ ସରକାର ଅତିରିକ୍ତ କଷ୍ଟମ୍ ଡ୍ୟୁଟି ହଟାଇବାକୁ ନିଷ୍ପତ୍ତି ନେଇଥିଲେ।
ଭାରତର ଅତିରିକ୍ତ ଶୁଳ୍କ ଲାଗୁ ହେବା କାରଣରୁ ଆମେରିକାରୁ ମସୁର ଆମଦାନୀ ପାଖାପାଖି ଶେଷ ହୋଇଥିଲା। ଆର୍ଥିକବର୍ଷ ୨୦୨୨-୨୩ ମଧ୍ୟରେ ଭାରତ ଆମେରିକାରୁ କିଛି ବି ମସୁର ଆମଦାନୀ କରିନାହିଁ; କିନ୍ତୁ ଆର୍ଥିକବର୍ଷ ୨୦୧୯-୨୦ ମଧ୍ୟରେ ଭାରତ ଆମେରିକାରୁ ୬୨ ହଜାର ଟନ୍ରୁ ଅଧିକ ମସୁର ଆମଦାନୀ କରିଥିଲା। ଉଲ୍ଲେଖଯୋଗ୍ୟ ଯେ, ଭାରତରେ ଡାଲିର ବହୁଳ ବ୍ୟବହାର ହେତୁ ଏଥିରେ ନିଅଣ୍ଟକୁ ନଜରରେ ରଖି ଆମରିକାରୁ ଆମଦାନୀ ହେଉଛି। ମସୁର ଡାଲି ବ୍ୟତୀତ ଭାରତ ମଧ୍ୟ ବହୁ ପରିମାଣରେ ହରଡ଼ ଓ ମଟର ଆମଦାନୀ କରିଥାଏ।