ଝାରସୁଗୁଡ଼ା, (ମେହବୁବ୍ ମାହତାବ୍): ଏବେ ଗଞ୍ଜାମ ଜିଲ୍ଲାର ଚିକିଟି ଯାହା ଦେଖୁଛି, ଦୀର୍ଘ ଦୁଇ ଦଶନ୍ଧି ତଳେ ସମାନ ତିକ୍ତ ଅନୁଭୂତି ସାଉଁଟିଥିଲା ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ କୁମର ଏବଂ ଭୁନ୍ଦୁପାଲି । ୨୦୦୩ରେ ବିଷାକ୍ତ ମଦ ପିଇ ଅବେଳରେ ଲିଭି ଯାଇଥିଲା ୩ ଜୀବନ ଦୀପ । ଏ ଭିତରେ ବିତିଛି ଦୀର୍ଘ କୋଡ଼ିଏ ବର୍ଷ । ହେଲେ ନିଶା ରାକ୍ଷସ କବଳରେ ପଡ଼ି ଆତ୍ମୀୟଙ୍କ ହରାଇଥିବା ପରିବାର ମନରେ ସେଦିନର କ୍ଷତ ଏବେ ବି ସେତିକି ତାଜା, ସେତିକି ସତେଜ ।
ଘଟଣା ଦିନ ଛତିଶଗଡ଼ ସୀମାବର୍ତ୍ତୀ ରେଙ୍ଗାଲି ଥାନା ଅଧୀନ ଅତାବିରା ପଞ୍ଚାୟତର କୁମର ଏବଂ ଭୁନ୍ଦୁପାଲି ଗ୍ରାମର ଦିନ ମଜୁରିଆ ଶ୍ରେଣୀର ଲୋକେ ସାରା ଦିନର ଖଟଣି ପରେ ଲେଉଟିଥିଲେ ଘରକୁ । ଏଥିପୂର୍ବରୁ ଚିରାଚରିତ ଅଭ୍ୟାସ ଅନୁଯାୟୀ ପିଇଥିଲେ ମଦ । ହେଲେ ସେଦିନ ବେଳା ଭଲ ନ ଥିଲା । ରନ୍ଧା ଦେଶୀ ମଦ କୌଣସି କାରଣରୁ ବିଷାକ୍ତ ହୋଇଯାଇଥିଲା । ଏଥିରେ ଆଖି ବୁଜିଥିଲେ ଭୁନ୍ଦୁପାଲି ଗ୍ରାମର ଜାନବୀ କଅଁର (୪୨), କୁମର ଗ୍ରାମର ପ୍ରଭାକର ଘାଁସି (୪୫) ଏବଂ ସୁଷମା (୫୫) ନାମ୍ନୀ ଜଣେ ମହିଳା । ମଦ ମୃତ୍ୟୁ ଘଟଣାରେ ସ୍କାନରକୁ ଆସିଥିଲେ ଛତିଶଗଡ଼ ରାୟଗଡ଼ ଅଞ୍ଚଳର ଜଣେ କୁଖ୍ୟାତ ମଦ ମାଫିଆ । ସେ କଣ୍ଡେଇକେଲା ଅଞ୍ଚଳରେ ମଦ ଭାଟି କରି ଗ୍ରାମାଞ୍ଚଳକୁ ମଦ ଚାଲାଣ କରୁଥିଲା । ଭାଟି ଲାଇସେନ୍ସ ନବୀକରଣ ହୋଇ ନ ଥିଲା । ଏହି ଘଟଣା ତତ୍କାଳୀନ ରାଜ୍ୟ ସରକାରଙ୍କୁ ଅକଳରେ ପକାଇଥିଲା । ଏହା ବିଷାକ୍ତ ମଦ୍ୟପାନ ଜନିତ ମୃତ୍ୟୁ ନୁହେଁ ବୋଲି ପ୍ରମାଣ କରିବାକୁ ସେତେବେଳେ ଅପପ୍ରୟାସ ମଧ୍ୟ କରାଯାଉଥିବା ଚର୍ଚ୍ଚା ଜୋର୍ ଧରିଥିଲା ।
ମୃତ ଜାନବୀ କଅଁରଙ୍କ ପୁଅ ନାହ୍ନୁ (୪୨) ଙ୍କ ପୁରୁଣା ଦିନର କଥାକୁ ମନେପକାଇ କୁହନ୍ତି, ବାପା ପରିବାରରେ ଏକମାତ୍ର ରୋଜଗାରକ୍ଷମ ଥିଲେ । ବିଷାକ୍ତ ମଦରେ ତାଙ୍କର ମୃତ୍ୟୁ ଘଟିବା ପରେ ପରିବାରର ବୋଝ ପଡ଼ିଲା ମା’ ଗୁରୁବାରୀଙ୍କ କାନ୍ଧରେ । ମାତ୍ର ଗୋଟିଏ ଏକର ଜମିରେ ଚାଷ କରି ଗୁଜରାଣ ମେଣ୍ଟାଇବା ସହଜ ନ ଥିଲା । ମା’ ଦିନ ମଜୁରିଆ କାମ କରି ଘର ସଜାଡ଼ିବାକୁ ପ୍ରୟାସ କରିଥିଲେ । ବର୍ଷକ ତଳେ ମା’ଙ୍କ ମୃତ୍ୟୁ ହୋଇଯାଇଛି । ତିନି ଝିଅଙ୍କୁ ନେଇ ନାହ୍ନୁଙ୍କ ପରିବାର । ହେଲେ ସେଦିନ ଆଖିରେ ଦେଖିଥିବା ମଦମୃତ୍ୟୁର ବିଭୀଷିକା ଏବଂ ବାପାଙ୍କ ମୃତ୍ୟୁର ଦୁଃଖକୁ ସେ ଏଯାଏ ଭୁଲିପାରିନାହାନ୍ତି ।
ସେହିପରି ମଦମୃତ୍ୟୁର ଶିକାର କୁମର ଗାଁର ପ୍ରଭାକର ଘାଁସିଙ୍କ ପରିବାର ବି ଉଜୁଡ଼ି ଯାଇଥିଲା । ତାଙ୍କର ଦୁଇ ପତ୍ନୀ । ପ୍ରଥମ ପତ୍ନୀଙ୍କ ମୃତ୍ୟୁ ହୋଇଯାଇଛି । ଦ୍ୱିତୀୟ ପତ୍ନୀ ଛତିଶଗଡ଼ର ଏକ ଗାଁରେ ରହୁଛନ୍ତି । ଦ୍ୱିତୀୟ ପତ୍ନୀଙ୍କ ତିନି ସନ୍ତାନ (ଦୁଇ ଝିଅ ଓ ଗୋଟିଏ ପୁଅ)ଙ୍କ ମଧ୍ୟରୁ ପୁଅ ଆରପାରିରେ । ଦୁଇ ଝିଅ ବାହା ହୋଇଛନ୍ତି । ହେଲେ ସେମାନେ ଏବେ କେଉଁଠି ରହୁଛନ୍ତି ତାହାର କିଛି ନିର୍ଦ୍ଦିଷ୍ଟ ସୂଚନା ନାହିଁ । ପ୍ରଭାକରଙ୍କ ଅନ୍ୟ ସମ୍ପର୍କୀୟମାନେ ଗାଁ ମୁଣ୍ଡରେ ରହୁଛନ୍ତି । ବିଷାକ୍ତ ମଦ ପିଇ ପ୍ରଭାକରଙ୍କ ମୃତ୍ୟୁ ପରେ ତାଙ୍କ ପରିବାର କିପରି ଛାରଖାର ହୋଇଗଲା, ସେକଥାକୁ ଆତ୍ମୀୟମାନେ ପାସୋରି ପାରୁନାହାନ୍ତି । ଅନ୍ୟତମ ମୃତକ ସୁଷମାଙ୍କ କେବଳ ଜଣେ ଝିଅଟିଏ ଅଛି । ସେ ରାୟଗଡ଼ ଅଞ୍ଚଳରେ ରହୁଥିବା ଜଣାପଡ଼ିଛି ।
ଏବେ ବି ରାଜ୍ୟର କେଉଁଠି ମଦମୃତ୍ୟୁ ଘଟଣାର ପୁନରାବୃତ୍ତି ହେଲେ କୁମର ଏବଂ ଭୁନ୍ଦୁପାଲିବାସୀଙ୍କ ମନରେ ଉଜାଗର ହେଉଛି ପୁରୁଣା ସ୍ମୃତି । ହେଲେ ସୀମାବର୍ତ୍ତୀ ଅଞ୍ଚଳରେ ବେଆଇନ ମଦ କାରବାର ଉପରେ ରୋକ୍ ଲାଗିନାହିଁ । ସଚେତନତା ଅଭାବରୁ ଗରିବ, ଦିନ ମଜୁରିଆ ମଦ ନାମରେ ବିଷ ପିଇ ଚାଲିଛନ୍ତି । ଅଙ୍କୁଶ ବିହୀନ ମଦ ମାଫିଆ ବିଭିନ୍ନ କୌଶଳ ଖଟାଇ ମଦ ସାମ୍ରାଜ୍ୟ ବଢ଼ାଉଥିବାବେଳେ ଏହାକୁ ରୋକିବା ଲାଗି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୀମାବର୍ତ୍ତୀ ଅଞ୍ଚଳବାସୀ ଦାବି କରିଛି।