ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

‘ଯୋବ୍ରା ଖୁଣ୍ଟି’: ଦିନେ ବେଲଅଠା ଓ ଚୂନରେ ତିଆରି ହୋଇଥିଲା କୀର୍ତ୍ତି, ଆଜି ୫୨ ବଜାର ୫୩ ଗଳିର ବଖାଣୁଛି ଐତିହ

କଟକ, ୨୪/୦୬: ରଡ଼୍‌, ସିମେଣ୍ଟ, ବାଲି ସହିତ  କେମିକାଲ୍‌ ପ୍ଲାଷ୍ଟର୍‌ ଫିକ୍ସିଟ୍‌ ଦେଇ ନିର୍ମାଣ ହେଉଥିବା  ଘରର ଛାତ ଫାଟିଯିବା ଆଜିକା ଦିନରେ ଅସ୍ୱାଭାବିକ ନୁହେଁ । କିନ୍ତୁ ଦେଢଶହ ବର୍ଷ ଧରି କଟକ ସହର ଛାତି  ଉପରେ ଆଜି ବି ସେମିତି ଛିଡ଼ା ହେଇ ରହିଛି ଯୋବ୍ରା ଖୁଣ୍ଟି । କେହି କେହି ଏହାକୁ ପରିତ୍ୟକ୍ତ ବତୀଘର କୁହନ୍ତି, ଆଉ କେହି କହନ୍ତି କଟକ ସହରକୁ ଚିହ୍ନଟ କରୁଥିବା ଐତିହାସିକ ସ୍ମାରକୀ । ଏ ଭିତରେ ୧୫୦ ବର୍ଷ ପୂରଣ କରିସାରିଲାଣି ‘ଯୋବ୍ରା ଖୁଣ୍ଟି’ । ଏକଦା ଚୂନ ଓ ବେଲ ଅଠାରେ ନିର୍ମିତ ଏହି ମାଟି ଖୁଣ୍ଟି ବହୁ  ପ୍ରଳୟଙ୍କରୀ ବାତ୍ୟାକୁ ସହି ସେମିତି ଛିଡ଼ା ହୋଇରହିଛି ।  ଏବେ ଏହାର ସ୍ଥାୟିତ୍ୱ ଯାଞ୍ଚ୍‌ କରିବା ଏବଂ ଆବଶ୍ୟକ  ସୁରକ୍ଷା ପ୍ରଦାନ କରିବାର ସମୟ ଉପନୀତ ହେଲାଣି  ବୋଲି ଐତିହାସିକମାନେ ମତ ବ୍ୟକ୍ତ କରୁଛନ୍ତି ।  

ଏକଦା ଯୋବ୍ରା ଅଞ୍ଚଳ ଓଡ଼ିଶାର ପ୍ରମୁଖ  ନୌବାଣିଜ୍ୟ ପେଣ୍ଠସ୍ଥଳୀ ରହିଥିଲା । ଆଜିର  ଛତ୍ରବଜାର, ମାଲଗୋଦାମ ମଧ୍ୟ ଏହାର ଅଂଶବିଶେଷ  ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ । ସେତେବେଳର  ଯୋବ୍ରା ୱାର୍କସପ୍‌ ବା ବର୍ତ୍ତମାନର ନୌବାଣିଜ୍ୟ  ସଂଗ୍ରହାଳୟ ପରିସରରେ ଏହି ଯୋବ୍ରା ଖୁଣ୍ଟିଟି  ଦଣ୍ଡାୟମାନ ହୋଇ ରହିଛି । ଏହା ବାସ୍ତବରେ  କ’ଣ ଏହାର ଐତିହାସିକ ପୃଷ୍ଠଭୂମି ଖୋଜିବାରେ ଜଣାପଡିଛି ଯେ, ଏହା ଏକ ବିଶାଳକାୟ  ଚିମିନି । ଇତିହାସକାରଙ୍କ ମତରେ ଏହି ଖୁଣ୍ଟିର  ଜନ୍ମବୃତ୍ତାନ୍ତର ମୂକସାକ୍ଷୀ ହେଉଛି ତାଳଦଣ୍ଡା କେନାଲ୍‌ । ୧୮୬୮ ମସିହାରେ ଅବିଭକ୍ତ କଟକ  ଜିଲ୍ଲାର କୃଷି ଓ ନୌବାଣିଜ୍ୟ ସୁବିଧା ପାଇଁ ଏହି  କେନାଲ୍‌ ଖୋଳାଯାଇଥିଲା । ଏହାର କିଛି ବର୍ଷ  ପରେ ଏହାରି ନିକଟରେ ପ୍ରତିଷ୍ଠା ହୋଇଥିଲା ଏକ  ୱାର୍କସପ୍‌ ବା ନୌବାଣିଜ୍ୟରେ ବ୍ୟବହୃତ ଲଞ୍ଚ୍‌  ମରାମତି କାରଖାନା । ତତ୍କାଳୀନ ବ୍ରିଟିଶ ଶାସକ  ଜି.ଏଚ୍‌. ଫକ୍ଲର୍‌ ଏହି ୱାର୍କସପ୍‌କୁ ଯୋବ୍ରାଠାରେ  ପ୍ରତିଷ୍ଠା କରିଥିଲେ । ୱାର୍କସପ୍‌ର ସମସ୍ତ କାର୍ଯ୍ୟ  ଷ୍ଟିମ୍‌ ପାୱାର୍‌ ପ୍ରୋସେସ୍‌ ବା ବାଷ୍ପ ଚାଳିତ  ପ୍ରକ୍ରିୟାକରଣରେ କରାଯାଉଥିଲା । 

କୋଇଲା ଭାଟି  କରାଯାଇ ସେଥିରେ ଲୁହା ତରଳା କାର୍ଯ୍ୟ ହେଉଥିଲା ।  ପରେ ଏଠାରେ ଥିବା ୩୨ଟି ଯନ୍ତ୍ରରେ ବିଭିନ୍ନ  ସାମଗ୍ରୀ ପ୍ରସ୍ତୁତ ହେଉଥିଲା । ୱାର୍କସପ୍‌ର ସମସ୍ତ  ବାଷ୍ପ ନିର୍ଗତ କରିବାକୁ ସେହିଠାରେ ଏକ ବିରାଟ  ଚିମିନି ପ୍ରତିଷ୍ଠା ହୋଇଥିଲା । ୱାର୍କସପ୍‌ଠାରୁ ପ୍ରାୟ  ୩୦ମିଟର ଦୂରରେ ଏହି ଚିମିନି ନିର୍ମାଣ କରାଯାଇ  ବାଷ୍ପ ନିର୍ଗତ କରାଯାଉଥିଲା।  କେବଳ ବାଷ୍ପ ନିର୍ଗତ ପାଇଁ ନୁହେଁ,  ବତୀଖୁଣ୍ଟ ଭାବେ ଏହାର ବ୍ୟବହାର  ମଧ୍ୟ ହେଉଥିଲା । ବୈତରଣୀ,  ମହାନଦୀ ଓ ପରେ ତାଳଦଣ୍ଡା କେନାଲ  ଦେଇ ପ୍ରବେଶ କରୁଥିବା ବେଙ୍ଗଲ୍‌ ଜେଟି,  ବୋଟ୍‌ଗୁଡିକ ମଧ୍ୟରାତ୍ରିରେ ଆସୁଥିଲେ ।  ସେମାନଙ୍କ ସୂଚନା ଲାଗି ଏହି ବତୀଖୁଣ୍ଟର ଗୁରୁତ୍ୱ  ବେଶ୍‌ ଅଧିକ ରହିଥିଲା । ପରିବେଶ ପ୍ରଦୂଷଣ  କମାଇବା ଲାଗି ଏହି ଚିମିନିର ଉଚ୍ଚତା ପ୍ରାୟ  ଶହେ ଫୁଟ୍‌ରୁ ଅଧିକ କରାଯାଇଥିଲା । ଏହାସହ  ନିର୍ମାଣରେ ସେ ସମୟରେ ଇଟା ସହିତ ଚୂନ ଓ  ବେଲଅଠା ବ୍ୟବହାର କରାଯାଇଥିବା କୁହାଯାଏ ।  

ନୌବାଣିଜ୍ୟ ସଂଗ୍ରହାଳୟ ଓ ଯୋବ୍ରା ଖୁଣ୍ଟି  ଇତିହାସର ମୂକସାକ୍ଷୀ ହୋଇ ରହିଥିବା ବେଳେ ଏହି  ବିଶାଳ ଖୁଣ୍ଟିର ସ୍ଥାୟିତ୍ୱ ନେଇ ଆଜି ପର୍ଯ୍ୟନ୍ତ କେବେ  ଯାଞ୍ଚ୍‌ କରାଯାଇନାହିଁ । ଏକ ବିରାଟ ଗଛ ଖୁଣ୍ଟି ଉପରେ ଉଠି  ଏହାର କିଛି ଭାଗକୁ ଫଟାଇ ସାରିଲାଣି । ସେହିପରି ଦୀର୍ଘ  ଦିନ ହେବ ଏହାକୁ ରଙ୍ଗ ବି କରାଯାଇନାହିଁ । ସବୁଠାରୁ  ଗୁରୁତ୍ୱପୂର୍ଣ୍ଣ  କଥା ନୌବାଣିଜ୍ୟ  ସଂଗ୍ରହାଳୟ ପରିସରରେ  ଏହି ଖୁଣ୍ଟିଟି ରହିଥିଲେ ହେଁ  ଏଥିପ୍ରତି ଦୃଷ୍ଟି ଦିଆଯାଉନି । କୋଟି କୋଟି  ଟଙ୍କା ଖର୍ଚ୍ଚ କରାଯାଇ ଏଠାରେ ଥିବା ନୌବାଣିଜ୍ୟ  ସଂଗ୍ରହାଳୟକୁ ସଜାଇ ଦିଆଗଲା । ଅଥଚ ଏହି  ଐତିହ୍ୟର ସ୍ମୃତିକୁ ସେମିତି ତା’ ଭାଗ୍ୟ ଉପରେ ଛାଡ଼ି  ଦିଆଯାଇଛି । ଏହା ଭିତରେ ୧୯୯୯ ପ୍ରଳୟଙ୍କରୀ  ମହାବାତ୍ୟା, ଫନି ଭଳି କେତେ ବାତ୍ୟା ଗଲାଣି ।  ତେଣୁ ଏହାର ସ୍ଥିତି ତୁରନ୍ତ ଯାଞ୍ଚ୍‌ କରାନଗଲେ ଏହା  ଆଗକୁ ବିପଦସଂକୁଳ ସାଜିପାରେ ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.