କେନ୍ଦ୍ରାପଡ଼ା/ମହାକାଳପଡ଼ା,୦୬/୦୯(ଜୀବନ ସିଂହ ଓ କଳ୍ପତରୁ ସାମଲ): ଗାଁକୁ ସବୁଦିନିଆ ରାସ୍ତା ନାହିଁ । ବର୍ଷାଦିନେ ଏକପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ । ନା ଅଛି ଅଙ୍ଗନବାଡ଼ି ନା ପ୍ରାଥମିକ ସ୍କୁଲ । ସ୍ୱାଧୀନତାର ୭୮ ବର୍ଷ ପରେ ବି ସ୍ୱାସ୍ଥ୍ୟସେବାର ସୁବିଧା ମିଳିପାରି ନାହିଁ । ଗର୍ଭଯନ୍ତ୍ରଣାରେ ଛଟପଟ ହେଲେ ଆସନ୍ନପ୍ରସବା ନାରୀଙ୍କୁ ଲୁଗା ଦୋଳିରେ ପ୍ରାୟ ଦେଢ଼ କିଲୋମିଟର ବାଟ କାନ୍ଧରେ ବୋହି ଆଣିବାକୁ ପଡ଼େ । ଗର୍ଭବତୀ, ପ୍ରସୂତି, ଶିଶୁମାନଙ୍କ ପାଇଁ ସରକାରଙ୍କ ଯୋଜନା ଏଠି ଅପହଞ୍ଚ । କିନ୍ତୁ ସରକାରଙ୍କ ନଥିରେ ଏମାନଙ୍କୁ ସେବା ଦିଆଯାଉଛି ବୋଲି ଦାୟିତ୍ୱରେ ଥିବା ଅଧିକାରୀମାନଙ୍କର ଚାଲିଛି ରେକର୍ଡ ଚାଷ । ମୁଣ୍ଡ ଗୁଞ୍ଜିବା ପାଇଁ ଅନେକ ଲୋକଙ୍କର ଭୂମି ଖଣ୍ଡିଏ ନାହିଁ । ବିକାଶଠୁ ବହୁ ଦୂରରେ ଏହି ଗାଁ । ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ । ଏଭଳି ବିକଳ ଚିତ୍ର ଦେଖିବାକୁ ମିଳେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅଧୀନ ପେଟଛେଲା ପଞ୍ଚାୟତର ଜଙ୍ଗଲଘେରି ଗ୍ରାମରେ । ଗାଁର ମହିଳା ଦୁଃଖୀ ବକ୍ତା ବର୍ଷକ ତଳେ ମହାକାଳପଡ଼ାରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ପୂରା ଗାଁର ଦୁଃଖ ବଖାଣିଥିଲେ ମଧ୍ୟ ଆଜି ଯାଏ ଜଙ୍ଗଲଘେରି ଗାଁର କିଛି ପରିବର୍ତ୍ତନ ହୋଇପାରି ନାହିଁ ।
ମହାକାଳପଡ଼ା ବ୍ଲକ୍ ସଦର ମହକୁମାଠୁ ୧୩ କିଲୋମିଟର ଦୂରରେ ଗାଁ ଜଙ୍ଗଲଘେରି । ପ୍ରଭାକରପୁରଖରିନାସୀ ପୂର୍ତ୍ତ ବିଭାଗ ରାସ୍ତାର ଦକ୍ଷିଣ ପାଶ୍ୱର୍ ଅଞ୍ଚଳରେ ଦେଢ଼ କିଲୋମିଟର ଯିବା ପରେ ପେଟଛେଲା ପଞ୍ଚାୟତର ଏହି ଦୁର୍ଗମ ପଡ଼ା ଗାଁ ଜଙ୍ଗଲଘେରି ପଡ଼ିଥାଏ । ଗାଁରେ ଘର ସଂଖ୍ୟା ପ୍ରାୟ ୬୦ ହେବ । ମୟୂରଭଞ୍ଜ ଓ ବାଲେଶ୍ୱର ଅଞ୍ଚଳର କିଛି ପରିବାର ପାରାଦୀପରେ କାମ କରିବାକୁ ଆସି ଏଠାରେ ସ୍ଥାୟୀ ଭାବରେ ବସବାସ କରିଥିଲେ । ମୂଳତଃ ଏମାନେ ଶବର ସମ୍ପ୍ରଦାୟର । ଭେଡ଼ା ମଝିରେ ଜଙ୍ଗଲଘେରିର ଅବସ୍ଥିତି । ନିତି କାମକୁ ଗଲେ ଘରେ ଚୁଲି ଜଳିବ । ପୂର୍ବ ଦିଗରେ ସିନ୍ଦୁରା ଫିଟିଲେ କାମଧନ୍ଦା ପାଇଁ ବାହାରିପଡ଼ନ୍ତି ଗାଁ ଲୋକେ । ଦୁଃଖ ଏମାନଙ୍କର ଚିର ସହଚର । ନିଜସ୍ୱ ଜମିବାଡ଼ି କାହାରି ନାହିଁ । ଅନେକ ଲୋକ ଘରବାଡ଼ି ପଟ୍ଟାରୁ ବଞ୍ଚିତ । ଯେଉଁଥିପାଇଁ ସ୍ଥାୟୀ ବାସିନ୍ଦା, ଆୟ, ଜାତି ପ୍ରମାଣପତ୍ର ବାହାର କରିବାରେ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଁରେ ବସବାସ କରୁଥିବା ଲୋକମାନଙ୍କର ଝୁମ୍ପୁଡ଼ି ଘର ହେଉଛି ଆଶ୍ରୟ ସ୍ଥଳ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ବି ଗାଁ ଲୋକଙ୍କ ପାଇଁ ଦୁଃସ୍ୱପ୍ନ । ଯେତେଥର ନିର୍ବାଚନ ବେଳେ ନେତାଙ୍କୁ କୁହନ୍ତି ଉତ୍ତର ମିଳେ ଭୋଟ୍ ସରିଲେ ତୁମ କଥା ବୁଝାଯିବ । ଇତିମଧ୍ୟରେ କେତେ ସରପଞ୍ଚ ଗଲେଣି । ବିଚରା ଜଙ୍ଗଲଘେରିବାସୀଙ୍କ ଭାଗ୍ୟରେ ଆବାସ ଖଣ୍ଡେ ଜୁଟିଲାନି ।
ଏହାଛଡ଼ା, ପାଇପ୍ ଯୋଗେ ପିଇବା ପାଣି ସଂଯୋଗ ହୋଇପାରି ନାହିଁ ଗାଁକୁ । ୨ଟି ନଳକୂଅରେ କାମ ଚଳାଇବାକୁ ପଡୁଛି । ଅନ୍ୟଥା ଗାଁ ଦେଇ ବହି ଯାଇଥିବା ରାମଚଣ୍ଡୀ ନଦୀରେ ନିଜ ନିତିଦିନିଆ ଆବଶ୍ୟକତା ମେଣ୍ଟାଉଛନ୍ତି ଲୋକେ । ନଈ ପୁଣି ମାଳମାଳ କୁମ୍ଭୀରରେ ଭର୍ତ୍ତି। ଗାଁକୁ ସବୁଦିନିଆ ରାସ୍ତାଟିଏ ନିର୍ମାଣ ହୋଇପାରି ନାହିଁ ଆଜିଯାଏ । ବାରମ୍ବାର ଅଭିଯୋଗ ହେବା ପରେ କର୍ତ୍ତୃପକ୍ଷଙ୍କ ଦୃଷ୍ଟିଗୋଚର ପାଇଁ ଲୋକଦେଖାଣିଆକୁ ୧୦୦ ମିଟର ଯାଏ ପେଭର୍ ବ୍ଲକ୍ ରାସ୍ତା କରି ଦିଆଯାଇଛି । ତା’ ପର ରାସ୍ତାରେ ଗାଡ଼ି ତ ଗାଡ଼ି, ଚାଲିଚାଲି ଯିବା ମଧ୍ୟ କଷ୍ଟକର । ବଡ଼ ବଡ଼ ଗାଡ଼ ଓ କାଦୁଅ ପଚ୍ପଚ୍ ରାସ୍ତା । ସ୍ୱଚ୍ଛ ଭାରତ ଯୋଜନା ଏଠି କାର୍ଯ୍ୟକାରୀ ହେଉନି, ଯଦିଓ ଗାଁଟା ସାରା ହିତାଧିକାରୀଙ୍କୁ ପାଇଖାନାର ଆବଶ୍ୟକତା ରହିଛି । କେବଳ ସେତିକି ନୁହେଁ, ଗ୍ରାମର ସବୁ ଲୋକ ଆଧାର କାର୍ଡରେ ସଂଯୁକ୍ତ ହୋଇପାରି ନାହାନ୍ତି । କିଛି ଲୋକଙ୍କର ଆଧାର କାର୍ଡ ଥିବାବେଳେ ଆଉ କିଛି ଲୋକଙ୍କର ନାହିଁ । ଏବେ ମଧ୍ୟ କିଛି ଲୋକ ରାସନ୍ କାର୍ଡରେ ସାମିଲ ହେବା ପାଇଁ ଚାହିଁ ବସିଛନ୍ତି । ଗାଁରେ ବାତ୍ୟା ଆଶ୍ରୟସ୍ଥଳୀ ନାହିଁ ।
ବା’ ବତାସ ହେଲେ ଏମାନଙ୍କର ଧନଜୀବନ ବାଜିରେ ଲାଗେ । ଜଙ୍ଗଲଘେରିଠାରୁ ଅଙ୍ଗନବାଡ଼ି କେନ୍ଦ୍ରର ଦୂରତା ପ୍ରାୟ ୨ କିଲୋମିଟର । ଶିଶୁମାନେ ଅଙ୍ଗନବାଡ଼ି ସେବାରୁ ସମ୍ପୂର୍ଣ୍ଣ ଭାବେ ବଞ୍ଚିତ । ଦୀନେଶ ଭକ୍ତାଙ୍କ ୩ବର୍ଷର ପୁଅ ବାପୁନି ଭକ୍ତାଙ୍କ ସମେତ ଗାଁର ଏକାଧିକ ଶିଶୁ ପୁଷ୍ଟିହୀନତାର ଶିକାର । ଗର୍ଭବତୀ, ପ୍ରସୂତି ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବିଭାଗୀୟ ଅଧିକାରୀଙ୍କ ପାଦ କାଁ ଭାଁ କେତେବେଳେ କେମିତି ଗାଁରେ ପଡ଼ିଥାଏ । ପ୍ରାଥମିକ ବିଦ୍ୟାଳୟ ମାଟି ମାଡ଼ିବା ଏ ପିଲାମାନଙ୍କ ପାଇଁ କଷ୍ଟ । ପୋଲିଓ ଟିକା ନେବା ପାଇଁ ପ୍ରାୟ ୨ କିଲୋମିଟର ବାଟ ମା’ ଛୁଆକୁ କାନ୍ଧରେ ପକାଇ ଚାଲିଚାଲି ଯିବାକୁ ପଡ଼ିଥାଏ । ଦୂର ବାଟ ହୋଇଥିବାରୁ ଅଙ୍ଗନବାଡ଼ି ସେବା ଓ ପ୍ରାଥମିକ ବିଦ୍ୟାଳୟରେ ପଢ଼ିବାର ସୁଯୋଗ ବହୁତ ଶିଶୁଙ୍କୁ ଆଦୌ ମିଳୁନାହିଁ । ଗାଁର ଖୋଦ୍ ୱାର୍ଡସଭ୍ୟାଙ୍କ ପୁଅ ସଞ୍ଜୁ ଭକ୍ତା(୩), ଝିଅ ସଞ୍ଜନା ଭକ୍ତା(୫)ଙ୍କ ଭଳି ଅନେକ ଶିଶୁଙ୍କୁ ପ୍ରି-ସ୍କୁଲର ସୁବିଧା ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ । ସଞ୍ଜୁ ଓ ସଞ୍ଜନାଙ୍କ ବାପା ଶ୍ରୀମନ୍ତ ଭକ୍ତା କୁହନ୍ତି, ଦୂରବାଟ ହେତୁ ଅଙ୍ଗନବାଡ଼ିର ରନ୍ଧା ଖାଦ୍ୟ ଆମ ପିଲା ପାଇ ପାରୁନାହାନ୍ତି ।
ଏସବୁ ବାଦ୍ ଆଧାରକାର୍ଡ, ଭୋଟ୍ ପରିଚୟପତ୍ରରେ ବୟସର ତାଳମେଳ ନଥିବାରୁ କିଛି ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି । ଗୌର ମଲିକଙ୍କୁ ୭୦ ଛୁଇଁଥିଲେ ମଧ୍ୟ ଆଧାର ଓ ଭୋଟର୍ କାର୍ଡରେ ବୟସ ତାରତମ୍ୟ ଥିବାରୁ ଭତ୍ତା ମିଳୁନଥିବା ସେ କହିଛନ୍ତି । ଏସବୁ ଅସୁବିଧା, ସମସ୍ୟା ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ସ୍ଥାନୀୟ ବିଡିଓଙ୍କ ସହ ସେ ଏନେଇ ଆଲୋଚନା କରିବେ । ତଦନ୍ତ କରାଯାଇ ନିଶ୍ଚୟ ପଦକ୍ଷେପ ଗ୍ରହଣ କରାଯିବ ।