ନୂଆଦିଲ୍ଲୀ,୨୮/୮:କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା। ଏହି ଘଟଣାରେ ଡିଏନ୍ଏ, ଫୋରେନ୍ସିକ୍ ରିପୋର୍ଟରେ କେବଳ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟର ସଂପୃକ୍ତିକୁ ଦର୍ଶାଯାଇଛି । ଏଭଳିସ୍ଥଳରେ ସିବିଆଇ ଦିଲ୍ଲୀ ଏମ୍ସର ବିଶେଷଜ୍ଞମାନଙ୍କର ସହାୟତା ନେବ । ସେଥିରୁ ଏହି ଜଘନ୍ୟ ଅପରାଧରେ ଅନ୍ୟ କେହି ସାମିଲ ଅଛନ୍ତି କି ନାହିଁ ତାହା ସ୍ପଷ୍ଟ ହେବ । ଅଦ୍ୟାବଧି ଘଟଣାରେ ଆଉ କାହାର ସଂପୃକ୍ତି ନେଇ ପ୍ରମାଣ ମିଳିନାହିଁ ବୋଲି କିଛି ରିପୋର୍ଟରେ କୁହାଯାଉଛି ।
ତେବେ ସିବିଆଇ ତଦନ୍ତରେ କୌଣସି ପ୍ରକାର ତ୍ରୁଟି ରଖିବାକୁ ଚାହୁଁନଥିବାରୁ ଏମ୍ସ ବିଶେଷଜ୍ଞମାନଙ୍କର ସହାୟତା ନିଆଯିବ । ଇତିମଧ୍ୟରେ ସିବିଆଇ କୋଲକାତାର ଏକ କୋର୍ଟରେ ପୁଲିସ ଏଏସ୍ଆଇ ଅନୁପ ଦତ୍ତଙ୍କର ପଲିଗ୍ରାଫ୍ ପରୀକ୍ଷା କରାଇବା ଲାଗି ଅନୁମତି ମାଗିଛି । ତାଙ୍କ ବିରୋଧରେ ଅପରାଧକୁ ଲୁଚାଇବା ଲାଗି ମୁଖ୍ୟ ଅଭିଯୁକ୍ତ ସଞ୍ଜୟକୁ ସହାୟତା କରିଥିବାର ଅଭିଯୋଗ ରହିଛି । ସୂଚନାଥାଉକି, ପୀଡି଼ତାଙ୍କ ପରିବାର ତାଙ୍କୁ ଗଣବଳାତ୍କାର କରାଯାଇଥିବା ସନ୍ଦେହ ପ୍ରକାଶ କରିଥିଲେ ।