ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କୋରାପୁଟ ସଂସଦୀୟ କ୍ଷେତ୍ର: ପ୍ରାର୍ଥୀ ଚୟନ ପାଇଁ ବିଜେଡିର କସରତ, କଂଗ୍ରେସ ପ୍ରାର୍ଥୀ ସ୍ପଷ୍ଟ, ପଛରେ ବିଜେପି

କୋରାପୁଟ,୨୧/୦୩: କୋରାପୁଟ ଲୋକସଭା ଆସନକୁ କଂଗ୍ରେସର ଗଡ ଭାବେ ବିବେଚନା କରାଯାଏ । ୧୯୫୭ରୁ ଆଜିଯାଏଁ ୧୪ ଥର କଂଗ୍ରେସ ପ୍ରାର୍ଥୀ ସାଂସଦ ଭାବେ ବିଜୟୀ ହୋଇଛନ୍ତି । ବିଜେଡି କେବଳ ଦୁଇ ଥର ଏହି ଆସନ ହାତେଇଥିବା ବେଳେ ବିଜେପି ଖାତା ଖୋଲିପାରିନି । ଏହି ଆସନକୁ ଏଥର ଦାଖଲ ପାଇଁ କସରତ ଆରମ୍ଭ କରିଦେଇଛି ବିଜେଡି । କଂଗ୍ରେସର ଦୁର୍ଗକୁ ପୁନଃ ଅକ୍ତିଆର ପାଇଁ ଉଚିତ ପ୍ରାର୍ଥୀ ଚୟନକୁ ଗୁରୁତ୍ୱ ଦେଉଛି । ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ଆଜି ଭୁବନେଶ୍ୱର ନବୀନ ନିବାସରେ କୋରାପୁଟ ସଂସଦୀୟ କ୍ଷେତ୍ର ପାଇଁ ବସିଛି ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ । 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷା ଭି. କାର୍ତ୍ତିକେୟନ ପାଣ୍ଡିଆନ, କୋରାପୁଟ ଓ ରାୟଗଡା ଜିଲ୍ଲାର ବହୁ ବରିଷ୍ଠ ନେତା, ବିଧାୟକ, ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦଳୀୟ ପର୍ଯ୍ୟବେକ୍ଷକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ଉପସ୍ଥିତ ରହି ମାନସ ମନ୍ଥନ କରିଛନ୍ତି । ଏହି ସଂସଦୀୟ କ୍ଷେତ୍ରର ସାଂସଦ ଓ ବିଧାୟକ ପ୍ରାର୍ଥିତ୍ୱ ପାଇଁ ଆସିଥିବା ଆବେଦନପତ୍ରଗୁଡିକୁ ସମୀକ୍ଷା କରିବା ସହିତ ଦଳର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜିଲ୍ଲାରେ ନେତାଙ୍କ ଦବ୍‌ଦବା, ବିଧାୟକଙ୍କ ଲୋକପ୍ରିୟତା, ଆଶାୟୀଙ୍କ ସଙ୍ଗଠନ ଦକ୍ଷତା, ବିରୋଧୀଙ୍କ ସ୍ଥିତି ଆଦି ଦିଗକୁ ନେଇ ଆଲୋଚନା ହାଇଛି । ବୈଠକରେ କୌଣସି ପ୍ରାର୍ଥିତ୍ୱ ଚୂଡାନ୍ତ ହୋଇନି । କୁହାଯାଇଛି, ଠିକଣା ସମୟରେ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ । ସମସ୍ତ ଦଳୀୟ ନେତୃତ୍ୱ ଓ ବିଧାୟକଙ୍କୁ ଭୁବନେଶ୍ୱରରେ ଡେରା ନ ପକାଇ ନିଜ କ୍ଷେତ୍ରକୁ ଯାଇ ଦଳୀୟ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । 

ଅନ୍ୟପକ୍ଷରେ ବିଜେପି ପୂରା ଚୁପ୍‌ ରହିଛି । ଦଳ ପକ୍ଷରୁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଦଳୀୟ ଶୀର୍ଷ ନେତୃତ୍ୱଙ୍କୁ ପଠାଯାଇଥିବା କୁହାଯାଉଛି । ଏବେ ସୁଦ୍ଧା ବିଜେପି-ବିଜେଡି ମେଣ୍ଟ ଘୋଷଣା ନେଇ କୌଣସି ନିଷ୍ପତ୍ତି ନିଆଯାଇନି । ବର୍ତ୍ତମାନ ଏହି ସଂସଦୀୟ କ୍ଷେତ୍ରରେ କଂଗ୍ରେସର ସପ୍ତଗିରି ଶଙ୍କର ଉଲାକା ସାଂସଦ ରହିଛନ୍ତି । ଏଥର ପୁନର୍ବାର ସେ ଏଠାରୁ ଲଢିବା ଲାଗି ଦଳ ଚୂଡାନ୍ତ କରିସାରିଛି । ବିଜେଡି ଏଠାରେ ଗତ ନିର୍ବାଚନର ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକକାଙ୍କୁ ପୁନଃ ପ୍ରାର୍ଥୀ କରିପାରେ । ଏଥିସହ ରାୟଗଡାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନସୂୟା ମାଝୀ, ବିଷମକଟକ ବିଧାୟକ ତଥା ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ପଟାଙ୍ଗିର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ବିଜେପିରେ ଆଦିବାସୀ ମୋର୍ଚ୍ଚାର ଜାତୀୟ ସାଧାରଣ ସମ୍ପାଦକ କାଳୀରାମ ମାଝୀ ଏବଂ ମହିଳା ସଂଗଠିକା ରଶ୍ମିତା ଟେଟେଙ୍କ ନା ଆଗକୁ ଆସିଛି । 

୨୦୧୯ ନିର୍ବାଚନରେ ଏଠାରେ ୩୪.୩୬ ପ୍ରତିଶତ ଭୋଟ ପାଇ କଂଗ୍ରେସ ପ୍ରାର୍ଥୀ ଶ୍ରୀ ଉଲାକା ବିଜୟୀ ହାଇଥିଲେ । ତାଙ୍କ ପଛକୁ ୩୪.୦୨ ପ୍ରତିଶତ ଭୋଟ ପାଇ ବିଜେଡିର କୌଶଲ୍ୟା ଏବଂ ୧୯.୨୯ ପ୍ରତିଶତ ଭୋଟ ପାଇ ବିଜେପିର ଜୟରାମ ପାଙ୍ଗି ତୃତୀୟରେ ରହିଥିଲେ । ପ୍ରାର୍ଥୀମାନେ ପାଇଥିବା ଭୋଟ ପ୍ରତିଶତକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ, ପୂର୍ବ ଅପେକ୍ଷା କଂଗ୍ରେସର ୩.୬୨ ପ୍ରତିଶତ ଏବଂ ବିଜେଡିର ୫.୯୧ ପ୍ରତିଶତ ଭୋଟ୍‌ହାର କମିଥିଲା । ଅନ୍ୟପକ୍ଷରେ ବିଜେପିର ୧୦.୨ ପ୍ରତିଶତ ଭୋଟ ହାର ବଢିଥିଲା । 

ସେତେବେଳର ବିଜେପି ସାଂସଦ ପ୍ରାର୍ଥୀ ଜୟରାମ ପାଙ୍ଗି ଏବେ କଂଗ୍ରେସରେ ଅଛନ୍ତି । ଦଳ ତାଙ୍କୁ ରାଜ୍ୟ ଆଦିବାସୀ କଂଗ୍ରେସର ସଭାପତି ଦାୟିତ୍ୱ ଦେଇଛି । ଜୟରାମ ଏଠାରେ ପୂର୍ବରୁ ସାଂସଦ ରହିସାରିଥିବା ବେଳେ ତାଙ୍କ ସାଂଗଠନିକ ଦକ୍ଷତା କଂଗ୍ରେସକୁ ଆହୁରି ବଳ ଯୋଗାଇବ । ଗତ ନିର୍ବାଚନରେ ଗୁଣପୁର, ରାୟଗଡ଼ା, ଲକ୍ଷ୍ମୀପୁର ଓ ଜୟପୁର ନିର୍ବାଚନମଣ୍ଡଳୀରେ ଭୋଟ୍‌ ଗଣତିରେ କଂଗ୍ରେସ ଆଗରେ ରହିଥିଲା । କେବଳ ବିଷମକଟକ, କୋରାପୁଟ ଓ ପଟ୍ଟାଙ୍ଗିରେ ହିଁ ବିଜେଡି ଲିଡ୍‌ କରିଥିଲା । ବିଜେପି ରହିଥିଲା ତୃତୀୟ ସ୍ଥାନରେ । ଏହି ଆସନକୁ ହାତେଇବାକୁ ହେଲେ ବିଜେଡି ଓ ବିଜେପିକୁ ଉଚିତ୍‌ ପ୍ରାର୍ଥୀ ଚୟନ ସହିତ ରଣକୌଶଳ ପରିବର୍ତ୍ତନ କରିବାକୁ ପଡ଼ିବ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.