କୋରାପୁଟ୩୦/୦୮: ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଅଗ୍ନିକାଣ୍ଡ । ମାତୃ ଓ ଶିଶୁ ବିଭାଗର ଏସଏନସିୟୁରେ ଲାଗିଲା ନିଆଁ। ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ। ସମସ୍ତ ନବଜାତ ଶିଶୁ ଓ ମା'ଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ସୂଚନା।
ସୂଚନା ମୁତାବକ, ଶୁକ୍ରବାର ମଧ୍ୟାହ୍ନ ସମୟରେ କୋରାପୁଟ ମେଡ଼ିକାଲ କଲେଜର ପ୍ରସୂତି ଓ ଏସ୍ଏନ୍ସିୟୁ ନିକଟରେ ଏକ ବଡ ଶବ୍ଦ ହୋଇଥିଲା। ଏହା ପରେ ଉପରୋକ୍ତ ୱାର୍ଡରେ ଧୂଆଁମୟ ପରିବେଶ ସୃଷ୍ଟି ହୋଇଥିଲା। ଏଥିରେ ନିଆଁ ଲାଗିଥିବା ଭାବି ସମସ୍ତେ ଭୟଭୀତ ହୋଇ ପଡ଼ିଥିଲେ। କାରଣ ଏସ୍ଏନ୍ସି ୟୁରେ ପ୍ରାୟ ୨୫ ଜଣ ନବଜାତକ ଓ ପ୍ରସୂତି ୱାର୍ଡରେ ପ୍ରାୟ ୧୦ ଜଣ ମହିଳା ଥିଲେ। ଏହି ଖବର ପ୍ରଚାର ହେବା ପରେ ହସ୍ପିଟାଲ୍ର ସମସ୍ତେ ଭୟଭୀତ ହୋଇ ପଡ଼ିଥିଲେ। ପରେ ମେଡ଼ିକାଲ କଲେଜ୍ କତ୍ତୃପକ୍ଷ ଉପସ୍ଥିତ ବୁଦ୍ଧି ଖଟାଇ ନବଜାତ ଶିଶୁ ଏବଂ ପ୍ରସୂତି ମହିଳାମାନଙ୍କୁ ସେଠାରୁ ସ୍ଥାନାନ୍ତର କରିଥିଲେ। ଫଳରେ ଏକ ବଡ ଅଘଟଣ ଅଳ୍ପକେ ବର୍ତ୍ତିଯାଇଥିଲା। ଖବର ପାଇ ଘଟଣାସ୍ଥଳକୁ ଅଗ୍ନିଶମ ବାହିନୀ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲା। ଉପ ଜିଲ୍ଲାପାଳ ବେଣୁଧର ଶବର ପହଞ୍ଚି ନବଜାତ ଓ ପ୍ରସୂତି ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ହସ୍ପିଟାଲରେ ଭୟ ଓ ଆତଙ୍କର ବାତାବରଣ ଲାଗି ରହିଥିବା ଜଣାପଡିଛି।