ନୂଆଦିଲ୍ଲୀ: ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ପୁଣି ଥରେ ଭାରତ ବିରୋଧରେ ବିଷ ଉଗାରିଛନ୍ତି । ତାଙ୍କ ମନରେ ଥିବା ଚୀନ୍ ପ୍ରେମ ପୁଣି ଥରେ ସୀମା ଡେଇଁ ବାହାରକୁ ଆସିଛି । ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟିର ଅଧ୍ୟକ୍ଷ କମଲ ଥାପାଙ୍କ ପୁସ୍ତକ ଉନ୍ମୋଚନ ସମାରୋହରେ କେପି ଓଲିଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଅବସରରେ ଓଲି ଭାରତ ବିରୋଧୀ ଚିନ୍ତାଧାରା ରଖୁଥିବା ଲୋକଙ୍କୁ ଉସୁକାଇବା ପାଇଁ ଚେଷ୍ଟା କରିଥିବା କୁହାଯାଉଛି । ତେବେ କମଲ ଥାପା ୨୦୧୫ରେ ତଥାକଥିତ ‘ଭାରତୀୟ ପ୍ରତିରୋଧ’ ସମୟରେ ବୈଦେଶିକ ମନ୍ତ୍ରୀ ଥିବା ବେଳେ ଓଲି ପ୍ରଧାନମନ୍ତ୍ରୀ ଥିଲେ । ଥାପା ନିଜର ପୁସ୍ତକ ‘ଭୂ ରାଜନୀତି ଓ ପ୍ରତିରୋଧ’ ରେ ୨୦୧୫ର ଘଟଣାକ୍ରମ ସଂପର୍କରେ ଲେଖିଛନ୍ତି ।
ପୁସ୍ତକରେ ଭାରତକୁ ଜୋରଦାର ବିରୋଧ କରିଛନ୍ତି ଏବଂ ଚୀନକୁ ପ୍ରଶଂସାରେ ପୋତି ପକାଇଛନ୍ତି କମଲ ଥାପା । କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକଙ୍କୁ ଓଲି କହିଛନ୍ତି, ‘ଭୂ-ରାଜନୀତି ଆମର ବୈଧ ରାଷ୍ଟ୍ରୀୟ ହିତର ରକ୍ଷା ସଂପର୍କରେ ବାର୍ତ୍ତା ଦେଉଛି । ଆମେ ଆମର ପଡ଼ୋଶୀଙ୍କୁ ନିଜର ଚିନ୍ତା ଏବଂ ସ୍ଥିତି ସଂପର୍କରେ ସ୍ପଷ୍ଟ ଭାବରେ କହିବାକୁ ପଡ଼ିବ । କାରଣ ଆମେ ପରଷ୍ପର ବିରୋଧରେ କାର୍ଯ୍ୟ କରୁନାହୁଁ । ଆମେ ଏକ ଭଲ ପଡ଼ୋଶୀ ହେବାକୁ ଚାହୁଁଛୁ । ଓଲି ଆହୁରି କହିଛନ୍ତି ଯେ, ନେପାଳ ନିଜ ପଡ଼ୋଶୀଙ୍କ ପାଖରୁ ଠିକ ସେମିତି ବ୍ୟବହାର ଆଶା କରୁଛି ଯେମିତି ଆମେ ସେମାନଙ୍କୁ ଦେଉଛୁ । ତେବେ ବୋଧହୁଏ ପ୍ରଥମ ଥର ଲାଗି ପଡ଼ୋଶୀ ରାଷ୍ଟ୍ର ସଂପର୍କରେ କେପି ଓଲି ବିସ୍ତୃତ୍ବ ଭାବରେ କହିଛନ୍ତି ।
ସେ କହିଛନ୍ତି, ‘ ଆମେ ନେପାଳର ଭୂମିକୁ ପଡ଼ୋଶୀଙ୍କ ବିରୋଧରେ ବ୍ୟବହାର କରିବାକୁ ଦେବୁନାହିଁ । ଭୂ-ରାଜନୀତିରେ ହେଉଥିବା ଅନିଶ୍ଚିତତା ସଂପର୍କରେ ଆମେ ସଚେତନ ରହିଛୁ । ଆମେ ବିଶ୍ବ ଶାନ୍ତିର ପକ୍ଷଧର ହୋଇଥିବା ବେଳେ ଦେଶବାସୀଙ୍କ ହିତ ପାଇଁ ତତ୍ପର ।’ ୨୦୧୫-୧୬ରେ ତଥାକଥିତ ‘ଭାରତୀୟ ଅବରୋଧ’ ଉପରେ କେପି ଓଲି କହିଛନ୍ତି ଯେ, ‘ଆମେ ଆତ୍ମସମର୍ପଣ କରିନଥିଲୁ । ଆମେ ବହୁତ କ୍ଷତି ସହିଲୁ । କିନ୍ତୁ ଲୋକଙ୍କ ପାଇଁ ଯାହା ଠିକ ଥିଲା ଆମେ ସେୟା କଲୁ ।’
ଭୂ-ରାଜନୀତିକୁ ନେଇ ନେପାଳ ପ୍ରଧାନମନ୍ତ୍ରୀ କେପି ଓଲି କହିଛନ୍ତି, ଯଦି ଆମେ ନିଜର ଦୁର୍ବଳତାକୁ ଲୁଚାଇବାକୁ ଚାହାଁନ୍ତି । ଯଦି ଆମେ କୌଣସି ସମସ୍ୟା ସମାଧାନ କରିବାକୁ ଅସମର୍ଥ ହୁଅନ୍ତି ତେବେ ଭୂ-ରାଜନୀତିକୁ ଦୋଷ ଦେବା ଏକ ସହଜ ଉପାୟ ହୋଇଗଲାଣି । ସେପଟେ ଓଲି ଆହୁରି କହିଛନ୍ତି ଯେ, ଆମର ଦୁଇଟି ପଡ଼ୋଶୀ ଅଛନ୍ତି । ଅନେକ ଥର ସଂପର୍କରେ ଉତ୍ଥାନ ପତନ ହୋଇପାରେ । କିନ୍ତୁ ଆମେ ପଡ଼ୋଶୀଙ୍କୁ ପରିବର୍ତ୍ତନ କରିପାରିବା ନାହିଁ ବୋଲି କହିଛନ୍ତି କେପି ଶର୍ମା ଓଲି ।