ପ୍ରମୁଖ ଖବର
  • ପ୍ରକାଶ ପାଇଲା ୟୁପିଏସ୍‌ସି ରେଜଲ୍ଟ, ୧୮୦ ଆଇଏଏସ୍., ୨୦୦ ଏଇପିଏସ୍‌, ୩୭ ଆଇଏଫଏସ କୃତ୍ତକାର୍ଯ୍ୟ
  • ||
  • କେନ୍ଦୁଝର ଅଦାଲତ ସଂଲଗ୍ନ ଔଷଧ ଦୋକାନରେ ପଶିଲା ବାରାହା
  • ||
  • ଆକାଶରୁ ନିଆଁ ବର୍ଷା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁ ଉତ୍ତପ୍ତ ସହର ପାଲଟିଲା ବାଲେଶ୍ୱର
  • ||
  • ବାରିପଦା: ପୋଖରୀ ରେ ଗାଧୋଉଥିବା ବେଳେ ଦୁଇ ଭଉଣୀଙ୍କ ମୃତ୍ୟୁ
  • ||
  • ଆସିଲା ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୨୧ ବିଧାନସଭା ପ୍ରାର୍ଥୀଙ୍କ ନା ଘୋଷଣା, ୧୪ ଆସନ ପାଇଁ ଛାଣ୍ଡିନି ଅଙ୍କ
  • ||
  • ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ତଥ୍ୟ ସଂଶୋଧନ, ଶେଷ ସୁଯୋଗ ଆଜି
  • ||
  • ମଙ୍ଗଳବାର ରଥଯାତ୍ରା ଦ୍ୱିତୀୟ ପ୍ରସ୍ତୁତି ବୈଠକ: ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରଉତ୍ସବ ଓ ଶ୍ରୀଗୁଣ୍ଡିଚା ଚାଲେଞ୍ଜ ହେବ
  • ||
  • IPL 2024: ଇଡେନ୍‌ରେ କୋଲକାତା-ରାଜସ୍ଥାନ ମୁକାବିଲା, ଶୀର୍ଷ ସ୍ଥାନ ପାଇଁ ହେବ ଲଢ଼େଇ
  • ||
  • ପବିତ୍ର ଅଶୋକାଷ୍ଟମୀ: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ର, ମଧ୍ୟାହ୍ନ ସାଢ଼େ ୧୨ଟାରେ ପହଣ୍ଡି, ସାଢ଼େ ୩ଟାରେ ରଥ ଟଣା
  • ||
  • ଆଗକୁ ଭୟାନକ ଅଗ୍ନି ବର୍ଷା, ୪୫ ଛୁଇଁବ ତାପମାତ୍ରା: ସପ୍ତାହ ଯାଏ କମିବନି ତାତି
  • ||

ଆସ, ବସି ଗପିବା

ଖୁସି ଲାଗିଲା, ବହୁଦିନ ପରେ ପୁରୁଣା ବନ୍ଧୁ ଜଣେ ଆସିଲେ । କହିଲି "ଭଲ ହେଲା । ଚାଲ, ବାହାର ପିଣ୍ଡାରେ ବସିବା । ମନ ଖୋଲି ଗପିବା ।' ବନ୍ଧୁ କହିଲେ "ଗପିବାକୁ ଆଉ କ'ଣ ବେଳ ଅଛିରେ ଭାଇ । ସକାଳୁ ଉଠି ରାତିରେ ଶୋଇବା ପର୍ଯ୍ୟନ୍ତ ଖାଲି କାମ ଆଉ କାମ । ମରିବାକୁ ବି ଫୁରସତ୍‌ ନାହିଁ ।' ବୃତ୍ତିଗତ ଜୀବନରୁ ସଦ୍ୟ ଅବସର ନେଇଥିବା ବନ୍ଧୁଙ୍କୁ ଆଶ୍ଚର୍ଯ୍ୟ ହୋଇ ଚାହିଁଲି । ମୋ ଚାହାଣିର ଅର୍ଥ ସେ ବୁଝିପାରିଲେ । କହିଲେ- ପୁଅ ବୋହୂ ସକାଳ ଆଠଟାରେ ତାଙ୍କ କାମରେ ବାହାରିଗଲେ । ମୁଁ ଆସିଛି ମାର୍କେଟ, ପରିବାପତ୍ର ନେବି । ତା'ପରେ ନାତିଟୋକାକୁ ସ୍କୁଲରେ ଛାଡ଼ିବି । ଦିନ ୩ଟାରେ ସ୍କୁଲରୁ ଆଣିବି । ସନ୍ଧ୍ୟାରେ ମୋର ପ୍ରିୟ ଟିଭି ସିରିଆଲ । ଆଉ ସମୟ କାହିଁ? 

ମୁଁ ହସିଲି । ପଚାରିଲି- ନାତିକୁ ଗପ ଶୁଣଉଛୁ ନା ନାହିଁ? ସେ କହିଲା, ଭାଇ ତୁ ସିନା ଗପ ଲେଖୁ । ହେଲେ ମୋତେ ବନେଇ ଚୁନେଇ ଗପ କହିବା ଜଣାନାହିଁ । ମୋ ପୁଅକୁ ତା' ପିଲାଦିନେ ମୋ ସାନଭାଇ ଗପ ଶୁଣଉଥିଲା । ତା'ଠୁ ଗପ ଶୁଣି ଶୁଣି ସେ ବଡ଼ ହୋଇଛି । କାର୍ଯ୍ୟବ୍ୟସ୍ତତା ଭିତରେ ବି ମଝିରେ ମଝିରେ ଗପ ଲେଖେ, ଆଉ ରାତିରେ ମୋ ନାତିକୁ ସେଇ ଗପ ଶୁଣାଏ । ଶୁଣି ଆଶ୍ୱସ୍ତ ହେଲି ଯେ, ବନ୍ଧୁର ପୁଅ ତା' ପୁଅକୁ ଗପ ଶୁଣାଏ । ତା' ପାଇଁ ସମୟ ଦିଏ । ମୋ ବନ୍ଧୁର ସୌଭାଗ୍ୟକୁ ମନେ ମନେ ଈର୍ଷା କଲି ଯେ, ଯାହାହେଉ ତା' ପାଖରେ ପୁଅ, ବୋହୂ, ନାତି ଅଛନ୍ତି ।

ମୁଁ ବାଟ ଚାହିଁ ବସୁଥିଲି । କେହି ଜଣେ ଆସନ୍ତା କି କାହା ସାଙ୍ଗରେ ମନ ଖୋଲି ଗପି ପାରନ୍ତି । ଅନେକ ଦିନ ପରେ ବନ୍ଧୁ ଜଣେ ଆସିଲେ ଯେ, ହେଲେ ତାଙ୍କ ପାଖରେ ବି ଗପିବାକୁ ସମୟ ନାହିଁ । ଆଉ ଯେଉଁମାନେ ଆସନ୍ତି, ସେମାନେ କାମର ବାହାନା ନେଇ ଆସନ୍ତି ଓ ଚାଲିଯାଆନ୍ତି । ହଁ, ଦିନ ଥିଲା, ଯେତେବେଳେ ରାଜନୀତିରେ ସକ୍ରିୟ ଥିବା ଏବଂ ଏକାଧିକ ଥର ମନ୍ତ୍ରୀପଦ ଭୋଗ କରିଥିବା ବନ୍ଧୁ ଜଣେ ଆସୁଥିଲେ ବେଳ-ଅବେଳରେ ଏବଂ ଦୀର୍ଘ ସମୟଯାଏଁ ଗପି ଚାଲୁଥିଲେ । କଥା ଆରମ୍ଭ ହେଉଥିଲା ରାଜନୀତିରୁ । ଶେଷ ହେଉଥିଲା ସାହିତ୍ୟ ଚର୍ଚ୍ଚାରେ । ଅକାଳରେ, କରୋନା ସମୟରେ ସେ ଚାଲିଗଲେ । ସେଇ ବନ୍ଧୁ ସେକ୍‌ ମତଲୁବ୍‌ ଅଲିଙ୍କୁ ମୁଁ ଅନେକ ସମୟରେ ଝୁରି ହୁଏ ।

କେଉଁଠି ଥରେ ପଢ଼ିଥିଲି, ଆମର ଡାକ୍ତରମାନେ କହୁଥିଲେ, ଖାଲି ଗପିବା ଦେହ ପାଇଁ, ମନ ପାଇଁ ଭଲ । ଏପରିକି ବାଜେ ଗପରେ ମାତିଥିବା ଲୋକଙ୍କ ମାନସିକ ଚାପ ସେଇ ବାଟ ଦେଇ ମୁକ୍ତି ପାଏ । ସେମାନଙ୍କ ମନ ପ୍ରଫୁଲ୍ଲ ରହେ । ସେମାନେ ବୁଢ଼ାବୁଢ଼ୀ ହେଲା ପରେ ବି ସେମାନଙ୍କ ସ୍ମରଣଶକ୍ତି ଠିକ୍‌ ରହେ । ପରିଣତ ବୟସରେ ବି ସେମାନଙ୍କ ଚପଳତା ଜାରି ରହୁଥିବାରୁ ସେମାନେ ଦୀର୍ଘାୟୁ ରହନ୍ତି । ସେମାନଙ୍କ ଠାରୁ ଧାପେ ଆଗକୁ ଯାଇ ଆଉ ଦଳେ ଗବେଷକ ଏହା ବି କହିଲେଣି ଯେ, ବାଜେ ଗପବେଳେ ପରଚର୍ଚ୍ଚା କରିବା ବି ଦେହ ଏବଂ ମନ ପାଇଁ ବେଶ୍‌ ଭଲ । ହେଲେ ଏସବୁ କଲାବେଳେ କିଛି ସାବଧାନତା ଅବଲମ୍ବନ କରିବା ଉଚିତ ହେବ । ନହେଲେ ହରଡ଼ଘଣାରେ ପଡ଼ିବାର ସମ୍ଭାବନା ଅଛି । ସମାଜ ବିଜ୍ଞାନୀମାନେ କହନ୍ତି ଯେ, ଯେଉଁ ସମାଜରେ ଫାଲ୍‌ତୁ ଗପ ଏବଂ ବାଜେ ଚର୍ଚ୍ଚାରେ ସମୟ କାଟିବା ଉପରେ କୌଣସି ପ୍ରତିବନ୍ଧକ ନାହିଁ, ସେଭଳି ସମାଜ ହେଉଛି ଗୋଟେ ସୁସ୍ଥ ସମାଜ । ଏଭଳି ସମାଜ ବ୍ୟକ୍ତିର ବାକ୍‌ ସ୍ୱାଧୀନତା ଉପରେ ଗୁରୁତ୍ୱ ଦିଏ । କିନ୍ତୁ ଯେଉଁ ସମାଜ ଏହାକୁ ପ୍ରଶ୍ରୟ ଦିଏନାହିଁ, ସେଭଳି ସମାଜ ଏକଚ୍ଛତ୍ରବାଦ ଆଡ଼କୁ ଆଗଉଛି ବୋଲି ବୁଝିବାକୁ ହେବ । ଯେଉଁ ଗୁରୁଜନମାନେ ଫାଲ୍‌ତୁ ଗପ କରିବାକୁ ପିଲାମାନଙ୍କୁ ରୋକନ୍ତି ଏବଂ ନିରବ ରହିବାକୁ ପରାମର୍ଶ ଦିଅନ୍ତି, ସେମାନେ ପିଲାମାନଙ୍କ ବ୍ୟକ୍ତିତ୍ୱକୁ ବିକାଶ ହେବାକୁ ଦିଅନ୍ତି ନାହିଁ ବୋଲି କିଛି ଗବେଷକ କହିଲେଣି ।

ଯେତେ ମନା କଲେ ବି ଆମେ ସମସ୍ତେ ଫାଲ୍‌ତୁ ଗପ ଗପିବାକୁ ଚାହୁଁ । ପରଚର୍ଚ୍ଚା କଲେ ମିଳୁଥିବା ଆନନ୍ଦ କଥା ଊଣା ଅଧିକେ ସମସ୍ତେ ଜାଣନ୍ତି । ଇଂରାଜୀ ଭାଷାରେ ଚଟପଟା, ପରଚର୍ଚ୍ଚା ସମ୍ବଳିତ ବାଜେ ଚର୍ଚ୍ଚାକୁ ନେଇ ଯେଉଁ ଟାବଲଏଡ୍‌ ଖବରକାଗଜ ବିକ୍ରି ହୁଏ, ତା'ର ସଂଖ୍ୟା ବଡ଼ ବଡ଼ ଖବରକାଗଜର ସଂଖ୍ୟା ଠାରୁ ଢେର୍‌ ଅଧିକ । କେବଳ ଯେ ନିମ୍ନ ରୁଚିସମ୍ପନ୍ନ ଲୋକେ ଟାବଲଏଡ୍‌ କିଣନ୍ତି ଏବଂ ପଢ଼ନ୍ତି, ତାହା ନୁହେଁ । ସଭ୍ୟ, ସୁଶିକ୍ଷିତ ଲୋକେ ମଧ୍ୟ ଏହା କିଣି ପଢ଼ନ୍ତି । କେବଳ ଇଂରାଜୀ ଭାଷାରେ ନୁହେଁ, ପୃଥିବୀର ସବୁ ଦେଶରେ, ସବୁ ସମାଜରେ, ସବୁ ଭାଷାରେ ଏଭଳି ଶସ୍ତା କଥାକୁ ନେଇ ଚାଲୁଥିବା ଖବରକାଗଜର ବିକ୍ରି ଏବଂ ଆଦର ତୁଳନାତ୍ମକ ଭାବେ ବେଶ୍‌ ଅଧିକ । ଏହା ହିଁ ଦର୍ଶାଏ ଯେ, ଆମେ ସତରେ ଏଭଳି ଚର୍ଚ୍ଚାରେ ମନ ଦେବାକୁ ଚାହୁଁ । ତେବେ ସର୍ବେକ୍ଷଣ କହେ, ସାଧାରଣତଃ ଆମମାନଙ୍କ ଫାଲ୍‌ତୁ ଚିନ୍ତାର ବିଷୟବସ୍ତୁ ହୁଅନ୍ତି ଆମର ପାଖପଡ଼ୋଶୀ । ଏପରି ବି ଜଣାପଡ଼ିଛି, ଗୋଟିଏ ପରିବାର ଏକାଠି ହେବା ପରେ ସେଇ ପରିବାରର ବିଭିନ୍ନ ସଦସ୍ୟଙ୍କ ନାମରେ ଫାଲ୍‌ତୁ ଚର୍ଚ୍ଚା ଏକ ମୁଖ୍ୟ କାମ ହୋଇଯାଏ । ତେବେ ଯେପର୍ଯ୍ୟନ୍ତ କୌଣସି ଚର୍ଚ୍ଚା ଷଡ଼ଯନ୍ତ୍ରର ସ୍ତରକୁ ନଯାଇଛି ଏବଂ ଅପେକ୍ଷାକୃତ ଭାବେ ନିରୀହ ରହିଛି, ସେ ପର୍ଯ୍ୟନ୍ତ ଚର୍ଚ୍ଚା ଚଳନୀୟ ।

ବାଜେ ଗପ ସପକ୍ଷରେ ଏତେ କଥା କହିବା ପରେ ମୋ ଗପ ଶେଷ କରିବି ଦାର୍ଶନିକ ସକ୍ରେଟିସଙ୍କ ଏକ ନୀତିକଥାରେ । ସକ୍ରେଟିସ୍‌ଙ୍କ ପାଖକୁ ଜଣେ ପରିଚିତ ବ୍ୟକ୍ତି ଆସି କହିଲେ- ଆପଣଙ୍କ ବନ୍ଧୁଙ୍କ ବିଷୟରେ କିଛି ଶୁଣିଲି । ଆପଣ ସେ କଥା ଜାଣିଛନ୍ତି କି? ସକ୍ରେଟିସ୍‌ କହିଲେ- ପ୍ରଥମେ ମୋ ତିନୋଟି ପ୍ରଶ୍ନର ଉତ୍ତର ଦିଅ । ପ୍ରଥମ ପ୍ରଶ୍ନ- ଆପଣ ଯାହା କହିବାକୁ ଯାଉଛନ୍ତି, ତାହା ସମ୍ପୂର୍ଣ୍ଣ ସତ୍ୟ । ନା, ମୁଁ କେବଳ ଶୁଣିଛି । ଦ୍ୱିତୀୟ ପ୍ରଶ୍ନ- ମୋ ବନ୍ଧୁଙ୍କ ବିଷୟରେ କିଛି ଭଲ କଥା କହିବାକୁ ଯାଉଛନ୍ତି କି? ନା, ଏହା କୌଣସି ଭଲ ଖବର ନୁହେଁ । ତୃତୀୟ- ଆପଣ ଯାହା କହିବେ, ତାହା ମୋ ପାଇଁ ଉପଯୋଗୀ କି? ନା, ଏହା ଆପଣଙ୍କ ପାଇଁ ଉପଯୋଗୀ ନୁହେଁ । ସକ୍ରେଟିସ ହସି ହସି କହିଲେ- ଆପଣ ଯାହା କହିବାକୁ ଯାଉଛନ୍ତି, ତାହା ସତ୍ୟ ନୁହେଁ, ଶୁଭ ନୁହେଁ, ମୋ ପାଇଁ ଉପଯୋଗୀ ନୁହେଁ । ତେବେ ମୁଁ ସେକଥା ଶୁଣିବି କାହିଁକି?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.