ଚନ୍ଦାହାଣ୍ଡି, ୩୦/୮ : ପାନାବେଡା ଅଂଚଳର ଇଷ୍ଟ ଦେବୀମାନଙ୍କ ମଧ୍ୟରେ ମା’ପାଟଣେଶ୍ୱରୀ, ମା’ ଖଲିଗଡେନ, ମା’ ଖମ୍ବେଶ୍ୱରୀ ଓ ମା’ ଦଳବେଡିଆଣୀ ପ୍ରମୁଖ । ଏହି ଚାରି ଇଷ୍ଟଦେବୀଙ୍କ ମଧ୍ୟରେ ଦଳବେଡିଆଣୀଙ୍କ ପୂଜା ବିଧି ଅନ୍ୟତମ । ପ୍ରତିବର୍ଷ ଦଳବେଡା ଗ୍ରାମସ୍ଥିତ ମା’ ଦଳବେଡିଆଣୀଙ୍କ ପୀଠରେ ଦଣ୍ଡ ସରା ଯାତ୍ରା ଅବସରରେ ମା’ଙ୍କ ବାର୍ଷିକ ଉତ୍ସବ ପାଳନ କରାଯାଇଥାଏ ।
ଅଂଚଳର ଏହି ପ୍ରମୁଖ ଦେବୀଙ୍କ ପୀଠମାନଙ୍କରେ ପୂଜା ସମାପନ ପରେ ବ୍ଲକର ସମସ୍ତ ଗ୍ରାମରେ ନବାନ୍ନ ଭକ୍ଷଣ କରାଯିବାର ନିୟମ ଆଦିମ କାଳରୁ ଚାଲିଆସିଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦଳବେଡିଆଣୀ ପୀଠରେ ପାଟଖଲିଆ ପୁଜାରୀ ଉଗ୍ରେସନ ପୁଜାରୀଙ୍କ ପୌରହିତ୍ୟରେ ଏହି ଯାତ୍ରା ପାଳନ କରାଯାଇଥିଲା । ଏଥି ନିମନ୍ତେ ବ୍ଲକର ସମସ୍ତ ୮୪ ଖଣ୍ଡ ଗ୍ରାମର ବିଭିନ୍ନ ଦେବାଦେବୀଙ୍କ ପୁଜାରୀମାନେ ନିମନ୍ତ୍ରିତ ହୋଇ ମା’ଦଳବେଡିଆଣୀ ପୂଜାସ୍ଥଳରେ ପଂହଚିଥିଲେ ।
ଅଂଚଳର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନେ ନିଜ ନିଜ ମନସ୍କାମନା ପୂରଣ ନିମନ୍ତେ ପାରା, ଛାଗ, କୁକୁଡା ଆଦି ବଳିଦେଇ ମା’ଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ । ଏହି ଯାତ୍ରାରେ ଦେବି ପୂଜାରୀ, ହର ପୂଜାରୀ, ନୃସିଂହ ମାଝୀ, କରୁଣା ପୂଜାରୀ, କମଳୁ ମନହୀରା, ଟେକରାମ ମାଝୀ, ପଦଲାମ ମାଝୀଙ୍କ ସମେତ ଅଞ୍ଚଳବାସୀ ଯୋଗ ଦେଇଥିଲେ ।