ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ୟୁନିଫାଇଡ୍ ପେନସନ ସ୍କିମ୍ (ୟୁପିଏସ)ର ଘୋଷଣାର ଦିନକ ପରେ ହିଁ ମହାରାଷ୍ଟ୍ର ସରକାର ରାଜ୍ୟ କର୍ମଚାରୀଙ୍କ ପାଇଁ ମଧ୍ୟ ଏହି ଯୋଜନାର ମଞ୍ଜୁରୀ ଦେଇଛନ୍ତି। କେନ୍ଦ୍ରର ଏହି ଯୋଜନାକୁ ନିଜ ରାଜ୍ୟରେ ଲାଗୁ କରିବାରେ ମହାରାଷ୍ଟ୍ର ପ୍ରଥମ ରାଜ୍ୟ ହୋଇଛି। ରବିବାର (୨୫ ଅଗଷ୍ଟ) ମହାରାଷ୍ଟ୍ର କ୍ୟାବିନଟ୍ ଏହି ସ୍କିମ୍କୁ ଅନୁମୋଦନ କରିଛି। ଏଥିରେ ଏବେ ଏବେ ରାଜ୍ୟରେ ନ୍ୟୁ ପେନସନ ସ୍କିମ୍ (ଏନପିଏସ)ର ସ୍ଥାନରେ ୟୁପିଏସ ଲାଗୁ ହେବାର ରାସ୍ତା ସ୍ପଷ୍ଟ ହୋଇ ଯାଇଛି।
ସୂଚନା ଆଧାରରେ , ୨୩ ଲକ୍ଷ ସରକାରୀ କର୍ମଚାରୀ ୟୁପିଏସର ସୁବିଧା ପାଇବେ। ଯେଉଁଥିରେ ଶେଷ ୧୨ ମାସର ବେସିକ୍ ପେ’ ର ହାରାହାରି ବେତନର ୫୦ ପ୍ରତିଶତ ଅବସର ପରେ ଦିଆଯିବ। କର୍ମଚାରୀଙ୍କୁ ଅତି କମରେ ୨୫ ବର୍ଷ ସର୍ଭିସ କରିବାର ସମୟ ସୀମା ରହିବ । ପାରିବାରିକ ପେନସନ ବିଷୟରେ କହିବାକୁ ଗଲେ, କର୍ମଚାରୀଙ୍କ ମୃତ୍ୟୁ ପରେ କର୍ମଚାରୀଙ୍କ ପେନ୍ସନ୍ର ୬୦ ପ୍ରତିଶତ ପରିବାରର ଯେକୌଣସି ଯୋଗ୍ୟ ସଦସ୍ୟଙ୍କୁ ଦିଆଯିବ। ଯଦି ଜଣେ କର୍ମଚାରୀ କେବଳ ୧୦ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ କିମ୍ବା ୨୫ ବର୍ଷରୁ କମ୍ ସର୍ଭିସ କରିଛନ୍ତି, ତେବେ ତାଙ୍କୁ ସର୍ବନିମ୍ନ ୧୦ ହଜାର ଟଙ୍କା ପେନସନ ଦିଆଯିବ
କହି ରଖୁଛୁ କି , କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କ ପାଇଁ ଏକ ନୂତନ ଯୋଜନା, ୟୁନିଫାଏଡ୍ ପେନସନ୍ ସ୍କିମ୍ (ୟୁପିଏସ୍) ଘୋଷଣା କରିଛନ୍ତି। ଏହି ପେନସନ ଯୋଜନା ସରକାରୀ କର୍ମଚାରୀଙ୍କ ପାଇଁ ୧ ଏପ୍ରିଲ୍ ୨୦୨୫ରୁ ଲାଗୁ ହେବ। ଏହି ଯୋଜନା ଅନ୍ତର୍ଗତ କର୍ମଚାରୀଙ୍କୁ ସରକାର ନିଶ୍ଚିତ ପେନସନ୍ ପ୍ରଦାନ କରିବେ। ଏହି ଯୋଜନା କର୍ମଚାରୀଙ୍କ ମୃତ୍ୟୁ ପରେ ପରିବାରକୁ ପେନସନ ମଧ୍ୟ ଦେବ। ଏହା ବ୍ୟତୀତ ସର୍ବନିମ୍ନ ନିଶ୍ଚିତ ପେନସନ ମଧ୍ୟ ଏହା ଅଧୀନରେ ଦିଆଯିବ ।