ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଧାୟକ, ସାଂସଦଙ୍କ ପାଦ ପଡ଼ିନଥିବା ଗାଁ, ପୋଷ୍ଟର ଦେଖି ଭୋଟ ଦିଅନ୍ତି ଲୋକେ !

ବଲାଙ୍ଗିର, ୧୦।୪(ମୁକେଶ ବହିଦାର): ବସୁମତୀ ଭୁଏ, ବୟସ ପ୍ରାୟ ୭୫ ହେବ । ବିଗତ ନିର୍ବାଚନମାନଙ୍କରେ ସେ କାହାକୁ ଭୋଟ ଦେଇଛନ୍ତି, ଜାଣିନାହାନ୍ତି । ତାଙ୍କର ନେତା କିଏ ତାହା ବି ସିଏ କହି ପାରି ନାହାନ୍ତି । ହେଲେ ସେ ଭୋଟ ଦେଇଛନ୍ତି, କେବଳ ଏତିକି ହିଁ ଜାଣିଛନ୍ତି । କାହାକୁ ଭୋଟଦେଇଛ ବୋଲି ପଚାରିଲେ, ଗାଁଯାକ ଲୋକ ଯାହାକୁ ଦେଇଛନ୍ତି ସେ ବି ତାକୁ ଭୋଟ ଦେଇଥିବା କହିଥିଲେ । ଭୋଟ୍‌ର କିଛିଦିନ ଆଗରୁ ରାଜନୈତିକ ଦଳର କେତେକ କର୍ମୀ ଆସି କାନ୍ଥରେ ବିଭିନ୍ନ ଦଳର ନେତାଙ୍କ ଫଟୋ ମାରି ଚାଲିଯାନ୍ତି । ତାର କିଛିଦିନ ପରେ ଆସି କାହାକୁ ଭୋଟ ଦେବ ସେକଥା କହିଦେଇ ଯାଆନ୍ତି । ଭୋଟଦିନ ଗାଁର ସଭିଏଁ ଯାଇ ଭୋଟ ଦେଇଥାନ୍ତି । 

ସାଧାରଣ ନିର୍ବାଚନ ପୂର୍ବରୁ ବଲାଙ୍ଗିର ଜିଲ୍ଲା ସୀମାର ଖପ୍ରାଖୋଲ ବ୍ଲକ୍‌ର ଅପହଞ୍ଚ ଗ୍ରାମଗୁଡ଼ିକରୁ ଏମିତି ଉଦ୍‌ବେଗ ସୃଷ୍ଟିକାରୀ କଥା ସାମ୍ନାକୁ ଆସିଛି । ବଲାଙ୍ଗିର ସୀମାର ଗ୍ରାମବାସୀମାନେ ତାଙ୍କ ଅଧିକାର ପ୍ରତି ସଚେତନ । ସାବାଳକ ହେବା ପରଠୁ ପ୍ରତିଥର ସେମାନେ ଭୋଟ ଦେଇ ଆସୁଛନ୍ତି । କିନ୍ତୁ ସେମାନେ ଯାହାଙ୍କୁ ଭୋଟ ଦେଇଥାନ୍ତି, ସେ ନେତାକୁ କେବେ ପାଖରୁ ଦେଖିନାହାନ୍ତି । ନା ଭୋଟ ପୂର୍ବରୁ, ନା ଭୋଟ ପରେ । ଭୋଟ କ’ଣ ସେମାନେ ଜାଣିନାହାନ୍ତି କିମ୍ବା ଭୋଟ ଦେଲା ପରେ କଣସବୁ ହୁଏ ତାହାବି ସେମାନଙ୍କୁ ଜଣାନାହିଁ । ତଥାପି ଭୋଟ ଦେବାରେ ହେଳା କରନ୍ତିନି । ବଲାଙ୍ଗିର ଲୋକସଭା କ୍ଷେତ୍ର ଅନ୍ତର୍ଗତ ପାଟଣାଗଡ଼ ନିର୍ବାଚନମଣ୍ଡଳୀ ଖପ୍ରାଖୋଲ ବ୍ଲକର ସୀମା ଗନ୍ଧମାର୍ଦ୍ଦନ ପାଦଦେଶରେ ଏଭଳି କେତେକ ଗାଁ ଥିବା ଜାଣିବା ପରେ ଆମେ ଯାଇଥିଲୁ ଉକ୍ତ ବ୍ଲକ ଅନ୍ତର୍ଗତ ନାନ୍ଦୁପଲା ପଞ୍ଚାୟତର ମାଓ ଅଧ୍ୟୁଷିତ ନୂଆପାଲି ଓ ମହୁଲପାଲି ଗ୍ରାମକୁ । ଉଭୟ ଗ୍ରାମରେ ପ୍ରାୟ ୧୧୦ ଭୋଟର ରହିଛନ୍ତି । 

ନୂଆପାଲିର ଭୋଟର ନାନ୍ଦୁପଲା ବୁଥରେ ଏବଂ ମହୁଲପାଲିର ଭୋଟର କନ୍ଦରାଭଟା ବୁଥରେ ଭୋଟ ଦିଅନ୍ତି । ଖପ୍ରାଖୋଲ ବ୍ଲକ ମୁଖ୍ୟାଳୟରୁ ପ୍ରାୟ ୧୫କିମି ଦୁର୍ଗମ ଜଙ୍ଗଲ ରାସ୍ତାରେ ଗଲାପରେ ପ୍ରଥମେ ପଡ଼େ ନୂଆପାଲି ଗ୍ରାମ । ଗାଁ’ଟା ଯାକ ନୂଆଁଣିଆ ଚାଳଛପର ଓ ମାଟିକାନ୍ଥର ଘର । ସେଠାରେ ରହନ୍ତି ପ୍ରାୟ ୩୦ରୁ ୩୫ଟି ଆଦିବାସୀ ପରିବାର । ଗାଁକୁ ଯିବା ପାଇଁ ପକ୍କା ରାସ୍ତା ନାହିଁ । କେବଳ ପାଦଚଲା ହୁରି ଦେଇ ଯିବାକୁ ହୁଏ । ଗନ୍ଧମାର୍ଦ୍ଦନ ଜଙ୍ଗଲ ଭିତରେ ଅନେକ ସତର୍କତାର ସହ ଯିବାକୁ ପଡ଼େ । ସମ୍ଭବତଃ ସବୁଦିନିଆ ରାସ୍ତା ନାହିଁ ବୋଲି କେବେ କୌଣସି ନେତା ସେଠାକୁ ଯାଉନଥିବେ! ଗାଁକୁ ପହଞ୍ଚିବା ପୂର୍ବରୁ ହରିଶଙ୍କର ପୀଠଦେଇ ବହିଯାଇଥିବା ଚିରସ୍ରୋତା ଝରଣା ନାଳା(ଯୋର)କୁ ଦୁଇଥର ପାରିହୋବକୁ ହୁଏ । ନାଳା ଭିତରେ ପଶି ଗାଡି ଗଡ଼େଇନେବାକୁ ହୁଏ । ବର୍ଷା ଚାରିମାସ କଥା ନକହିଲେ ଭଲ । ଉକ୍ତ ଦୁଇଟି ଗାଁ ଝରଣା ପାଇଁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୁଅନ୍ତି । ଗାଁକୁ କାର, ଆମ୍ବୁଲାନ୍ସ ଯିବା ଅସମ୍ଭବ । ନୂଆପାଲି ଏକ ରାଜସ୍ୱ ଗାଁ ହେଲେ ବି ଏଯାଏ ସେଠାକୁ ଭଲ ରାସ୍ତାଟିଏ କରିବାକୁ କେହି ନେତା ଚିନ୍ତା କରିନଥିବା ଗ୍ରାମବାସୀ କ୍ଷୋଭର ସହ କହିଛନ୍ତି । 

ଗାଁର ବରିଷ୍ଠ ନାଗରିକ ଧୁବା ଭୋଇଙ୍କ କହିବାନୁସାରେ, ଝରଣା ପାଣିକୁ ବ୍ୟବହାର କରି ଗାଁ ଲୋକେ ଚାଷ କରନ୍ତି । ଚାଷ ନହେଲେ ଦାଦନ ଯାଆନ୍ତି । ଜଙ୍ଗଲତଳି ଗାଁ ହୋଇଥିବାରୁ ସେମାନଙ୍କ ଫସଲ ବି ସୁରକ୍ଷିତ ନୁହେଁ । ବାର୍‌ହା, ମାଙ୍କଡ଼ପଲ ଆସି ଫସଲ ନଷ୍ଟ କରୁଥିବା ବେଳେ କଲରାପତରିଆ ବାଘ, ଅଜଗର, ଭାଲୁ ଘରେ ପଶି ଗୁହାଳରୁ ଗୋରୁ, ଛେଳି ଆଦି ବୋହି ନିଅନ୍ତି । ଏପରିକି ଗାଁର ପିଲାମାନେ ଅଙ୍ଗନବାଡ଼ିରେ ପଢ଼ି ସାରିବା ପରେ ନାଳ ଡେଇଁ ୫କିମି ଦୂରରେ ଥିବା ନାନ୍ଦୁପଡ଼ା ସ୍କୁଲକୁ ଯିବାକୁ ପଡ଼ୁଥିବାରୁ ସେଠାରେ ପାଠପ୍ରତି ଆଗ୍ରହ ମଧ୍ୟ ନାହିଁ । ନୂଆପାଲିରୁ ଆଗକୁ ଆଉ ପ୍ରାୟ ଦେଢ଼ କିଲୋମିଟର ଗଲାପରେ ମହୁଲପାଲି ଗାଁ ପଡ଼େ । ସେଠାରେ ମଧ୍ୟ ସମାନ ଅବସ୍ଥା । ଚାଷବାସ ସହ ଜଙ୍ଗଲର ମହୁଲ, ଚାର, ଆମ୍ବ, ପଣସ, ତେନ୍ତୁଳି, ଲାଖ, କରଡ଼ି ସଂଗ୍ରହ କରି ବନବାସୀ ଜୀବନଜୀବିକା ଚଳାଇଥାଆନ୍ତି । ସେହି ଗାଁକୁ ମଧ୍ୟ ଯିବାକୁ ହେଲେ ଝରଣା ନାଳ ଡେଇଁବାକୁ ପଡ଼େ । ଉଭୟ ଗାଁକୁ ରାସ୍ତା ନଥିବାରୁ ବିକାଶ ଅପହଞ୍ଚ ହୋଇଯାଇଛି । ଯୋଗାଯୋଗ ନଥିବାରୁ ଶିକ୍ଷା, ସ୍ୱାସ୍ଥ୍ୟ, ସରକାରୀ ଯୋଜନା ସମ୍ପୂର୍ଣ୍ଣ ଭାବରେ ପହଞ୍ଚି ପାରିନାହିଁ । ସ୍ୱାସ୍ଥ୍ୟସେବା ପାଇଁ ଉଭୟ ଗ୍ରାମବାସୀ କ୍ୱାକ୍‌ ଭରସାରେ ରହନ୍ତି । 

ଏହାସତ୍ତ୍ୱେ ଉଭୟ ଗାଁର ପ୍ରାୟ ୧୧୦ ଭୋଟର ନିଜର ମତାଧିକାରକୁ ଜାଣିଛନ୍ତି, ଭୋଟଦେଇ ଚାଲିଛନ୍ତି । ଏଣେ ଭୋଟପାଇ ନିର୍ବାଚନରେ ଜିତିବାପରେ ନେତାମାନେ ଗାଁ ପାଇଁ କିଛି ନକରି ନିଜ ଦାୟିତ୍ୱ ଭୁଲିଯାଇଥିବା ଗାଁର ସାଧୁ ଭୋଇ, ନରେନ୍ଦ୍ର ବରିହା, ଶିବ କୁଅଁର, କ୍ଷେତ୍ରମଣି ବରିହା ଉଦ୍‌ବେଗର ସହ କହିଛନ୍ତି । ଏ ସମ୍ପର୍କରେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ପଚାରିବାରୁ ନିର୍ବାଚନମଣ୍ଡଳୀର ଅପହଞ୍ଚ ଅଞ୍ଚଳରେ ବିକାଶ କାର୍ଯ୍ୟ ଜାରି ରହିଛି ା ଉକ୍ତ ଗାଁଗୁଡିକୁ କିଭଳି ପକ୍କା ରାସ୍ତା ହେବ, ସେନେଇ ଧ୍ୟାନ ଦିଆଯିବ ବୋଲି କହିଥିଲେ । ସେହିପରି ବିଡିଓ ବିବେକାନନ୍ଦ ଷଡ଼ଙ୍ଗୀଙ୍କୁ ପଚାରିବାରୁ ସେ ଅବଗତ ନଥିଲେ । ରାସ୍ତା ନିର୍ମାଣ ପାଇଁ ସେ ବ୍ୟବସ୍ଥା କରାଇବେ ବୋଲି କହିଥିଲେ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.