ଭୁବନେଶ୍ୱର: ଗତ ମାସରେ ଆବୁଧାବିରେ ଏକ ଭବ୍ୟ ହିନ୍ଦୁ ମନ୍ଦିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଏହି ଘଟଣାର ପ୍ରଭାବ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନରେ ଦେଖିବାକୁ ମିଳିଛି । ଇସ୍ଲାମୀୟ ରାଷ୍ଟ୍ର ସଂଯୁକ୍ତ ଆରବ ଏମିରେଟ୍ର ଏକ ପ୍ରମୁଖ ନଗରରେ ଏପରି ଉତ୍ସାହ ଉଦ୍ଦୀପନାର ସହ ମନ୍ଦିର ଉଦ୍ଘାଟନର ଦୃଶ୍ୟ ଦେଖି, ଖବର ଜାଣି ପାକିସ୍ତାନବାସୀ ହତଚକିତ । ଭାରତ ପ୍ରତି ସେମାନଙ୍କ ମନର ଦ୍ୱେଷ କ୍ରୋଧ ଆକାରରେ ରାସ୍ତା ଉପରେ ଦେଖିବାକୁ ମିଳିଛି । ସାଧାରଣ ପାକିସ୍ତାନୀ ନାଗରିକମାନଙ୍କୁ ହିନ୍ଦୁ ଏବଂ ଭାରତ ବିରୋଧୀ ଘୃଣାଭାବ ତଥା ଇସଲାମୀୟ ମୌଳବାଦକୁ ଦୈନନ୍ଦିନ ଖାଦ୍ୟ ପରି ପରଷି ଦିଆଯାଇଥାଏ । ଏଣୁ ଆରବ ଦୁନିଆ ଗତ କିଛି ବର୍ଷ ମଧ୍ୟରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାରତ ଏବଂ ହିନ୍ଦୁଙ୍କ ପାଇଁ ଯେପରି ଲାଲ୍ ଗାଲିଚା ବିଛାଇ ଦେଉଛି ତାହା ଲକ୍ଷ୍ୟ କରି ସେମାନେ ଘାବରେଇ ଗଲେଣି । ଗତ ଶତାବ୍ଦୀ ଧରି ପାକିସ୍ତାନରେ ହିନ୍ଦୁ ପୂଜାସ୍ଥଳଗୁଡ଼ିକୁ ନଷ୍ଟ୍ରଭ୍ରଷ୍ଟ, ଲୁଟ୍ପାଟ କରାଯାଇଆସୁଛି । ଏ ପରିସ୍ଥିତିରେ ହିନ୍ଦୁ ମନ୍ଦିର ନିର୍ମାଣ ଲାଗି ଆରବ ରାଷ୍ଟ୍ରସମୂହ ସହୃଦୟତା ଦେଖାଇ ସହାୟତାର ହାତ ବଢ଼ାଉଛନ୍ତି । ଏହି ବାସ୍ତବତାକୁ ସହଜରେ ହଜମ କରିପାରୁନାହାଁନ୍ତି ପାକିସ୍ତାନୀ ।
ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦ୍ଘାଟିତ ଆବୁଧାବି ହିନ୍ଦୁ ମନ୍ଦିର ବୋଚାସାନବାସୀ ଶ୍ରୀ ଅକ୍ଷର ପୁରୁଷୋତ୍ତମ ସ୍ୱାମୀ ନାରାୟଣନ ସଂସ୍ଥା (ବାପସ୍) ଦ୍ୱାରା ନିର୍ମାଣ ହୋଇଛି । ମନ୍ଦିର ଉଦ୍ଘାଟନ ଅବସରରେ ଶ୍ରୀ ମୋଦି ୟୁଏଇର ରାଷ୍ଟ୍ରପତି ଶେଖ୍ ମହମ୍ମଦ ଜାୟେଦ ଆଲ ନାହୟନ୍ଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଥିଲେ । ଆବୁଧାବିରେ ହିନ୍ଦୁ ମନ୍ଦିର ନିର୍ମିତ ହେବା ମାନବ ଇତିହାସର ଏକ ‘ସ୍ୱର୍ଣ୍ଣିମ ଅଧ୍ୟାୟ’ ତଥା ମିଳିତ ମାନବ ଐତିହ୍ୟର ପ୍ରତୀକ ବୋଲି ମୋଦିଜୀ ବର୍ଣ୍ଣନା କରିଥିଲେ । ସେ ଆହୁରି କହିଥିଲେ, ଜାୟେଦ ହିନ୍ଦୁ ମନ୍ଦିର ନିର୍ମାଣରେ ସହାୟକ ହୋଇ କେବଳ ୟୁଏଇ ନିବାସୀ ଭାରତୀୟଙ୍କର ନୁହେଁ, ସମଗ୍ର ଭାରତର ୧୪୦କୋଟି ଦେଶବାସୀଙ୍କ ହୃଦୟକୁ ଜିତିପାରିଛନ୍ତି ।
ପାରସ୍ୟ ଉପସାଗରୀୟ ଅଞ୍ଚଳରେ ଆହୁରି ହିନ୍ଦୁ ମନ୍ଦିର ରହିଛି । ସେଥିମଧ୍ୟରୁ ଦୁଇଟି ମନ୍ଦିର ଓମାନ୍ରେ ପ୍ରତିଷ୍ଠିତ ହୋଇଥିବାବେଳେ ଦୁବାଇରେ ଦୁଇଟି ମନ୍ଦିର ଏବଂ ଗୋଟିଏ ଗୁରୁଦ୍ୱାରା ଏବଂ ବାହାରିନ୍ରେ ଗୋଟିଏ ହିନ୍ଦୁ ମନ୍ଦିର ରହିଛି । ତେବେ ଆବୁଧାବି ମନ୍ଦିରଟି ଆକାର, ପ୍ରକାର ତଥା କାରୁକାର୍ଯ୍ୟ ଦୃଷ୍ଟିରୁ ଅତ୍ୟନ୍ତ ଭବ୍ୟ ଏବଂ ବିଶାଳ ତଥା ପାରମ୍ପରିକ । ଏହି ବିଶାଳ ପଥର ନିର୍ମିତ ମନ୍ଦିର ଅଯୋଧ୍ୟାର ବହୁଚର୍ଚ୍ଚିତ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ପରେ ପରେ ଫେବ୍ରୁଆରୀ ୧୪ରେ ଉଦ୍ଘାଟିତ ହେଲା । ଆରବ ରାଷ୍ଟ୍ରସମୂହ କେବଳ ହିନ୍ଦୁ ମନ୍ଦିର ନିର୍ମାଣ ଲାଗି ବାଟ ଛାଡ଼ିନାହାଁନ୍ତି, ବରଂ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଉପରେ ମଧ୍ୟ ଏକାଧିକ ସର୍ବୋଚ୍ଚ ନାଗରିକ ସମ୍ମାନ ଅଜାଡ଼ି ଦେଇଛନ୍ତି । ଏଠାରେ କହି ରଖିବାକୁ ହେବ ଯେ, ଆଜିଯାଏଁ ପାକିସ୍ତାନ ଇସଲାମୀୟ ଆରବ ରାଷ୍ଟ୍ରଗୁଡ଼ିକ କେବଳ ତା’ର ସୁହୃଦ୍ ବୋଲି ଭାବି ଆସୁଥିଲା । ମାତ୍ର ଭାରତ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଇସଲାମୀୟ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ଏତେବେଶୀ ସମ୍ମାନ, ମାନ ପ୍ରଦାନ କରାଯିବା ପ୍ରକୃତପକ୍ଷେ ଅଭୂତପୂର୍ବ । ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆରବ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ପ୍ରଥମ ଥର ପାଇଁ ଏପରି ମନୋଭାବ ପ୍ରଦର୍ଶନ କରାଯାଇଛି ବୋଲି କହିବାକୁ ହେବ ।
ଇସଲାମୀୟ ରାଷ୍ଟ୍ରଗୁଡ଼ିକ ଦ୍ୱାରା ମୋଦିଙ୍କୁ ଦିଆଯାଇଥିବା ସମ୍ମାନ ମଧ୍ୟରେ ରହିଛି- ୟୁଏଇ’ର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଅର୍ଡର ଅଫ ଜାୟେଦ’³ ବାହାରିନ୍ର ‘ଦି କିଙ୍ଗ ହମାଦ ଅର୍ଡର ଅଫ୍ ରେନେସାଁ’³ ଆଫଗାନିସ୍ତାନ ଦ୍ୱାରା ‘ଅମିର୍ ଅମନୁଲ୍ଳାହ୍ ଖାଁ ଆୱାର୍ଡ’, ପାଲେଷ୍ଟାଇନ୍ ଏବଂ ମାଳଦ୍ୱୀପ ଦ୍ୱାରା ଦୁଇ ପ୍ରମୁଖ ସମ୍ମାନ ଇତ୍ୟାଦି ଇତ୍ୟାଦି । ଏସବୁ ସମ୍ମାନ, ପୁରସ୍କାର ଗ୍ରହଣ ସମୟରେ ମୋଦି ସ୍ପଷ୍ଟ କରିଦେଇଥିଲେ ଯେ, ସମସ୍ତ ସମ୍ମାନ କେବଳ ଜଣେ ବ୍ୟକ୍ତିବିଶେଷ ପାଇଁ ଉଦ୍ଦିଷ୍ଟ ନୁହେଁ, ପରନ୍ତୁ ୧୪୦କୋଟି ଭାରତୀୟଙ୍କ ପ୍ରତି ଉଦ୍ଦିଷ୍ଟ । ପ୍ରକାଶ ଥାଉକି, ଜାତିସଂଘର ନିରାପତ୍ତା ପରିଷଦରେ ଭାରତକୁ ସ୍ଥାୟୀ ସଦସ୍ୟତା ପ୍ରଦାନ ପ୍ରସଙ୍ଗର ବଡ଼ ସମର୍ଥକ ପାଲଟିଛନ୍ତି ଏହି ଇସଲାମୀୟ ରାଷ୍ଟ୍ରସମୂହ।
ହିନ୍ଦୁମାନେ କାଫିର, ଯେଉଁମାନେ କି ନର୍କ-ଅଗ୍ନିରେ ସର୍ବଦା ଯନ୍ତ୍ରଣା ଜର୍ଜରିତ ହେବାକୁ ଯୋଗ୍ୟ ବୋଲି ବିଚାରଧାରା ମଧ୍ୟରେ ବଢ଼ି ଆସିଛନ୍ତି ପାକିସ୍ତାନୀ । ଏଣୁ ସେମାନଙ୍କ ପକ୍ଷେ ଇସଲାମୀୟ ରାଷ୍ଟ୍ରଗୁଡ଼ିକ ଦ୍ୱାରା ଜଣେ ହିନ୍ଦୁ ପ୍ରଧାନମନ୍ତ୍ରୀଙ୍କୁ ଏପରି ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯିବାଟା ବଦହଜମି ହେବା ସ୍ୱାଭାବିକ । ତେବେ ଅନେକ ପାକିସ୍ତାନୀ ବିଶେଷଜ୍ଞ ଦେଶର ସାଧାରଣ ନାଗରିକମାନଙ୍କୁ ବାସ୍ତବତା କ’ଣ ତାହା ସହ ପରିଚିତ କରାଇବାକୁ ଚେଷ୍ଟା ଅବଶ୍ୟ କରିଛନ୍ତି । ସେମାନଙ୍କ ମତରେ- ବାସ୍ତବତା ହେଲା ପାକିସ୍ତାନର ଘରୋଇ ତଥା ବିଦେଶ ନୀତିଗୁଡ଼ିକ ଦେଶପାଇଁ ବିପର୍ଯ୍ୟୟ ଆଣୁଛି । ମାତ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଦୃଢ଼ ଆତ୍ମବିଶ୍ୱାସ ସହ ଆନ୍ତର୍ଜାତିକ ପ୍ରେକ୍ଷାପଟ୍ଟରେ ଆଗକୁ ବଢ଼ିଚାଲିଛି । ଆନ୍ତର୍ଜାତିକ ସମ୍ପର୍କର ଜଣେ ପ୍ରତିଷ୍ଠିତ ବାଖ୍ୟାକାର ଡ. ସାଜିଦ୍ ତରାର ସାଧାରଣ ପାକିସ୍ତାନୀ ନାଗରିକଙ୍କୁ ବାସ୍ତବତା ସହ ପରିଚୟ କରାଇବାକୁ ଯାଇ କହିଛନ୍ତି ଯେ, ଆରବ ସାମ୍ରାଜ୍ୟର ନେତାଗଣଙ୍କ ସହ ମୋଦି ଘନିଷ୍ଠ ସମ୍ପର୍କ ସ୍ଥାପନ କରିବାକୁ ସକ୍ଷମ ହୋଇଛନ୍ତି। ଏଣୁ ଇସଲାମ୍ର ପ୍ରଭାବ ଅନ୍ୟ ସବୁଠାରେ ବିସ୍ତାରିତ ହେବ ବୋଲି ପାକିସ୍ତାନ ଯେଉଁ ଦୃଢ଼ ଆଶା ରଖିଥିଲା ତାହା ଧୂଳିସାତ୍ ହୋଇଯାଇଛି । ଡ. ତରାରଙ୍କ ଦୃଷ୍ଟିରେ ‘ଉମାହ୍’ ବିଚାରବୋଧ ଆଉ ତିଷ୍ଠିନାହିଁ । ସାମ୍ପ୍ରତିକ ସମୟରେ କେବଳ ଧର୍ମ ସମସ୍ତଙ୍କୁ ବାନ୍ଧି ଏକଜୁଟ୍ କରି ରଖିପାରିବନାହିଁ । ବିଶ୍ୱ ତମାମ ସମସ୍ତ ମୁସଲମାନଙ୍କ ପାଇଁ କେବଳ ପାକିସ୍ତାନ ହିଁ ଧ୍ୱଜାଧାରୀ ହେବାକୁ ଯୋଗ୍ୟ ବୋଲି ପାକିସ୍ତାନୀମାନେ ନିଜକୁ ଦେଖେଇହେବା ନିର୍ବୋଧପଣିଆ ଛଡ଼ା ଆଉ କିଛି ନୁହେଁ । ଆରବ ରାଷ୍ଟ୍ରଗୁଡ଼ିକର ମୁଖ୍ୟମାନଙ୍କ ସହ ମୋଦିଙ୍କ ସମ୍ପର୍କର ଏପରି ଘନିଷ୍ଠତାକୁ ଲକ୍ଷ୍ୟ କରି ଡ. ତରାରଙ୍କ ସମେତ ପାକିସ୍ତାନୀ ବାଖ୍ୟାକାରମାନେ ବେଶ୍ କୌତୁହଳ ତଥା ବିସ୍ମୟ ପ୍ରକାଶ କରିଛନ୍ତି ।
ମୋଦି ସ୍ୱାମୀ ନାରାୟଣନ୍ ମନ୍ଦିର ଉଦ୍ଘାଟନ କରିବା ପୂର୍ବରୁ ଖଚାଖଚ୍ ଦର୍ଶକ ଭର୍ତ୍ତି ଏକ ଷ୍ଟାଡିଅମ୍ରେ ‘ଆହଲାନ୍ ମୋଦି ଇଭେଣ୍ଟ'କୁ ସମ୍ବୋଧିତ କରିଥିଲେ । ଏହି ମଉକାରେ ସେ ଜାୟେଦଙ୍କ ଭୂରି ଭୂରି ପ୍ରଶଂସା କରିଥିଲେ । ସେ ଜଣାଇ ଦେଇଥିଲେ ଯେ, ତାଙ୍କ ପୂର୍ବରୁ ତିନି ଦଶନ୍ଧି ଧରି କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ସଂଯୁକ୍ତ ଆରବ ଆସିନଥିଲେ । ୨୦୧୫ରେ ସେ ଯେବେ ପ୍ରଥମ ଥର ପାଇଁ ଆସିଲେ, ସେତେବେଳେ ଜାୟେଦ ତାଙ୍କ ୫ଭାଇଙ୍କ ସହ ମିଶି ତାଙ୍କୁ ପାଛୋଟି ନେବା ପାଇଁ କିପରି ବିମାନ ବନ୍ଦରରେ ଉପସ୍ଥିତ ଥିଲେ ତାହା ମୋଦି ମନେ ପକାଇଥିଲେ । ଏହି ଅବସରରେ ସେ ଜାୟେଦଙ୍କୁ ‘ବ୍ରଦର’ (ଭାଇ) ଭାବେ ସମ୍ବୋଧନ କରିଥିଲେ । ଭାରତକୁ ଫେରିବାବେଳେ ସୁଖଦ ଅନୁଭୂତି ସାଙ୍ଗରେ ନେଇଯିବେ ବୋଲି ଦର୍ଶାଇ ଜାୟେଦଙ୍କୁ ହୃଦୟଭରା କୃତଜ୍ଞତା ଜଣାଇଥିଲେ । ଅପରପକ୍ଷରେ ଭାରତରେ ଶେଖ ଜାୟେଦଙ୍କୁ ଚାରିଥର ପାଛୋଟି ନେବାର ମଉକା ତାଙ୍କୁ ମିଳିଥିବାର ପ୍ରଧାନମନ୍ତ୍ରୀ ମୋଦି ଖୁସି ବ୍ୟକ୍ତ କରିବା ସହ ଶେଷଥର ଜାୟେଦ ଭାରତ ଗସ୍ତରେ ଯାଇଥିବାବେଳେ ତାଙ୍କୁ ରାସ୍ତାର ଦୁଇପାଶ୍ୱର୍ରେ ଠିଆହୋଇ ଭାରତୀୟମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ, ସେ ସମ୍ପର୍କରେ ମୋଦି ତାଙ୍କ ସମ୍ବୋଧନରେ ଉଲ୍ଳେଖ କରିଥିଲେ ।
ଇସଲାମୀୟ ରାଷ୍ଟ୍ରଗୁଡ଼ିକଙ୍କ ସହ ଭାରତର ସମ୍ପର୍କରେ ଯେଉଁ ନୂଆ ମୋଡ଼ ଆସିଛି ତାହାର ବ୍ୟାପକ ପ୍ରଭାବ ଭାରତର ଆର୍ଥିକ ଅଭିବୃଦ୍ଧି, ଉପସାଗରୀୟ ଅଞ୍ଚଳରେ ଭାରତୀୟଙ୍କ ପାଇଁ ନିଯୁକ୍ତି, ଜାତୀୟ ସୁରକ୍ଷା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ପଡିଛି ।
ମୋଦିଙ୍କ ପଦକ୍ଷେପ ମଧ୍ୟ ସାଉଦି ଆରବ ସହିତ ଭାରତର ସାମରିକ ଭାଗିଦାରୀକୁ ଦୃଢ଼ କରିବା ଦିଗରେ ସହାୟକ ହୋଇପାରିଛି । ଗତ ସେପ୍ଟେମ୍ବର ମାସରେ ଜି-୨୦ ଶୀର୍ଷ ସମ୍ମିଳନୀ ପରେ ଭାରତ-ସାଉଦି ଆରବିୟା ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ କାଉନସିଲର ପ୍ରଥମ ବୈଠକ ବସିଥିଲା ଏବଂ ଏହାପରେ ସାଉଦି ଆରବର ଅଭିଷିକ୍ତ ଯୁବରାଜ ତଥା ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମାନ ବିନ୍ ଅବଦୁଲ୍ଲାଜିଜ୍ ଆଲ ସାଉଦଙ୍କ ସହ ମୋଦି କଥାବାର୍ତ୍ତ ଚଳାଇଥିଲେ । ଏହା ପୂର୍ବରୁ ‘ଇଣ୍ଡିଆ-ମିଡିଲ ଇଷ୍ଟ-ୟୁରୋପ ଇକୋନମିକ୍ କରିଡର’ ଗଠନ ଲାଗି ଅତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ଏହି ମିଶନରେ ସାଉଦି ଆରବ ଏକ ପ୍ରମୁଖ ଅଂଶୀଦାର । ଆଜିକାଲି ସାଉଦି ଆରବର ଯୁବରାଜଙ୍କ କାର୍ଯ୍ୟପ୍ରଣାଳୀକୁ ସାରା ବିଶ୍ୱ ବେଶ୍ ଉତ୍ସୁକତାର ସହ ଲକ୍ଷ୍ୟ କରୁଛି । କାରଣ ସାଉଦି ଆରବର ଏହି ଯୁବରାଜ, ଯିଏକି ତାଙ୍କର ଶୁଭେଚ୍ଛୁମାନଙ୍କ ନିକଟରେ ଏମବିଏସ ନାମରେ ପରିଚିତ, ସେ ଇସଲାମୀୟ କର୍ମକାଣ୍ଡଗୁଡ଼ିକରେ ବ୍ୟାପକ ସଂସ୍କାର ଆଣିବା ଦିଗରେ କାର୍ଯ୍ୟ କରୁଛନ୍ତି ।
ଡ. ତରାରଙ୍କ ବିଶ୍ଳେଷଣ ଅନୁଯାୟୀ ମୋଦି ସରକାର ‘ଇଣ୍ଡିଆ-ମିଡିଲ ଇଷ୍ଟ- ୟୁରୋପ ଇକୋନମିକ୍ କରିଡର’ ଜରିଆରେ ଭାରତକୁ ୟୁଏଇ, ଇସ୍ରାଏଲ, ସାଉଦିଆରବ ଏବଂ ୟୁରୋପ ସହ ସଡ଼କପଥରେ ଯୋଡ଼ିବାକୁ ଉଦ୍ୟମ ଚଳାଇ ଚାଇନାକୁ ଷ୍ଟମ୍ପ୍ ଆଉଟ କରିଦେଇଛନ୍ତି । ଚାଇନାର ସଡ଼କ ତଥା ପ୍ରଣାଳୀ ନିର୍ମାଣ ଯୋଜନା ଅନେକ ଦେଶକୁ ଋଣଯନ୍ତା ମଧ୍ୟକୁ ଠେଲି ଦେଲାଣି । ଭାରତର ଉପରୋକ୍ତ ସଡ଼କ ଯୋଜନା ଚାଇନାକୁ ଉଚିତ ଜବାବ ବୋଲି କୁହାଯାଉଛି ।
ଏସବୁ ଯୋଜନା, ଘଟଣା ପାକିସ୍ତାନ ନାଗରିକମାନଙ୍କୁ ସମ୍ଭୀଭୂତ କରିପକାଇବା ଭଳି । ସେମାନଙ୍କୁ ଏପର୍ଯ୍ୟନ୍ତ ଏକ ବିଶ୍ୱାସ ମଧ୍ୟରେ ବଞ୍ଚିବାକୁ ଦିଆଯାଇଥିଲା ଯେ, ଆରବ ଦୁନିଆ ସହ ସେମାନଙ୍କ ଧାର୍ମିକ ସମ୍ପର୍କ ସର୍ବଦା ଅନ୍ୟମାନଙ୍କ ଅପେକ୍ଷା ଭାରୀ ପଡ଼ିବ । ବିଶେଷକରି ସବୃଦୃଷ୍ଟିରୁ ଭାରତକୁ ଚାଲେଞ୍ଜ କରିବାକୁ ସକ୍ଷମ ହେବ । କିନ୍ତୁ ଜିନ୍ନାଙ୍କ ପାକିସ୍ତାନ ସ୍ୱପ୍ନରେ ସୁଦ୍ଧା କଳ୍ପନା କରିପାରିନଥିଲା ଯେ, ଏମିତି ଏକ ଦିନ ଆସିବ ନରେନ୍ଦ୍ର ମୋଦି ବୋଲି ଜଣେ ବ୍ୟକ୍ତି ବିଶ୍ୱ ଦୃଶ୍ୟପଟ୍ଟରେ ପ୍ରତିଭାତ ହେବେ ଏବଂ ଏହା ସେହି ଦେଶର ମୂଳଭୂତ ବିଚାରକୁ ଦୋହଲାଇ ଦେବ ଏବଂ ସାରା ବିଶ୍ୱ ସମ୍ମୁଖରେ ପ୍ରମାଣିତ କରିଦେବ ଯେ ଧାର୍ମିକ ମତାନ୍ଧତା ଏବଂ ଘୃଣା କେବେହେଁ ବିଜୟୀ ହୋଇପାରିବ ନାହିଁ ।