ମୁମ୍ବାଇ,୨୧/୦୮: ମହାରାଷ୍ଟ୍ରର ବଦଲାପୁରରେ ଦୁଇଜଣ ନାବାଳିକାଙ୍କୁ ଯୌନ ଉତ୍ପିଡ଼ନ ପରେ ବଡ଼ ଧରଣର ପ୍ରଦର୍ଶନ ଜାରି ରହିଛି। ତମାମ ଘଟଣାକୁ ନେଇ ପୁଲିସ ଆକ୍ସନ୍ ମୁଡ୍କୁ ଆସିଛି। ଏବଂ ବର୍ତ୍ତମାନ ସୁଦ୍ଧା ୩୦୦ ଜଣଙ୍କ ନାଁରେ ଏତଲା ପଞ୍ଜିକୃତ ହୋଇଥିବା ବେଳେ ୪୦ରୁ ଅଧିକଙ୍କୁ ଗିରଫ କରାଯାଇସାରିଛି। ଗିରଫ କରାଯାଇଥିବା ସମସ୍ତଙ୍କୁ ବୁଧବାର କୋର୍ଟରେ ହାଜର କରାଯିବ। ମହାରାଷ୍ଟ୍ର ପୁଲିସ ରେଳ ଷ୍ଟେସନ୍ରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି। ତମାମ ମାମଲାକୁ ନେଇ ମଙ୍ଗଳବାର ଲୋକଙ୍କ ପ୍ରଦର୍ଶନ ଉଗ୍ର ରୁପ ଧାରଣ କରିଥିବା ଦେଖିବାକୁ ମିଳିଛି। ଏହା ବ୍ୟତିତ ବଦଲାପୁରରେ ଇଣ୍ଟରନେଟ୍ ସେବା ରଦ୍ଦ କରିଦିଆଯାଇଛି ଏବଂ ଦୋକାନ ବଜାରକୁ ମଧ୍ୟ ବନ୍ଦ କରିଦିଆଯାଇଛି।
ରେଳବାଇ ପୁଲିସର ଜିଆରପି ଡିସିପି ମନୋଜ ପାଟିଲ କହିଛନ୍ତି ଯେ, ବର୍ତ୍ତମାନ ସ୍ଥିତି ପୂର୍ବାପେକ୍ଷା ସ୍ବାଭାବିକ ଅଛି। କୌଣସି ଧାରା ଲାଗୁ କରାଯାଇନାହିଁ। କୌଣସି ପ୍ରକାର ଗୁଜବ ନହେଉ, ସେଥିପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଥିଲା। କହିରଖୁଛୁ ଯେ, ମଙ୍ଗଳବାର ଦିନ ରେଳଷ୍ଟେସନ୍ରେ ଲୋକଙ୍କ ପ୍ରଦର୍ଶନ ତିବ୍ର ହେବା କାରଣରୁ ପୁଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା। ପ୍ରଦର୍ଶନକାରୀଙ୍କ ପକ୍ଷରୁ ରେଳ ଧାରଣା ବନ୍ଦ ହେବା କାରଣରୁ ୧୨ ଟି ମେଲ୍ ଟ୍ରେନ୍ର ମାର୍ଗ ବଦଳାଇବାକୁ ପଡ଼ିଥିଲା। ୩୦ ଟି ଲୋକାଲ୍ ଟ୍ରେନ୍କୁ ଆଂଶିକ ଭାବେ ବନ୍ଦ କରିବାକୁ ପଡ଼ିଥିଲା। ପାଖାପାଖି ୧୦ ଘଣ୍ଟା ରେଳସେବା ବାଧାପ୍ରାପ୍ତ ହେବା ପରେ ପୁଣି ସ୍ବାଭାବିକ ହୋଇଥିଲା।
ସୂଚନାଥାଉକି, ମହାରାଷ୍ଟ୍ରର ବଦଲାପୁରର ଏକ ସ୍କୁଲରେ ଚତୁର୍ଥ ଶ୍ରେଣୀର ଦୁଇଜଣ ନାବାଳିକାଙ୍କ ସହିତ ଯୌନ ଉତ୍ପୀଡ଼ନ ମାମଲାରେ ଲୋକଙ୍କ ମଧ୍ୟରେ ବିକ୍ଷୋଭ ମନୋଭାବ ଦେଖିବାକୁ ମିଳିଥିଲା। ଅଗଷ୍ଟ ୧୭ ତାରିଖରେ ପୁଲିସ ନାବାଳିକାଙ୍କ ସହିତ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଜଣେ ଆଟାଣ୍ଡାଣ୍ଟକୁ ଗିରଫ କରିଥିଲା। ତମାମ ମାମଲାକୁ ନେଇ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଣ୍ଡନବିସ୍ ନିନ୍ଦା କରିଛନ୍ତି ଏବଂ କହିଛନ୍ତି ମାମଲାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ କରାଯାଇଛି।