ନୂଆଦିଲ୍ଲୀ,୨୦/୮:ଅଧା ରହିଗଲା ବାଗେଶ୍ବର ଧାମ ଦର୍ଶନ। ହସଖୁସିରେ ଅଟୋରେ ବସି ଯାଉଥିବାବେଳେ ବାଟରେ ଅପେକ୍ଷା କରିଥିଲା ମୃତ୍ୟୁ । ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା ଅଟୋ। ଫଳରେ ଆଖି ପିଛୁଳାକେ ଚାଲିଗଲା ୭ ଶ୍ରଦ୍ଧାଳୁଙ୍କ ଜୀବନ । ସେହିପରି ଏଥିରେ ୬ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ତେବେ ଆଜି ସକାଳୁ ମଧ୍ୟପ୍ରଦେଶର ଛତ୍ରପୁରରେ ଏହି ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, ସକାଳ ପ୍ରାୟ ସାଢେ ୫ଟା ବେଳେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏହି ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅଟୋରେ ପ୍ରାୟ ୧୩ଜଣ ଶ୍ରଦ୍ଧାଳୁ ଯାତ୍ରା କରୁଥିଲେ । ସମସ୍ତେ ମହୋବା ଷ୍ଟେସନରୁ ଅଟୋରେ ବସି ଛତ୍ରପୁର ସ୍ଥିତ ବାଗେଶ୍ବର ଧାମକୁ ଯାଉଥିଲେ । ହେଲେ ବାଟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ, ଅଟୋକୁ ମୁହାଁମୁହିଁ ଧକ୍କା ଦେଇଥିଲା । ତେବେ ଏନେଇ ଛତ୍ରପୁର ଏସପି ଆଗମ ଜୈନ କହିଛନ୍ତି,‘‘ଆଜି ସକାଳେ ଝାନ୍ସି-ଖଜୁରାହୋ ହାଇୱେରେ ଗୋଟିଏ ଅଟୋ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ୭ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୬ଜଣ ଆହତ ହୋଇଛନ୍ତି ।'' ମୃତକଙ୍କ ମଧ୍ୟରେ ଜଣେ ବୃଦ୍ଧ ଅଛନ୍ତି । ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲ ପଠାଇଛି । ଏବେ ଆହତ ଶ୍ରଦ୍ଧାଳୁମାନେ ଚିକିତ୍ସାଧୀନ ଥିବାବେଳେ ସମସ୍ତଙ୍କୁ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯାଉଛି । ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା,କିଏ ଦାୟୀ, ତାହା ଏ ଯାଏଁ ସ୍ପଷ୍ଟ ହୋଇନି । ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିଥିବା ବେଳେ ବର୍ତ୍ତମାନଯାଏଁ କାହାର ପରିଚୟ ମିଳିପାରିନାହିଁ।