ନୂଆଦିଲ୍ଲୀ,୧୪/୧୧: ମିଆଁମାରରେ ଜୁଣ୍ଟା ସେନା ଏବଂ ମିଲିସିଆ ପିଡିଏଫ୍ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ରବିବାର ସନ୍ଧ୍ୟାରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ପରେ ଗତ ୨୪ ଘଣ୍ଟା ମଧ୍ୟରେ ମିଆଁମାରରୁ ପ୍ରାୟ ଦୁଇ ହଜାର ଲୋକ ଭାରତ ସୀମାରେ ଅନୁପ୍ରବେଶ କରିଛନ୍ତି। ମିଆଁମାରରେ ବଢ଼ୁଥିବା ଉତ୍ତେଜନା ହେତୁ ମିଜୋରାମ ହାଇ ଆଲର୍ଟରେ ରହିଛି, କାରଣ ମିଆଁମାରର ଯେଉଁ ରାଜ୍ୟ (ଚୀନ୍), ଯେଉଁଠାରେ ଏହି ଯୁଦ୍ଧ ଚାଲିଛି, ଏହା ମିଜୋରାମର ଚମ୍ପାଇକୁ ଲାଗି ରହିଛି।
ମିଆଁମାର ଭାରତ ସୀମାରେ ଥିବା ବିଦ୍ରୋହୀ ଗଡ଼ ଉପରେ ଏୟାର ଷ୍ଟ୍ରାଇକ୍ କରିଛି। ଏହା ପରେ ମିଜୋରାମରେ ହାଇ ଆଲର୍ଟ ଜାରି କରାଯାଇଛି। ମିଆଁମାରର ଅବସ୍ଥା ବିଗିଡିଛି। ସୋମବାର ପର୍ଯ୍ୟନ୍ତ ଜୁଣ୍ଟା ଏବଂ ପିଡିଏଫ୍ ମଧ୍ୟରେ ତିକ୍ତତା ଜାରି ରହିଛି। ଏହି ବିବାଦ ଯୋଗୁଁ ଖୱମାଭି, ରିହଖାବଦାର ଏବଂ ପଡୋଶୀ ଚିନ୍ ଗାଁର ୨୦୦୦ ରୁ ଅଧିକ ଲୋକ ଭାରତକୁ ଆସି ଚମ୍ପାଇର ଜୋଖଥରରେ ଆଶ୍ରୟ ନେଇଥିଲେ।
ମିଆଁମାର ସେନା ଦ୍ୱାରା ଗୁଳି ବିନିମୟରେ ୧୬ ଜଣ ଆହତ ହୋଇଥିବାବେଳେ ୫୧ ବର୍ଷିୟ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ମିଆଁମାରର ରିହଖାବଦାର ଏବଂ ଖାୱମାୱିରେ ଅବସ୍ଥିତ ସାମରିକ ବେସକୁ ମିଲିସିଆ କବଜା କରିଥିଲା। ଏହାରି ଭିତରେ ମଧ୍ୟ ପ୍ରବଳ ଗୁଳି ବିନିମୟ ହୋଇଥିଲା। ଏହାର ପ୍ରତିଶୋଧ ନେଇ ମିଆଁମାର ସେନା ଖୱମାବି ଏବଂ ରିହଖାବଦାର ଗ୍ରାମ ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଏହି ଗୁଳି ବିନିମୟରେ ଅତି କମରେ ୧୭ ଜଣ ଆହତ ହୋଇଛନ୍ତି।
ସୂଚନାଥାଉକି ୨୦୨୧ ରେ ରାଜ୍ୟ ବିପ୍ଳବ ପରେ ମିଆଁମାରର ସେନା ଜୁଣ୍ଟା ସମ୍ମୁଖୀନ ଏହା ହେଉଛି ସବୁଠାରୁ ବଡ଼ ସଂକଟ। ଫେବୃଆରୀ ୨୦୨୧ ପରେ ମିଆଁମାରର ୬୦୦୦ ରୁ ଅଧିକ ଲୋକ ଜୋକୱାଥରରେ ଆଶ୍ରୟ ନେଇଛନ୍ତି। ମୋଟ ଉପରେ, ମିଆଁମାରର ପ୍ରାୟ ୩୨,୦୦୦ ଲୋକ ମିଜୋରାମର ବିଭିନ୍ନ ଜିଲ୍ଲାରେ ଆଶ୍ରୟ ନେଇଛନ୍ତି। ଏଥିରେ ପୁରୁଷ, ମହିଳା ଏବଂ ଶିଶୁ ମଧ୍ୟ ରହିଛନ୍ତି। ମିଜୋରାମର ୬ ଟି ଜିଲ୍ଲା (ଚମ୍ପାଇ, ସିଆହା, ଲଙ୍ଗଟଲାଇ, ସର୍ଚିପ୍, ହନାଥିଆଲ୍ ଏବଂ ସାଇଟୁଆଲ୍) ମିଆଁମାରର ଚିନ୍ ରାଜ୍ୟ ସହିତ ୫୧୦ କିଲୋମିଟର ଆନ୍ତର୍ଜାତୀୟ ସୀମା ବାଣ୍ଟିଛନ୍ତି। ଆସାମ ରାଇଫଲ୍ସ ଭାରତ-ମିଆଁମାର ସୀମାରେ ସୁରକ୍ଷା ଦେଇଆସୁଛି।
ପିପୁଲ୍ସ ଡିଫେନ୍ସ ଫୋର୍ସ (ପିଡିଏଫ୍) କ'ଣ?
ସୂଚନାଥାଉକି, ପିପୁଲ୍ସ ଡିଫେନ୍ସ ଫୋର୍ସ ହେଉଛି ଏକ ବିଦ୍ରୋହୀ ସଂଗଠନ। ଏହି ସଂଗଠନ କ୍ରମାଗତ ଭାବରେ ଦେଶରେ ସେନା ଦ୍ୱାରା ପ୍ରତିଷ୍ଠିତ ସରକାରକୁ ବିରୋଧ କରିଆସୁଛି। ଜାତୀୟ ଏକତା ସରକାରଙ୍କ ବାହୁବଳୀ ହେଉଛି ପିଡିଏଫ୍। ସାମରିକ ବିପ୍ଳବ ପରେ ୫ ମଇ ୨୦୨୧ ରେ ପିଡିଏଫ୍ ଗଠନ କରାଯାଇଥିଲା। ୧ ଫେବୃଆରୀ ୨୦୨୧ ରେ ମିଆଁମାର ସୈନ୍ୟବାହିନୀ ଦେଶର ଅଧିକାରକୁ ନିଜ ହାତକୁ ନେବା ସହିତ ଗଣତାନ୍ତ୍ରିକ ଭାବେ ଚୟନ କରାଯାଇଥିବା ସାନ୍ ସୁ କିଙ୍କ ସରକାରଙ୍କୁ କ୍ଷମତାରୁ ହଟାଇ ଦେଇଥିଲେ। ଅଙ୍ଗ ସାନ ସୁଙ୍କ ସହ ମିଆଁମାରର ଅନେକ ବଡ଼ ନେତାଙ୍କୁ ଗିରଫ କରାଯାଇଥିଲା।