ପୁରୀ, ୦୮/୦୯ : ରାତି ଅନିଦ୍ରା ରହିଲେ ମହାପ୍ରଭୁ। ଗୁରୁବାର ଶ୍ରୀମନ୍ଦିରରେ ହେଲା ନାହିଁ ମହାପ୍ରଭୁଙ୍କ ପହୁଡ଼ ନୀତି। ନନ୍ଦୋତ୍ସବ ନୀତି ସହ ବିଜୁଳି କନ୍ୟା ନୀତି ଅନୁଷ୍ଠିତ ହେବା ହେତୁ ଶ୍ରୀଜିଉମାନଙ୍କ ପହୁଡ଼ ନୀତି ହୋଇପାରି ନାହିଁ। ଏଣୁ ଆଜି ଦ୍ଵାରଫିଟା ନୀତି ନହୋଇ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି।
ସୂଚନାନୁଯାୟୀ, ବଡ଼ଦେଉଳରେ ଶ୍ରୀକୃଷ୍ଣ ଲୀଳା ଅବସରରେ ଗୁରୁବାର ନନ୍ଦୋତ୍ସବ ଓ ବିଜୁଳି କନ୍ୟା ନୀତି ପାଳିତ ହୋଇଛି । ବୁଧବାର ଠାକୁରଙ୍କ ରାତ୍ର ପହୁଡ଼ ପରେ ଗୁରୁବାର ସକାଳ ୭ଟା୧୫ଟା ଶ୍ରୀମନ୍ଦିର ଦ୍ୱାର ଫିଟିଥିଲା । ୮ଟାରେ ମଙ୍ଗଳଆଳତି ସରି ରାମ କୃଷ୍ଣ ଜଗମୋହନରେ ଥିବା ଦୋଳିରେ ବିଜେ ହୋଇଥିଲେ । ଏଥିସହ ଆଜି ମହାପ୍ରଭୁଙ୍କ ରୋହିଣୀ ବୃଷ ନକ୍ଷତ୍ର ବନ୍ଦାପନା ନୀତି ବଢିଥିଲା । ସନ୍ଧ୍ୟାରେ ଯାତ୍ରାଙ୍ଗୀ ମହାସ୍ନାନ ଓ ଘଣ୍ଟଛତା ସର୍ବାଙ୍ଗ ନୀତି ବଢିଥିଲା । ନୂଆଲୁଗା ଲାଗି ସହ ୬ ମୂର୍ତ୍ତି ସ୍ୱର୍ଣ୍ଣ ଅଳଙ୍କାର ବେଶ ବଢିଥିଲା । ରାମକୃଷ୍ଣ ଓ ମଦନମୋହନ ପୁଣି ଖଟରେ ବିଜେ ହେଲେ । ତିନି ବିଗ୍ରହଙ୍କୁ ମାଜଣା, ମାଳଫୁଲ ଲାଗି ଓ ବେଶ କରାଯାଇଥିଲା । ଜଗମୋହନରେ ଠାକୁରମାନେ ବିଜେ ହୋଇଥିଲେ ।
ଅନ୍ୟାନ୍ୟ ବିଧି ସହ ମହାସ୍ନାନ ବଢିଥିଲା । ଡମ୍ବରୁ ଉପରେ ଠାକୁରେ ବିଜେ ହୋଇଥିଲେ । ବିଜୁଳି କନ୍ୟା ନୀତି ହୋଇଥିଲା । ଭଣ୍ଡାରଘରୁ ଦୁର୍ଗାଦେବୀଙ୍କୁ ଅଣାଯାଇ ମା’ ସୁଭଦ୍ରାଙ୍କ ବାଡ଼ରୁ ଆଜ୍ଞାମାଳ ଦିଆଯାଇଥିଲା । ଜଗମୋହନ ଆଗରେ ଖଟୁଲି ଉପରେ ବିଜେ କରାଯାଇଥିଲା । ଜଣେ ସେବକ କାଠରେ ତିଆରି ବିଜୁଳି କନ୍ୟାଙ୍କୁ ଶୂନ୍ୟକୁ ଫୋପାଡ଼ିଥିଲେ । ଏହାପରେ କର୍ପୂର ଆଳତି ହୋଇ ଠାକୁରାଣୀ ଭଣ୍ଡାର ଘରକୁ ବାହୁଡା ବିଜେ କରିଥିଲେ । ପରେ ପାଲିଙ୍କିରେ ବିଜେ ହୋଇ ଲକ୍ଷ୍ମୀମନ୍ଦିର ଜଗମୋହନକୁ ବିଜେ କରିଥିଲେ ଠାକୁରେ ।
ଭିତରଚ୍ଛ ମହାପାତ୍ରେ ନନ୍ଦ ମହାରାଜାଙ୍କ ଭୂମିକା ନେଇଥିଲେ । ପାଟଲେଙ୍କା ଗୋଟିଏ ଦୁହାଁଳିଆ ଗାଈ ଲକ୍ଷ୍ମୀଙ୍କ ମନ୍ଦିର ପାଖକୁ ଆଣିଥିଲେ । ଭରତିଆ ଗଉଡ଼ ରୁପା ପିଙ୍ଗଣରେ ଗାଈ ଠାରୁ ଦୁଗ୍ଧ ସଂଗ୍ରହ କରିଥିଲେ । ନନ୍ଦ ରାଜା ଉକ୍ତ ଦୁଗ୍ଧ ମହାପ୍ରଭୁଙ୍କୁ ସମର୍ପଣ କରିଥିଲେ । ରାଶି କୋରା ଭୋଗ ଲାଗିବା ସହ ଅନ୍ୟାନ୍ୟ ନୀତି ବଢିଥିଲା । ଶ୍ରୀକୃଷ୍ଣ ଲୀଳାକୁ ନେଇ ଏହିଭଳି ନୀତି ବହୁ କାଳରୁ ଶ୍ରୀମନ୍ଦିରରେ ପାଳିତ ହୋଇଆସୁଛି।