ଭୁବନେଶ୍ୱର,୦୫/୦୨: ଗଞ୍ଜାମ ଜିଲ୍ଲାର ଜଣେ ମହିଳା ଏସ୍ଆଇଙ୍କୁ ଆଇଆଇସିଙ୍କ ଦୁଷ୍କର୍ମ ଘଟଣାକୁ ୪ ବର୍ଷ ପୂରିଲାଣି । ତଥାପି ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିଲା । ନିଜ ବିଭାଗର ଦୋଷକୁ ଲୁଚାଇବାରେ ରାଜ୍ୟ ପୁଲିସ ଶେଷରେ ଜାତୀୟ ମାନବାଧିକାର ଆୟୁକ୍ତ (ଏନ୍ଏଚ୍ଆରସି) ନିର୍ଦ୍ଦେଶ ପରେ ତତ୍ପର ହୋଇଛି । କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି ।
ପୁଲିସ ମହାନିର୍ଦ୍ଦେଶକ ଡିଜିପି (ଭାରପ୍ରାପ୍ତ) ଅରୁଣ ଷଡ଼ଙ୍ଗୀ କହିଛନ୍ତି, ଏକ ସ୍ୱତନ୍ତ୍ର ଟିମ୍ ଗଢ଼ାଯାଇଛି । ଜଣେ ଡିଏସ୍ପି ପାହ୍ୟା ମହିଳା ଅଧିକାରୀ ଏହି ମାମଲାର ତଦନ୍ତ କରୁଛନ୍ତି । ୨୦୧୯ ମସିହା ଘଟଣା । ଗଞ୍ଜାମ ଜିଲ୍ଲାର ପାଟପୁର ଥାନାରେ ମହିଳା ଏସ୍ଆଇଙ୍କୁ ସେହି ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସରକାରୀ କ୍ୱାର୍ଟର୍ସରେ ଯୌନ ନିର୍ଯାତନା ଦେଉଥିଲେ । ପୀଡ଼ିତା ଏସ୍ଆଇ ଜଣକ ଏନେଇ ରାଜ୍ୟ ପୁଲିସରେ ଲିଖିତ ଅଭିଯୋଗ କରିଥିଲେ। ହେଲେ କୌଣସି ଫଳ ମିଳିଲାନି । ଏଭଳି ସମ୍ବେଦନଶୀଳ ମାମଲାକୁ ପୁଲିସ ଚପାଇ ଦେବାକୁ ଢ଼େର୍ ଉଦ୍ୟମ କରିଥିଲା । ପୁଲିସ୍ ପ୍ରଶାସନଠାରୁ ନିରାଶ ହୋଇ ପୀଡ଼ିତାଜଣକ ଏନ୍ଏଚ୍ଆର୍ସିଙ୍କ ଦ୍ୱାରସ୍ଥ ହୋଇଥିଲେ । ୟା ଭିତରେ ଇନ୍ସପେକ୍ଟର ରମେଶଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା ।