ଭୁବନେଶ୍ବର,୩୧।୮ : ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆଇନ ଶୃଙ୍ଖଳା ପରିସ୍ଥିତି, ରଥଯାତ୍ରା ଅଘଟଣ, ଚିକିଟି ମଦ ମୃତ୍ୟୁ ଘଟଣା ଭଳି ପ୍ରସଙ୍ଗକୁ ନେଇ ମୋହନ ସରକାରଙ୍କୁ ନବୀନ ସମାଲୋଚନା କରିଛନ୍ତି।
ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ଶାନ୍ତି ପାଇଁ ଓଡ଼ିଶା ବେଶ ପରିଚିତ। କିନ୍ତୁ କିଛି ଦିନ ତଳେ ବାଲେଶ୍ଵର ସମେତ ଅନେକ ସ୍ଥାନରେ ହିଂସା ଘଟିଛି। ରାଜ୍ୟରେ ଶାନ୍ତି ବଜାୟ ରଖିବା ଦରକାର ବୋଲି ସେ କହିଥିଲେ।
ରଥ ଯାତ୍ରାରେ ଅବ୍ୟବସ୍ଥାକୁ ନେଇ ସେ ବର୍ଷିଥିଲେ। ମହାପ୍ରଭୁ ବଳଭଦ୍ର ତଳେ ପଡିବା କୋଟି କୋଟି ଓଡ଼ିଆଙ୍କୁ ଆଘାତ ଦେଇଛି । ସେହିପରି ଚିକିଟିରେ ମଦ ମୃତ୍ୟୁ ଘଟଣା ଚିନ୍ତାର ବିଷୟ। ବେଆଇନ ମଦ କାରବାର ବନ୍ଦ ହେବା ଦରକାର ବୋଲି ସେ କହିଥିଲେ।
ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ସରକାରୀ ଅଫିସରଙ୍କୁ ମାଡ଼ ମାରିବା ଘଟଣା ମଧ୍ୟ ଉଠାଇଛନ୍ତି। ରାଜ୍ୟପାଳ, ମନ୍ତ୍ରୀ, ବିଧାୟକଙ୍କ ପୁଅ ପାଇଁ ଅଲଗା ନିୟମ କି । ରାଜ୍ୟପାଳ, ମନ୍ତ୍ରୀ, ବିଧାୟକଙ୍କ ପୁଅ କଣ ଆଇନ ଉପରେ କି ? ମୋ ସରକାର ବେଳେ ଆଇନ ତା ବାଟରେ ଯାଉଥିଲା। ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା ଅତ୍ୟନ୍ତ ଗୁରୁତର ଘଟଣା। ଏହା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି।