ଭୁବନେଶ୍ୱର,୧୩/୦୯: ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ଆସିବେ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ସୁରକ୍ଷା ଦଳ (ଏସ୍ପିଜି)ର ଏକ ଦଳ ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିବ । ଏସ୍ପିଜି କମାଣ୍ଡୋମାନେ ବିମାନବନ୍ଦରରୁ ଜନତା ମଇଦାନ ଯାଏଁ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ ।
କମାଣ୍ଡୋମାନେ ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ପାଇଁ ବିପଦ ସାଜୁଥିବା ଉଚ୍ଚ ଅଟ୍ଟାଳିକାଗୁଡିକୁ ଚିହ୍ନଟ କରିବେ । ସେଠାରେ ବନ୍ଧୁକଧାରୀ ପୁଲିସ ମୁତୟନ କରିବା ପାଇଁ ରାଜ୍ୟ ପୁଲିସକୁ ଅବଗତ କରାଇବେ। ଜନତା ମଇଦାନରେ ଆୟୋଜିତ ହେବାକୁ ଥିବା ସମାରୋହସ୍ଥଳକୁ ତନ୍ନତନ୍ନ କରି ଯାଞ୍ଚ କରିବେ । ସ୍ଥିତି ପରଖିବା ପରେ ବ୍ଲୁ ବୁକ୍ର ମାର୍ଗଦର୍ଶିକା ଅନୁସାରେ ସୁରକ୍ଷା ପାଇଁ ପୁଲିସକୁ ପରାମର୍ଶ ଦେବେ । ପୁଲିସ ମହାନିର୍ଦ୍ଦେଶକ ୱାଇ. ବି. ଖୁରାନିଆଙ୍କ ସମେତ ପୁଲିସ ଆୟୁକ୍ତ ସଞ୍ଜୀବ ପଣ୍ଡା ପୂର୍ବାହ୍ଣରେ ଜନତା ମଇଦାନରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲେ । କେଉଁ ଫାଟକରେ ଭିଭିଆଇପି ଓ ନେତାମନ୍ତ୍ରୀ ପଶିବେ? ସାଧାରଣ ଜନତା ଓ କର୍ମୀଙ୍କ ପାଇଁ କେଉଁ କେଉଁ ଫାଟକ ଖୋଲା ରହିବ? ଏନେଇ ଆଲୋଚନା କରାଯାଇଥିଲା । ଅପରାହ୍ଣରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ଡିସିପି ପ୍ରତୀକ ସିଂ ସମାରୋହସ୍ଥଳକୁ ଯାଇ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ ।
ଶ୍ରୀ ପଣ୍ଡା ଏନେଇ କହିଛନ୍ତି, କମିଶନରେଟ୍ ପୁଲିସ ପକ୍ଷରୁ ଆୟୋଜିତ ପ୍ରସ୍ତୁତି ବୈଠକରେ ସୁରକ୍ଷା ସମ୍ପର୍କରେ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ କାର୍କେଡ୍ ପାଇଁ ବିମାନବନ୍ଦରରୁ ଜନତା ମୈଦାନ ଯାଏ ବ୍ୟାରିକେଡିଂ କରାଯିବ । ଜନତା ମଇଦାନରେ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେବେ । ସୁରକ୍ଷା ଦୃଷ୍ଟିକୋଣରୁ ସେଠାରେ ଏକ ଅସ୍ଥାୟୀ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି ।
‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ପାଇଁ ବିଜେପି ପକ୍ଷରୁ ବିଶାଳ ମହିଳା ସମାବେଶର ଆୟୋଜନ କରାଯାଇଛି । ସେଥିରେ ହଜାର ହଜାର ସଂଖ୍ୟାରେ ମହିଳା ଯୋଗ ଦେବାର ସମ୍ଭାବନା ଅଛି । ମହିଳାଙ୍କ ଭିଡ଼ ନିୟନ୍ତ୍ରଣ ପାଇଁ ମଇଦାନ ଭିତରେ ଓ ବାହାରେ ବ୍ୟାପକ ମହିଳା ପୁଲିସ କର୍ମଚାରୀ ନିୟୋଜିତ ହେବେ । ସମସ୍ତ ଟ୍ରାଫିକ୍ ଛକ ଓ ଗଳି ରାସ୍ତାରେ ବ୍ୟାପକ ସଂଖ୍ୟାରେ ପୁଲିସ ଜଗିବେ ।