ନୂଆଦିଲ୍ଲୀ,୦୧/୦୯: ଦେଶରେ ଗତ ୮ ବର୍ଷରେ ସବୁଠାରୁ କମ୍ ବର୍ଷା ଏଥର ହୋଇଛି । ଏହା ମଧ୍ୟରେ ଦେଶର ୧୪୬ ପ୍ରମୁଖ ଜଳାଶ୍ରୟର ସ୍ତର ୧୦ ବର୍ଷର ହାରାହାରିଠାରୁ ତଳକୁ ଖସିଆସିଛି । ଫଳରେ ରବି ଫସଲ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବା ଆଶଙ୍କା ରହିଛି। କାରଣ ଏହି ଫସଲକୁ ଅଧିକ ଜଳସେଚନ ସୁବିଧା ଦରକାର ହୋଇଥାଏ ।
ସେହିଭଳି ଖରିଫ ବିହନ ବୁଣା ଅଗଷ୍ଟରେ ଶେଷ ହୋଇଯିବ । ଫଳରେ ସ୍ଥିତିରେ ସୁଧାର ଆଶା କମ୍ ରହିଛି । ରେଟିଂ ଏଜେନ୍ସି କେୟାର ଏଜ୍ ଅନୁସାରେ କମ୍ ବର୍ଷା ଯୋଗୁ ଚିନି, ଡାଲି, ଚାଉଳ ଏବଂ ପନିପରିବା ମହଙ୍ଗା ହୋଇପାରେ । ଜୁଲାଇରେ ମୁଦ୍ରାସ୍ଫୀତି ୧୫ ମାସର ସର୍ବୋଚ୍ଚ ସ୍ତର ୭.୪୪% ରେ ପହଞ୍ଚିଛି । ଅନ୍ୟପକ୍ଷରେ, ହାରାହାରି ଖାଦ୍ୟ ମୁଦ୍ରାସ୍ଫୀତି ୧୧.୫୧% ରହିଛି ।