ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା ବୈଠକ : ଜୁଲାଇ ୭ରେ ଶ୍ରୀଗୁଣ୍ଡିଚା, ୧୫ରେ ବାହୁଡ଼ା, ୧୭ରେ ସୁନାବେଶ

ପୁରୀ, ୧୭।୪: ରଥ ନିର୍ମାଣ ନିମନ୍ତେ ଆହୁରି ୮୧୨ ଖଣ୍ଡ କାଠ ଆବଶ୍ୟକ । ପୂର୍ବ ବର୍ଷରୁ ୫୩ ଖଣ୍ଡ କାଠ ବଳକା ରହିଛି । ତେଣୁ ରଥ ନିର୍ମାଣ ନିମନ୍ତେ ଆହୁରି ଆବଶ୍ୟକ ପଡ଼ୁଥିବା ୮୧୨ କାଠ ତୁରନ୍ତ ରଥଖଳାରେ କିପରି ପହଞ୍ଚିବ ତାହାର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଡିଏଫ୍‌ଓ ଓ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ପୂର୍ବାହ୍ନରେ ସର୍କିଟ ହାଉସ୍‌ଠାରେ ବସିଥିବା ଜିଲ୍ଲା ପ୍ରଶାସନର ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଅଧ୍ୟକ୍ଷତା କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ସେ ଗଣମାଧ୍ୟମକୁ କହିଛନ୍ତି, ଚଳିତ ବର୍ଷ ନିର୍ବାଚନ ସହ ରଥଯାତ୍ରାର ଆୟୋଜନ ନିଶ୍ଚିତ ଭାବେ ଚ୍ୟାଲେଞ୍ଜ ହେବ । ତେବେ ସମ୍ମିଳିତ ଉଦ୍ୟମ ଓ ପାରସ୍ପରିକ ସହଯୋଗ ଦ୍ୱାରା ଏହାକୁ ସଫଳ ରୂପାୟନ କରାଯିବ । ଜିଲ୍ଲା ପ୍ରଶାସନର ସମସ୍ତ ବିଭାଗ ଅଧିକାରୀଙ୍କୁ ଏଥି ନିମନ୍ତେ ଦାୟିତ୍ୱ ବାଣ୍ଟି ଦିଆଯାଇଛି । ଅଗ୍ରାଧିକାର ଭିତ୍ତିରେ କାମ ସମ୍ପୂର୍ଣ୍ଣ କରିବାକୁ ସମସ୍ତଙ୍କୁ କୁହାଯାଇଛି । ଏସ୍‌ପି ପିନାକ ମିଶ୍ର ବୈଠକରେ ଯୋଗଦେଇ ରଥଯାତ୍ରା ପାଇଁ ଆଇନ୍‌ଶୃଙ୍ଖଳା ରକ୍ଷାର ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । 

ଯାତ୍ରୀମାନଙ୍କ ସୁବିଧା ପାଇଁ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଓ ଶୃଙ୍ଖଳା ରକ୍ଷାରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ରହିଥିବା ସେ କହିଛନ୍ତି । ରଥକାଠ ସଂଗ୍ରହ, ରଥ ନିର୍ମାଣ ସମ୍ପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ସୂଚନା ଦେଇଥିଲେ । ଏଥି ସହ ନବଦିନାତ୍ମକ ରଥଯାତ୍ରା ସମ୍ପର୍କରେ ବିସ୍ତୃତ ଭାବେ କହିଥିଲେ । ଚଳିତ ବର୍ଷ ମେ ୧୦ ତାରିଖ ଅକ୍ଷୟ ତୃତୀୟାରେ ରଥ ଅନୁକୂଳ, ଜୁନ୍‌ ୨୨ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ ୭ ତାରିଖରେ ଶ୍ରୀଗୁଣ୍ଡିଚା, ଜୁଲାଇ ୧୨ ତାରିଖରେ ରଥ ଦକ୍ଷିଣ ମୋଡ଼, ଜୁଲାଇ ୧୪ ତାରିଖରେ ସନ୍ଧ୍ୟା ଦର୍ଶନ, ଜୁଲାଇ ୧୫ ତାରିଖରେ ବାହୁଡ଼ା ଯାତ୍ରା, ଜୁଲାଇ ୧୭ ତାରିଖରେ ସୁନା ବେଶ ଓ ୧୮ ତାରିଖରେ ଅଧରପଣା ନୀତି ଅନୁଷ୍ଠିତ ହେବ । ରଥ ପାଇଁ ବିଭିନ୍ନ ରଙ୍ଗର ୧୫୪୨ ମିଟର ରଥ କପଡ଼ା, ଲାଗି ଲୁଗା, ଝୁଣା, ଚନ୍ଦନ କାଠ, ରଥ ଦଉଡ଼ି ଇତ୍ୟାଦିର ବ୍ୟବସ୍ଥା କରାଯାଇଛି ବୋଲି ସେ ସୂଚନା ଦେଇଥିଲେ । 

ଏହାଛଡ଼ା ବୈଠକରେ ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପାନୀୟ ଜଳଯୋଗାଣ, ବିଦ୍ୟୁତ୍‌ ଯୋଗାଣ, ପରିବହନ ବ୍ୟବସ୍ଥା, ରାସ୍ତା ଘାଟ ମରାମତି ଓ ଉନ୍ନତିକରଣ, ପାର୍କିଂ ସ୍ଥଳ ଚିହ୍ନଟ, ଶାନ୍ତିଶୃଙ୍ଖଳା ରକ୍ଷା, ସୂଚନା ଓ ପ୍ରସାରଣ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ, ପଲ୍ଲିଶ୍ରୀ ମେଳା ଓ ପ୍ରଦର୍ଶନୀ ଆୟୋଜନ, ସ୍ୱେଚ୍ଛାସେବୀ ନିୟୋଜନ ଇତ୍ୟାଦି ସମ୍ବନ୍ଧରେ ବିସ୍ତୃତ ଆଲୋଚନା ହୋଇଥିଲା । ସମ୍ପୃକ୍ତ ବିଭାଗମାନେ ସେମାନଙ୍କୁ ଦିଆଯାଇଥିବା କାର୍ଯ୍ୟଗୁଡ଼ିକ ନିର୍ଦ୍ଧାରିତ ସମୟରେ ସାରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଅସୁରକ୍ଷିତ ବିଲ୍ଡିଂ ଚିହ୍ନଟ ଓ କାର୍ଯ୍ୟାନୁଷ୍ଠାନ, ଅଗ୍ନି ନିର୍ବାପକ ବ୍ୟବସ୍ଥାର ସମୀକ୍ଷା ଇତ୍ୟାଦିକୁ ଯୁଗ୍ମ ତଦନ୍ତ ମାଧ୍ୟମରେ ତ୍ୱରାନ୍ୱିତ ପାଇଁ ସେ ପରାମର୍ଶ ଦେଇଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ୍‌) ନୀଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଅତିରିକ୍ତ ଏସ୍‌ପି ସୁଶୀଲ କୁମାର ମିଶ୍ର, ପୌରନିର୍ବାହୀ ଅଧିକାରୀ ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦା, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସୁଜାତା ମିଶ୍ର, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ରଶ୍ମି ରଞ୍ଜନ ସାହୁ ଓ ବିଭିନ୍ନ ବିଭାଗର ଅଧିକାରୀମାନେ କାର୍ଯ୍ୟକ୍ରମରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

  • prameyanews
  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.