ଜଟଣୀ,୧୨/୦୮: ଜଟଣୀ ସହରର ମୁଖ୍ୟ ସଡ଼କପଥରୁ ଆରମ୍ଭ କରି ୱାର୍ଡ ଭିତର ରାସ୍ତାଗୁଡିକ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । କେଉଁଠି କଂକ୍ରିଟ ଉଠି ବଡ଼ ଖାଲ ସୃଷ୍ଟି କରିଛି ତ ଆଉ କେଉଁଠି ଦୟନୀୟ ଅବସ୍ଥାରେ ରହିଛି ପେଭର ବ୍ଲକରେ ହୋଇଥିବା ରାସ୍ତା । ମୁଖ୍ୟ ରାସ୍ତା ସମେତ ଫ୍ଲାଇଓଭର ବ୍ରିଜ୍ ପାଶ୍ୱର୍ ଆପ୍ରୋଚ ରୋଡ଼ ସାରା ଖାଲଢ଼ିପ । ବର୍ଷା ହେଲେ ଯାତାୟତ କରିବା ଲୋକଙ୍କୁ ଆହୁରି କଷ୍ଟକର ହୋଇପଡ଼ୁଛି । ପାଣି ଜମିରହିବା ଦ୍ୱାରା ଉପରକୁ ଖାଲ ଜଣାପଡ଼ୁନଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି ।
୬ ମାସ ପୂର୍ବେ ଉଦ୍ଘାଟିତ ଫ୍ଲାଏ ଓଭର ବ୍ରିଜ ଉପରେ ଅନେକ ସ୍ଥାନରେ କଂକ୍ରିଟ ଉଠି ବଡ଼ ଗର୍ତ୍ତ ସୃଷ୍ଟି ହେବା ସହ ବାହାରକୁ ବାହାରିଥିବା ରଡ଼ ଆହୁରି ବିପଦ ସୃଷ୍ଟି କରୁଛି । ଉତ୍ତରାୟଣୀ ମନ୍ଦିର ନିକଟରୁ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଉପରେ ପାଣି ଜମି ରହୁଛି । ବର୍ଷା ଜଳରେ ଭାସି ଆସି ଅଳିଆ ଆବର୍ଜନା ମଧ୍ୟ ଏଠାରେ ଗଦା ହେଉଛି । ଏହାଦ୍ୱାରା ଦୁର୍ଗନ୍ଧ ବାହାରୁଛି ା ଜମି ରହୁଥିବା ଏହି ଦୁର୍ଗନ୍ଧ ପାଣି ଉପରେ ଲୋକେ ଯାତାୟତ କରିବାକୁ ପଡ଼ୁଛି । ସହରର ସର୍ଦ୍ଦାରପଟେଲ ମାର୍ଗ, ରାଜାବଜାର, କଲେଜ ରୋଡ଼ ସବୁଠି ସମାନ ଅବସ୍ଥା । ଆଗକୁ ଜଟଣୀ ପ୍ରସିଦ୍ଧ ଗଣେଶ ପୂଜା ।
ଏବେ ଯାନବାହନ ଚଳାଚଳରେ ନାନା ସମସ୍ୟା ହେଉଥିବା ବେଳେ ଗଣେଶ ପୂଜା ସମୟରେ ଦୈନିକ ଲକ୍ଷାଧିକ ଜନସମାଗମ ହେବାକୁ ଥିବାରୁ ପରିସ୍ଥିତି ଆହୁରି ଗମ୍ଭୀର ହେବ ବୋଲି କୁହାଯାଉଛି । ତା’ପୂର୍ବରୁ ଦାୟିତ୍ୱରେ ଥିବା ମ୍ୟୁନିସିପାଲିଟି କିମ୍ବା ପୂର୍ତ୍ତ ବିଭାଗ ଏହି ସବୁ ରାସ୍ତାଗୁଡିକର ନବୀକରଣ ନକରନ୍ତି ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କାକୁ ଏଡ଼ାଇ ହେବ ନାହିାଁ କାଉନ୍ସିଲର ଜଟାଧାରୀ ପ୍ରଧାନ କହନ୍ତି କେତେକ ରାସ୍ତାର ଟେଣ୍ଡର ହୋଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ଠିକାଦାର କାମ ଆରମ୍ଭ କରୁନାହାନ୍ତି ା ଏଣୁ ଯେତିକିଟି ରାସ୍ତାର କାମ ପାଇଁ ୟଟେଣ୍ଡର ପ୍ରକ୍ରିୟା ସରିଛି ସେଗୁଡିକର କାର୍ଯ୍ୟ ଶୀଘ୍ର ଆରମ୍ଭ କରି ସଂପୂର୍ଣ୍ଣ କରିବାକୁ ସେ ଦାବି କରିଛନ୍ତି ।