ଭୁବନେଶ୍ୱର,୨୬/୦୮: ସବୁ ଆଡ଼େ ଦୈନିକ ନୂଆ ନୂଆ ଷ୍ଟାର୍ଟ ଅପ୍ ଗଢ଼ି ଉଠୁଥିବା ବେଳେ ଓଡ଼ିଶାରେ ‘ଶିଳାବତୀ’ ନାମରେ ନୂଆ କୁଟୀର ଶିଳ୍ପ ମୁଣ୍ଡ ଟେକିଛି । ମାତ୍ର ୬ଟି ଜିଲ୍ଲାରେ ଏହାକୁ ଅନେକ ଲୋକ ଆଦରିଥିଲେ ମଧ୍ୟ ଏହାର ବାର୍ଷିକ କାରବାର କେଇ ହଜାର କୋଟି ଟଙ୍କା କହିଲେ ଅତ୍ୟୁକ୍ତି ହେବନାହିଁ । ଆଇନକୁ ଆଖି ଠାର ମାରି ବେଆଇନ ଭାବେ ଗଢ଼ି ଉଠିଥିବା ଏହି କୁଟୀର ଶିଳ୍ପ ଲୋକଙ୍କ ଆୟର ମାଧ୍ୟମ ସାଜିଥିଲେ ମଧ୍ୟ ଅନେକ ପରିବାରକୁ ପଥଭ୍ରଷ୍ଟ କରିବାର ପ୍ରମୁଖ କାରଣ । ଆଉ ଏହି ତଥାକଥିତ କୁଟୀର ଶିଳ୍ପକୁ ପୁଲିସ, ଅବକାରୀ, ଜଙ୍ଗଲ, ରାଜସ୍ୱ ବିଭାଗ ପକ୍ଷରୁ ଚାନ୍ଦା ବଦଳରେ ମିଳୁଛି ଖୋଲା ପ୍ରୋତ୍ସାହନ ।
ବାସ୍ତବରେ ‘ଶିଳାବତୀ’ ଓଡ଼ିଶା ଓ ଆନ୍ଧ୍ରରେ ବିପୁଳ ଭାବେ ଚାଷ ହେଉଥିବା ଏକ ପ୍ରକାର ଗଞ୍ଜେଇ । ଦେଶରେ ଯେତେ ପ୍ରକାର ଗଞ୍ଜେଇ ବିକ୍ରି ହେଉଛି ତନ୍ମଧ୍ୟରେ ଏହାକୁ ମାଫିଆ ମାନେ ୧ ନମ୍ବର ମାନ୍ୟତା ଦେଇଛନ୍ତି । ଓଡ଼ିଶାର କନ୍ଧମାଳ, ଗଜପତି, ବୌଦ୍ଧ, ମାଲକାନଗିରି, ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲାରେ ମୁଖ୍ୟତଃ ଏହା ଚାଷ ହେଉଛି । ଧାନ, ମାଣ୍ଡିଆ ଭଳି ଗଞ୍ଜେଇକୁ ମଧ୍ୟ ଏକ ନିୟମିତ ଶସ୍ୟ ଭାବେ ଗ୍ରହଣ କରି ନେଇଛନ୍ତି ଅନେକ ଚାଷୀ ।
କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଅଞ୍ଚଳର ଜଣେ ଚାଷୀ କୁହନ୍ତି, ଏବେ ଚାଷୀମାନେ ତଳି ପକାଇ ସାରିଲେଣି । ଗଛ ପ୍ରାୟ ଫୁଟେ ଦୁଇଫୁଟ ଉଚ୍ଚ ହୋଇଗଲାଣି । ଏହାପରେ ମାଇଚିଆ ଗଛ (ଯେଉଁଗୁଡ଼ିକ ଭଲ ବଢ଼ିବ ନାହିଁ ବୋଲି ଅନୁମାନ) ଓପାଡ଼ି ଫିଙ୍ଗି ଦିଆଯିବ । ଅବଶିଷ୍ଟ ଗଛଗୁଡିକୁ ଯଥେଷ୍ଟ ସାର, ପାଣି ଦେଇ ବଢ଼ାଯିବ । ଅବକାରୀ ବିଭାଗ ସହ ଯୋଗସୂତ୍ର ରଖୁଥିବା ଦଲାଲ ମାନେ ଆସି କେତେ ମନ୍ଦା (ଗାତ)ରେ ଗଛ ଲାଗିଛି ଗଣି ଦେଇଗଲେଣି । ମନ୍ଦା ପ୍ରତି ତାଙ୍କର ଚାନ୍ଦା ୫୦୦ ଟଙ୍କା । ତାଙ୍କୁ ଥରେ ଚାନ୍ଦା ଦେଇଦେଲେ ଆଉ ଚଢ଼ାଉ ଭୟ ନାହିଁ । ପୁଣି ଅମଳ ପରେ ଚାଲାଣ ବେଳକୁ ଉଭୟ ଅବକାରୀ ଓ ପୁଲିସକୁ ସମ୍ଭାଳିବାକୁ ପଡ଼ିବ । ଅବଶ୍ୟ ମଧ୍ୟସ୍ଥିଙ୍କ ଅଭାବ ନାହିଁ । ଯେକୌଣସି ପରିସ୍ଥିତି ସେମାନେ ସମ୍ଭାଳି ନେବେ ।
ଏହାକୁ କୁଟୀର ଶିଳ୍ପ ଭାବେ ଗଣିବାର ବଡ଼ କାରଣ ହେଲା, ଏବେ ଏ ସବୁ ଜିଲ୍ଲାର କେତେକ ଗ୍ରାମର ସବୁ ଘରେ ଗଞ୍ଜେଇ ଚାଷୀ କିମ୍ବା ବେପାରୀ ମିଳୁଛନ୍ତି । କିଲେ ଦୁଇ କିଲୋରୁ ଆରମ୍ଭ କରି କୁଇଣ୍ଟାଲ ପର୍ଯ୍ୟନ୍ତ, ଯେତେ ଖୋଜିଲେ ବି ସେମାନେ ଦେବେ । ପୁଣି କେଇ ଘଣ୍ଟା ମଧ୍ୟରେ ତାହା ଉପଲବ୍ଧ ହୋଇଯିବ ମନପସନ୍ଦର ଟ୍ରାଞ୍ଜିଟ୍ ପଏଣ୍ଟ ପାଖରେ । ଖାସ୍ ଏଥିପାଇଁ ଭିନ୍ନ ଭିନ୍ନ ଜିଲ୍ଲାରୁ ତଥା ଅନେକ ରାଜ୍ୟରୁ ମାଫିଆ କିମ୍ବା ସେମାନଙ୍କ ଦଲାଲ ମାନେ ଏଠାରେ ଭିଡ଼ ଲଗାଉଛନ୍ତି । ଦୈନିକ ଦେଖିବାକୁ ମିଳୁଛି ଦାମୀ ଦାମୀ ଏସ୍ୟୁଭି ।
ଗଞ୍ଜେଇ ମଞ୍ଜି ବୁଣା, ତଳି ପଡ଼ିବାଠାରୁ ଆରମ୍ଭ କରି ଅମଳ ପର୍ଯ୍ୟନ୍ତ ସବୁ କିଛି ପୁଲିସ, ଅବକାରୀ, ଜଙ୍ଗଲ ଓ ରାଜସ୍ୱ ବିଭାଗ ଅଧିକାରୀମାନଙ୍କ ଜାଣତରେ ହେଉଛି । ଉପକୃତ ବି ହେଉଛନ୍ତି ବି ସମସ୍ତେ । ଏପରିକି କେତେକ ଅଧିକାରୀ ବ୍ୟବସାୟରୁ ହେଉଥିବା ଲାଭରୁ କିଛି ନେବାକୁ ସର୍ତ୍ତ ମଧ୍ୟ ରଖୁଛନ୍ତି । କେବଳ ଧର୍ମକୁ ଆଖିଠାର ଭଳି ଅମଳ ପରେ କିଛି ଗଛକୁ ଅବକାରୀ ବିଭାଗ ନଷ୍ଟ କରି ଗଣମାଧ୍ୟମରେ ପ୍ରଶଂସା ସାଉଁଟିଥାଏ । ସେହିପରି ଚାଲାଣ ସମୟରେ ଅଧିକ ମାଲ ନେଉଥିବା ଗାଡ଼ିକୁ ଛାଡ଼ି କମ୍ ମାଲ ଥିବା ଗାଡ଼ି କିମ୍ବା ଦୁଇ ତିନୋଟି ଗାଡ଼ିକୁ ଛାଡ଼ି ଦେଇ ଗୋଟିଏ ଗାଡ଼ି ଧରିବା ହିଁ ରୁଟିନ୍ କାମ । ଦୈବାତ ଗଞ୍ଜେଇ ଗାଡ଼ି ଧରାପଡ଼ିଲେ³ ଗାଡ଼ି, ଗଞ୍ଜେଇ ଜବତ କରିବା ସହ ସ୍ଥାନୀୟ ଲୋକ ଗାଡ଼ିରେ ଥିଲେ ଗିରଫ କରିବା ନିଶ୍ଚିତ । କିନ୍ତୁ ବଡ଼ ମାଫିଆ କିମ୍ବା ରାଜ୍ୟ ବାହାର ଲୋକ ଥିଲେ ଜଣ ପିଛା ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ନେଇ ତାଙ୍କୁ ଛାଡ଼ି ଦିଆଯାଏ । ଖାସ୍ ସେଥିପାଇଁ ବିଭିନ୍ନ ରାଜ୍ୟର ଲୋକେ ଆସି ଗଞ୍ଜେଇ ନେଉଥିଲେ ମଧ୍ୟ ସେମାନଙ୍କ ଗିରଫ ସଂଖ୍ୟା ଯଥେଷ୍ଟ କମ୍ ।
ଜଣେ ଗଞ୍ଜେଇ ବେପାରୀଙ୍କ ମତରେ, ଏହି କାରବାରରେ ଚାଷ ୬ ମାସ, କିନ୍ତୁ ବେପାର ବର୍ଷ ସାରା । ଅର୍ଥାତ ବୁଣାଠାରୁ ଅମଳ ସବୁ କିଛି ୬ ମାସରେ ଶେଷ ହୋଇଯାଏ । ଅମଳ ବେଳେ କିଲୋ ୧୫ ଶହ ଟଙ୍କାରୁ ୨ ହଜାର ଟଙ୍କା, ଭଲ କଲି ଥିଲେ ଅଢ଼େଇ ପର୍ଯ୍ୟନ୍ତ ବିକ୍ରି ହୁଏ । କିନ୍ତୁ ବର୍ଷା ଦିନେ ଏହାର ଦାମ ୪ରୁ ୫ ହଜାର ଟଙ୍କା କିଲୋ ବିକ୍ରି ହେଉଛି । ଭଲ ଭାବେ ସାର ଓ ଜଳସେଚନ ଦ୍ୱାରା ଯଦି ୫ ଶହ ହୃଷ୍ଟପୁଷ୍ଟ ଗଛୁ ବଢ଼ାଯିବ ଏବଂ ଭଲ କଲି ଧରିବ, ତେବେ ଅଫ୍ ସିଜନରେ ବିକିଲେ ଅତି କମ୍ରେ ସବୁ ଖର୍ଚ୍ଚ ଯାଇ ପ୍ରାୟ ୨ ଲକ୍ଷ ଟଙ୍କା ଲାଭ ବାହାରିବ ବୋଲି ସେ କୁହନ୍ତି ।
ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ରୁ ଅବସର ନେଇଥିବା ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ, ଓଡ଼ିଶାର ଯେଉଁସବୁ ଜିଲ୍ଲାରେ ଗଞ୍ଜେଇ ଚାଷ ହେଉଛି ସେଠାରେ ରାଜସ୍ୱ ଓ ଜଙ୍ଗଲ ବିଭାଗ ଅନ୍ଧ ଭଳି ବ୍ୟବହାର କରୁଛି । ଅବକାରୀ ଓ ପୁଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ଗଞ୍ଜେଇ ନେଟୱର୍କ ଦ୍ୱାରା ସମ୍ପୂର୍ଣ୍ଣ ଭାବେ ପରିଚାଳିତ । ଏପରିକି କେଉଁ ଅଫିସର ରହିବେ, କାହାର ବଦଳି ହେବ ସେ ନିଷ୍ପତ୍ତି ମଧ୍ୟ ଏମାନଙ୍କ ଦ୍ୱାରା ପ୍ରଭାବିତ । ଚାଷଠୁ ଆରମ୍ଭ କରି ଚାଲାଣ ସବୁଥିରେ ଏସବୁ ବିଭାଗର ଲାଭ ଥାଏ । ମିଳିମିଶି ସମସ୍ତେ ଏଠାରେ ଗଞ୍ଜେଇ ଚାଷକୁ ପ୍ରୋତ୍ସାହିତ କରୁଛନ୍ତି ଏବଂ ଲାଭ ଉଠାଉଛନ୍ତି । ଆଉ ଜିଲ୍ଲା ଓ ରାଜ୍ୟ ବାହାରର ମାଫିଆ ଏହାକୁ ନେଇ ଦଶ ଗୁଣା ଫାଇଦା ଉଠାଉଛନ୍ତି । ଉପରୋକ୍ତ ଜିଲ୍ଲା ଗୁଡ଼ିକରେ ଗଞ୍ଜେଇ ନେଟୱର୍କରେ କୋଟି କୋଟି ଟଙ୍କାର ବେନାମୀ ଅର୍ଥ ନିବେଶ ହେଉଥିବା ବେଳେ ଏହାରୁ କେଇ ଗୁଣା ଅଧିକ ଅର୍ଥର କାରବାର ହେଉଛି । ଏହି ନିବେଶ ଓ କାରବାରରେ ମାଓବାଦୀ ସଙ୍ଗଠନ ମଧ୍ୟ ଜଡ଼ିତ ଥିବାର ପ୍ରମାଣ ବହୁ ପୂର୍ବରୁ ରହିଛି । ତେଣୁ ରାଜ୍ୟ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ରାଷ୍ଟ୍ରୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଏହାର ତଦନ୍ତ ଦାୟିତ୍ୱ ନେବା ଉଚିତ ।