କୋଲକାତା,୩୧।୮: କୋଲକାତା ଦୁଷ୍କର୍ମ ମାମଲାର ସିବିଆଇ ତଦନ୍ତ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଛନ୍ତି ବଡ ବୟାନ। ସେ କହିଛନ୍ତି, ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଅପରାଧ ମାମଲାର ତୁରନ୍ତ ଶୁଣାଣି ଦରକାର। ସର୍ବୋଚ୍ଚ ଅଦାଲତଙ୍କ ସ୍ଥାପନାର ୭୫ ବର୍ଷ ପୂରଣ ଅବସରରେ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସମୟରେ ଦେଶର ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ସହ ସୁପ୍ରିମକୋର୍ଟର ବହୁ ବରିଷ୍ଠ ବିଚାରପତି ଉପସ୍ଥିତ ଥିଲେ। ଉଲ୍ଲେଖନୀୟ ଯେ,କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ନିଜ ଆଡୁ ମାମଲାର ଶୁଣାଣି କରି ପଶ୍ଚିମବଙ୍ଗ ସରକାରଙ୍କ କଡା ଭର୍ତ୍ସନା କରିବା ସହ ତଦନ୍ତ ଉପରେ ପ୍ରଶ୍ନ ଉଠାଇଥିଲେ।
ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସର୍ବୋଚ୍ଚ ଅଦଲାତର ସ୍ଥାପନାର ୭୫ ବର୍ଷ ପୂରଣ ହେବା ଅବସରରେ ଟିକେଟ ଓ ମୁଦ୍ରା ଉନ୍ମୋଚଦ କରିଛନ୍ତି। ସେ ସଭାକୁ ସମ୍ବୋଧିତ କରି କହିଛନ୍ତି, ଆଜି ମହିଳାଙ୍କ ବିରୋଧରେ ଅତ୍ୟାଚାର, ଶିଶୁ ସୁରକ୍ଷା ସମାଜର ଗମ୍ଭୀର ଚିନ୍ତା। ଦେଶରେ ମହିଳାଙ୍କ ସୁରକ୍ଷା ପାଇଁ କଠୋର ଆଇନ ତିଆରି ହୋଇଛି, କିନ୍ତୁ ଆମକୁ ଏହାକୁ ଆହୁରି ସକ୍ରିୟ କରିବା ଦରକାର। ମହିଳାଙ୍କ ପ୍ରତି ଅତ୍ୟାଚାର ସମ୍ପର୍କିତ ମାମଲାର ଯେତେ ଦ୍ରୁତ ଗତିରେ ରାୟ ଆସିବ, ଅଧା ଜନସଂଖ୍ୟାକୁ ସୁରକ୍ଷାର ସେତିକି ଭରସା ମିଳିବ।‘
ମୋଦି କହିଛନ୍ତି, ନ୍ୟାୟରେ ବିଳମ୍ବକୁ ବନ୍ଦ କରିବା ପାଇଁ ଗତ ଏକ ଦର୍ଶକ ହେବ ବହୁ ସ୍ତରରେ କାମ ହୋଇଛି। ଗତ ୧୦ ର୍ଷରେ ଦେଶର ନ୍ୟାୟିକ ଢାଞ୍ଚାର ବିକାଶ ପାଇଁ ୮ ହଜାର କୋଟି ଖର୍ଚ୍ଚ ହୋଇଛି। ୨୫ ବର୍ଷରେ ଯେତେ ଅର୍ଥ ନ୍ୟାୟିକ ଢାଞ୍ଚାରେ ଖର୍ଚ୍ଚରେ କରାଯାଇଛି, ତାର ୭୫ ପ୍ରତିଶତ ୧୦ ବର୍ଷରେ ହୋଇଛି। ଆମର ଲୋକତନ୍ତ୍ରରେ ନ୍ୟାୟପାଳିକା ସମ୍ବିଧାନର ସଂରକ୍ଷକ ବୋଲି ମନେ କରାଯାଏ। ଆପଣଙ୍କର ଏକ ବହୁତ ବଡ ଦାୟିତ୍ବ ରହିଛି। ଆମେ ସନ୍ତୋଷର ସହ କହିବାକୁ ଚାହୁଁଛୁ ଯେ, ଆମ ସୁପ୍ରିମକୋର୍ଟ, ଆମ ନ୍ୟାୟପାଳିକା ଏହି ଦାୟିତ୍ବ ଠିକ୍ ଭାବରେ ନିର୍ବାହ କରିବାକୁ ଚେଷ୍ଟା କରିଛି। ସ୍ବାଧିନତା ପରେ ନ୍ୟାୟପାଳିକା ନ୍ୟାୟ ଭାବନାର ରକ୍ଷା କରିଛନ୍ତି। ଯେତେବେଳେ ଦେଶର ସୁରକ୍ଷାର ପ୍ରଶ୍ନ ଉଠିଛି ନ୍ୟାୟ ପାଳିକା ରାଷ୍ଟ୍ରହିତ ସର୍ବୋପରି ରଖି ଭାରତର ଏକତାର ରକ୍ଷା କରିଛନ୍ତି।
ମୋଦି କହିଛନ୍ତି, ସୁପ୍ରିମକୋର୍ଟର ୭୫ ବର୍ଷର କେବଳ ଏକ ସଂସ୍ଥାର ଯାତ୍ରା ନୁହେଁ, ଏହି ଯାତ୍ରା ଭାରତର ସମ୍ବିଧାନସ ଓ ସମ୍ବିଧାନିକ ମୁଲ୍ୟର ଯାତ୍ରା। ଏଥିରେ ପୀଢି ପରେ ପୀଢି କୋଟି କୋଟି ଦେଶବାସୀଙ୍କ ଯୋଗଦାନ ମଧ୍ୟ ରହିଛି, ଯିଏକି ପ୍ରତିଟି ପରିସ୍ଥିତିରେ ନ୍ୟାୟପାଳିକା ଉପରେ ନିଜର ଭରସା ରଖିଛନ୍ତି। ଭାରତର ଲେକା କେବେ ବି ସୁପ୍ରିମକୋର୍ଟ, ଆମର ନ୍ୟାୟପାଳିକା ଉପରେ ଅବିଶ୍ବାସ କରି ନାହାନ୍ତି। ତେଣୁ ସୁପ୍ରିମକୋର୍ଟ ଏହି ୭୫ ବର୍ଷରେ ମଦର ଅଫ୍ ଡେମୋକ୍ରାସି ଭାରତର ଗୌରବକୁ ଆହୁରି ଆଗକୁ ବଢାଇଛନ୍ତି। ଦେଶର ସମ୍ବିଧାନର ୭୫ ବର୍ଷ ପାଳନ ହେବାକୁ ଯାଉଛି, ତେଣୁ ଏହି ଅବସରରେ ମଧ୍ୟ ଗର୍ବ ଓ ପ୍ରେରଣା ରହିଛି।’