ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କୋଟାରେ ଥମୁନି ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା, ୧୨ ବର୍ଷରେ ଲିଭିଲାଣି ୧୮୨ ଜଣଙ୍କ ଜୀବନ ଦୀପ

କୋଟା, ୧।୫: ସଫଳତାର ସ୍ୱପ୍ନ, ଉଦ୍ୟମ ଏବଂ ବିଫଳତା । ପରେ ଭୟ, ବିଫଳ ହେବାର ଗ୍ଲାନି, ମାନସିକ ସନ୍ତୁଳନ ନ ରଖିପାରିବା ଯୋଗୁ ଜୀବନ ହରାଇବାକୁ ଶ୍ରେୟ ମଣିବା ଭଳି ଚରମ ପଦକ୍ଷେପ । ଜେଇଇ, ଏନ୍‌ଇଇଟି ଭଳି ପ୍ରତିଯୋଗିତାପୂର୍ଣ୍ଣ ପରୀକ୍ଷା ପାଇଁ ପ୍ରସ୍ତୁତି କରିବା ଲାଗି ରାଜସ୍ଥାନର କୋଟାକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟାର ଟ୍ରେଣ୍ଡ୍‌ ଲଗାତର ଉପରମୁହାଁ ହେବା ଭଳି ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ଚଳିତ ବର୍ଷ ଆରମ୍ଭରୁ ୯ ଛାତ୍ରୀଛାତ୍ରୀ ଆତ୍ମହତ୍ୟାକୁ ସମାଧାନର ଏକମାତ୍ର ପନ୍ଥା ଭାବେ ବାଛିବା ସଫଳତା ପାଇଁ ସେମାନଙ୍କ ଉପରେ ଥିବା ଚାପକୁ ଦର୍ଶାଉଛି । ଗତ ୧୨ ବର୍ଷର ରେକର୍ଡ ଦେଖିଲେ କୋଟାରେ ୧୮୨ ପରିବାରର ଦୀପ ଲିଭିଲାଣି । ସ୍ୱପ୍ନ ବିକୁଥିବା ସହର କୋଟା ଏବେ ଛାତ୍ରଛାତ୍ରୀ ଆତ୍ମହତ୍ୟାର ନଗର ପାଲଟିଛି । କୋଟାକୁ ପ୍ରତିବର୍ଷ ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଛାତ୍ରଛାତ୍ରୀ ପ୍ରତିଯୋଗିତାପୂର୍ଣ୍ଣ ପରୀକ୍ଷା ଦେବା ଲାଗି କୋଚିଂ ସେଣ୍ଟରଗୁଡ଼ିକୁ ଆସିଥାନ୍ତି । 

ବିଶେଷକରି ଏନ୍‌ଇଇଟି ଏବଂ ଜେଇଇ ପରୀକ୍ଷା ଦେବା ଲାଗି ସେମାନେ ଏଠାରେ ପ୍ରସ୍ତୁତି କରିଥାନ୍ତି । ଚଳିତ ବର୍ଷ ଅଢ଼େଇରୁ ୩ ଲକ୍ଷ ଛାତ୍ରଛାତ୍ରୀ କୋଟାକୁ ଆସିଥିବା ଜଣାଯାଇଛି । ଏକ ରିପୋର୍ଟ ଅନୁସାରେ, କୋଟାରେ କୋଚିଂ ସେଣ୍ଟରଗୁଡ଼ିକର ବ୍ୟବସାୟ ବର୍ଷକୁ ପ୍ରାୟ ୩ ହଜାର କୋଟି ଟଙ୍କାରୁ ଊଦ୍ଧ୍ୱର୍ ହୋଇଥାଏ । ସୂଚନା ଅନୁସାରେ, ୨୦୧୩ରେ କୋଟାରେ ୧୩ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବାବେଳେ ୨୦୧୪ରେ ୮, ୨୦୧୫ରେ ୧୭, ୨୦୧୬ରେ ୧୮, ୨୦୧୭ରେ ୧୪, ୨୦୧୮ରେ ୨୦, ୨୦୧୯ରେ ୧୮, ୨୦୨୦ରେ ଏହି ସଂଖ୍ୟା ୨୦ ଥିଲା । କରୋନା ପାଇଁ କୋଟାରେ ଇନ୍‌ଷ୍ଟିଚ୍ୟୁଟଗୁଡ଼ିକ ବନ୍ଦ ଥିବାରୁ ୨୦୨୧ରେ ଏହି ସଂଖ୍ୟା ଶୂନ ରହିଥିଲା । ପରେ ୨୦୨୨ରେ ପୁଣି ୨୨ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ । ୨୦୨୩ରେ ଏହି ସଂଖ୍ୟା ସର୍ବାଧିକ ୨୯ ଥିଲା । ଚଳିତ ବର୍ଷ ୯ ବିଦ୍ୟାର୍ଥୀ ନିଜ ହାରିଲେଣି । ଶିକ୍ଷା ବିଶେଷଜ୍ଞଙ୍କ କହିବା ଅନୁସାରେ, କୋଟାରେ ଥିବା କୋଚିଂ ଇନ୍‌ଷ୍ଟିଚ୍ୟୁଟଗୁଡ଼ିକ ଅଭିଭାବକଙ୍କଠାରୁ ମନଇଚ୍ଛା ପାଉଣା ଆଦାୟ ସହ ନିଜ ସର୍ତ୍ତ ରଖି ସେମାନଙ୍କ ପିଲାଙ୍କୁ ଇଞ୍ଜିନିୟର ଏବଂ ଡାକ୍ତର କରାଇଦେବାକୁ ଗ୍ୟାରେଣ୍ଟି ଦେଉଛନ୍ତି । ଅଭିଭାବକମାନେ ମଧ୍ୟ ଏହି ସ୍ୱପ୍ନ ସାକାର କରିବା ଲାଗି ଧାଡ଼ିରେ ଲାଗିପଡ଼ୁଛନ୍ତି । ଅନ୍ୟମାନଙ୍କଠାରୁ ପଛରେ ରହିଯିବାର ଭୟ, ବିଫଳତାର ଡର, କୋଚିଂ ସେଣ୍ଟରଗୁଡ଼ିକ ପକ୍ଷରୁ ଅସୀମ ଚାପ, ବାପାମା’ଙ୍କ ସ୍ୱପ୍ନ ପୂରଣ କରିବା ଲାଗି ଅହରହ ଭାବନାରେ ବୁଡ଼ି ରହିବା ଯୋଗୁ ପିଲାମାନେ ନିଜ ମାନସିକ ଭାରସାମ୍ୟ ହରାଉଛନ୍ତି । ଅନେକ ଛାତ୍ରଛାତ୍ରୀ ଆତ୍ମହତ୍ୟା ପୂର୍ବରୁ ସେମାନେ ସମ୍ମୁଖୀନ ହୋଇଥିବା ଚାପ ବାବଦରେ ମଧ୍ୟ ସୁଇସାଇଡ ନୋଟ ଲେଖି ଯାଉଛନ୍ତି । ଏପରି କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ପାଇଁ ସେମାନଙ୍କ ବାପା ମା’ ତଥା ଅଭିଭାବକ ସର୍ବାଧିକ ସମ୍ବେଦନଶୀଳ ହେବା ଉଚିତ ବୋଲି ମତ ପ୍ରକାଶ ପାଇଛି । 

ଏହାବାଦ୍‌ କୋଚିଂ ସେଣ୍ଟରଗୁଡ଼ିକ ପକ୍ଷରୁ ଆଶାୟୀଙ୍କ ଉପରେ ଲଦି ଦିଆଯାଉଥିବା ଚାପକୁ ନିୟନ୍ତ୍ରଣ ଭିତରେ ରଖିବା ଲାଗି ସରକାରଙ୍କ ପକ୍ଷରୁ ଠୋସ୍‌ ଆଇନ ଅଣାଯିବାର ଆବଶ୍ୟକତା ରହିଛି । ହଷ୍ଟେଲରେ ଝୁଲିପଡ଼ିଲେ ନର୍ସିଂ ଛାତ୍ରୀ ନୂଆଦିଲ୍ଲୀ,୩୦ା୪(ଏଜେନ୍ସି): ଦିଲ୍ଲୀ ଏମ୍ସର ଜଣେ ବି.ଏସ୍‌ସି ନର୍ସିଂ ଛାତ୍ରୀ ହଷ୍ଟେଲ୍‌ ରୁମ୍‌ରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମଙ୍ଗଳବାର ଦିଲ୍ଲୀ ପୁଲିସ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତଦନ୍ତ ବେଳେ ହଷ୍ଟେଲ୍‌ ରୁମ୍‌ରୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିଛି । ଏହାକୁ ଆଧାର କରି ପୁଲିସ କହିଛି ଯେ ନର୍ସିଂ ଛାତ୍ରୀ ଜଣକ ନର୍ସିଂ ପାଠପଢ଼ା ସମେତ ବିହାର ଲୋକ ସେବା ଆୟୋଗ ପରୀକ୍ଷା ପାଇଁ ପ୍ରସ୍ତୁତିକୁ ନେଇ ଅବସାଦଗ୍ରସ୍ତ ଥିଲେ । ସେ ବି.ଏସ୍‌ସି ଦ୍ୱିତୀୟ ବର୍ଷ ଛାତ୍ରୀ ଥିଲେ । ତାଙ୍କ ଘର ବିହାରର ଶେଖପୁରାରେ । ଦିଲ୍ଲୀ ଏମ୍ସର ଜଣେ ଅଧିକାରୀ କହିଛନ୍ତି, ଛାତ୍ରୀ ଜଣକ ଚୂଡ଼ାନ୍ତ ପରୀକ୍ଷାରେ ଦୁଇଟି ପେପର୍‌ରେ ଅକୃତକାର୍ଯ୍ୟ ହୋଇଥିଲେ । ଏହାକୁ ନେଇ ସେ ଚିନ୍ତିତ ହୋଇପଡ଼ିଥିଲେ । ଡିସିପି (ଦକ୍ଷିଣ) ଅଙ୍କିତ ଚୌହାନଙ୍କ ମୁତାବକ, ଘଟଣାସ୍ଥଳରୁ କୌଣସି ସନ୍ଦେହଜନକ ସାମଗ୍ରୀ ମିଳିନାହିଁ । ତେଣୁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ପ୍ରତୀୟମାନ ହେଉଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.