ଭୁବନେଶ୍ୱର,୨୪/୦୯: କ୍ୟାପିଟାଲ୍ ହସ୍ପିଟାଲ୍ରେ ସଫେଇ କର୍ମଚାରୀ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଫଳରେ ହସ୍ପିଟାଲ ପରିସରରୁ ଅଳିଆ ସଫା ହେଉନାହିଁ । ଅଳିଆ ଆବର୍ଜନା ପଡ଼ି ରହିବା ଫଳରେ ପରିସର ଦୁର୍ଗନ୍ଧରେ ଫାଟୁଛି । ଦଶହରା ବୋନସ ଓ ମାସିକ ୨୬ ଦିନ ବଦଳରେ ୩୦ ଦିନର ଦରମା ଦେବା ଦାବିରେ ସଫେଇ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀଙ୍କ ଅନ୍ଦୋଳନ ଏବେ ନିତିଦିନିଆ ଘଟଣାରେ ପରିଣତ ହେଲାଣି ।
ଚଳିତ ବର୍ଷ ୪ମାସ ଭିତରେ ୪ଥର ଆନ୍ଦୋଳନ କରିସାରିଲେଣି । ସମାନ୍ୟ ଘଟଣାକୁ ନେଇ ଆନ୍ଦୋଳନ ଓ କାର୍ଯ୍ୟବନ୍ଦ ଯୋଗୁଁ ହସ୍ପିଟାଲରେ ରୋଗୀ ସେବାରେ ଗଭୀର ପ୍ରଭାବ ପକାଉଛି । ସୋମବାର ଦୁଇ ଦଫା ଦାବି ନେଇ ପୁଣି ହସ୍ପିଟାଲର ସଫେଇ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଫଳରେ ହସ୍ପିଟାଲ୍ରେ ସଫେଇ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଚାରିଆଡ଼େ ଅଳିଆ ପଡ଼ି ରହିଛି । ହସ୍ପିଟାଲ୍ କର୍ତ୍ତୃପକ୍ଷ ଓ ପୁଲିସ୍ ମିଳିତ ଭାବେ ଆନ୍ଦୋଳନରତ କର୍ମଚାରୀଙ୍କୁ ବୁଝାସୁଝା କରିଥିଲେ । ହେଲେ ସଫେଇ କର୍ମଚାରୀ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।