ପ୍ରମୂଖ ଖବର

ଗାଡ଼ି ରଖିଲେ...ପରିଚୟ ମାଗିଲେ...ଆଉ ତା'ପରେ ଆଖିବୁଜା ଗୁଳି; ପାକିସ୍ତାନରେ ଆତଙ୍କୀଙ୍କ ନରସଂହାର, ୫୦ ମୃତ

ଇସଲାମାବାଦ,୨୬/୦୮: ପାକିସ୍ତାନର ବାଲୁଚିସ୍ତାନରେ ନରସଂହାର। ପୋଲିସ ‌ ଷ୍ଟେସନ୍‌,ରେଲଓ୍ବେ ଲାଇନ୍‌ ଓ ହାଇଓ୍ବେରେ ବାହାନ ଗୁଡିକ ଉପରେ  ଆକ୍ରମଣ କରି ୫୦ ଜଣଙ୍କୁ ହତ୍ୟା କରିଛନ୍ତି ଆତଙ୍କୀ।  ସବୁଠାରୁ   ବଡ ଆକ୍ରମଣ ବାଲୁଚିସ୍ତାନର ମୁସାଖେଲ ଜିଲ୍ଲାରେ  ଦେଖିବାକୁ ମିଳିଛି। ସୋମବାର ମୁସାଖେଲରେ କିଛି ବନ୍ଧୁକଧାରୀ ୨୩ ଜଣ ଯାତ୍ରୀଙ୍କୁ ଗାଡିରୁ ବାହାର କରି ଗୁଳିକରି  ହତ୍ୟା କରିଛନ୍ତି। ଏଏଫ୍‌ପି ରିପୋର୍ଟ ଅନୁଯାୟୀ, ବାଲୁଚିସ୍ତାନ ପ୍ରଦେଶର ମୁସାଖେଲ ଜିଲ୍ଲାରେ ଆତଙ୍କବାଦୀମାନେ ଅନେକ ବସ୍, ଟ୍ରକ୍ ଏବଂ ଭ୍ୟାନ୍ ଅଟକାଇଥିଲେ। ଆତଙ୍କବାଦୀମାନେ ସେମାନଙ୍କର ଜାତି ପଚାରିବା ପରେ ଜଣ ଜଣ କରି ସମସ୍ତଙ୍କୁ ଗୁଳି କରିଥିଲେ। ଏହି ଘଟଣାରେ ୫ ଜଣ ମଧ୍ୟ ଆହତ ହୋଇଛନ୍ତି। ଘଟଣା ପାଇଁ ବାଲୁଚି   ଲିବରେସନ୍‌   ଆର୍ମି ନିଜକୁ ଦାୟୀ କରିଛି। 

ମୁସାଖେଲର ଜଣେ ବରିଷ୍ଠ ଅଧିକାରୀ ନଜିବୁଲ୍ଲା କାକର କହିଛନ୍ତି ଯେ ଆତଙ୍କବାଦୀମାନେ ପଞ୍ଜାବକୁ ବାଲୁଚିସ୍ତାନ ସହ ସଂଯୋଗ କରୁଥିବା ରାଜପଥରେ ଅନେକ ବସ୍, ଟ୍ରକ୍ ଏବଂ ଭ୍ୟାନ୍ ଅଟକାଇଥିଲେ। ପରେ ଲୋକଙ୍କୁ ଗାଡ଼ିରୁ ବାହାର କରି ମନଇଛା ଗୁଳିମାଡ଼ କରିଥିଲେ, ଏଥିରେ ୨୩ ଜଣଙ୍କର ଜୀବନ ଯାଇଥିବା ବେଳେ ୫ ଜଣ ଆହତ ହୋଇଥିଲେ। ସେ କହିଛନ୍ତି ଯେ ପଞ୍ଜାବକୁ ଆସୁଥିବା ଏବଂ ଯାଉଥିବା ଯାନଗୁଡିକୁ ଯାଞ୍ଚ କରାଯାଇ ପଞ୍ଜାବ ଲୋକଙ୍କୁ ଚିହ୍ନଟ କରାଯାଇ ଗୁଳି କରାଯାଇଛି।

ପାକିସ୍ତାନୀ ଖବରକାଗଜ ଡନ୍ ରିପୋର୍ଟ ଅନୁଯାୟୀ ଆସିଷ୍ଟାଣ୍ଟ କମିଶନର ନଜୀବ କାକର କହିଛନ୍ତି ଯେ ଆତଙ୍କବାଦୀମାନେ ମୁସାଖେଲରେ ରାଜପଥ ଅବରୋଧ କରି ଯାତ୍ରୀମାନଙ୍କୁ ବାହାର କରି ହତ୍ୟା କରିଥିଲେ। ଏଥିସହିତ ସେମାନେ ୧୦ ଟି ଗାଡିରେ ନିଆଁ ଲଗାଇ ଦେଇଛନ୍ତି। ଏହି ଘଟଣା ପରେ ବାଲୁଚିସ୍ତାନର ମୁଖ୍ୟମନ୍ତ୍ରୀ ସରଫରାଜ ବଗି ଏକ ବିବୃତ୍ତି ଦେଇଛନ୍ତି। ଏହି ଆତଙ୍କବାଦୀ ଘଟଣାକୁ ସେ ଦୃଢ଼ ନିନ୍ଦା କରିଛନ୍ତି। ବିବୃତ୍ତି ଅନୁଯାୟୀ ଆତଙ୍କବାଦୀଙ୍କ ବର୍ବର କାଣ୍ଡରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ସେ ସମବେଦନା ଜଣାଇଛନ୍ତି। ଆତଙ୍କବାଦୀ ଏବଂ ସେମାନଙ୍କ ସହାୟକମାନେ ଏଥିରୁ ରକ୍ଷା ପାଇବେ ନାହିଁ ବୋଲି ସେ କହିଛନ୍ତି। ବାଲୁଚିସ୍ତାନ ସରକାର ଏହି ଅପରାଧୀଙ୍କୁ ନିଶ୍ଚୟ ଦଣ୍ଡିତ କରିବେ ବୋଲି ଦାବି କରିଛନ୍ତି। 

ଏହି ଘଟଣାରେ ପାକିସ୍ତାନର ପଞ୍ଜାବ ସରକାର ମୁଖପାତ୍ର ଆଜମା ବୁଖାରୀ କ୍ରୋଧ ପ୍ରକାଶ କରିଛନ୍ତି। ହିଂସାର ଏହା ଏକ ଅତ୍ୟନ୍ତ ବର୍ବର ଓ କୁତ୍ସିତ ଉଦାହରଣ ବୋଲି ସେ କହିଛନ୍ତି। ଏହି ଆକ୍ରମଣର ଢ଼ାଞ୍ଚା ପ୍ରାୟ ୪ ମାସ ପୂର୍ବେ ଘଟିଥିବା ହିଂସା ସହିତ ସମାନ ଥିଲା। ଡନ୍ ରିପୋର୍ଟ ଅନୁଯାୟୀ, ଏପ୍ରିଲରେ ହୋଇଥିବା ଏହି ଆକ୍ରମଣରେ ୯ ଜଣ ଯାତ୍ରୀଙ୍କୁ ଏକ ବସ୍‌ରୁ ଜବରଦସ୍ତ ଓହ୍ଲାଇ ଦିଆଯାଇଥିଲା ଏବଂ ତାଙ୍କ ପରିଚୟ ପଚାରିବା ପରେ ହତ୍ୟା କରାଯାଇଥିଲା।

 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.