ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏମିତି ଆମ ସାଇବର୍‌ ଥାନା, ଅନଭିଜ୍ଞ କର୍ମଚାରୀକୁ ନେଇ ଚାଲିଛି ଥାନା

ଭୁବନେଶ୍ୱର, ୨୯।୫(ଦିଲ୍ଲୀପ ରାଉତ): ସାଇବର ଅପରାଧୀଙ୍କ କାରନାମା ବଢ଼ିବାରେ ଲାଗିଛି । ଲୋକ ନ୍ୟାୟ ଆଶାରେ ପୁଲିସ୍‌ ପାଖକୁ ଯାଉଛନ୍ତି । ପୁଲିସ୍‌ ନ୍ୟାୟ ଦେବା ବଦଳରେ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହେଉଛି । ଲିଖିତ ଅଭିଯୋଗ ପାଇବା ପରେ ମଧ୍ୟ ମାମଲା ରୁଜୁ କରିବାକୁ କୁନ୍ଥଉଛି ପୁଲିସ୍‌ । ଗତ ସାଢ଼େ ୪ ମାସରେ (ଜାନୁଆରୀରୁ-ମେ’୨୦ ତାରିଖ) ଭୁବନେଶ୍ୱର ସାଇବର ଥାନାକୁ ୧୭୦୦ ଅଭିଯୋଗ ଆସିଛି । ପୁଲିସ୍‌ ମାତ୍ର ୧୨୦ଟି ମାମଲା ରୁଜୁ କରିଛି । ଚାର୍ଜସିଟ୍‌ ଓ ତଦନ୍ତ ଚାପ ନ ନେବା ପାଇଁ ପୁଲିସ୍‌ ମାମଲା ରୁଜୁ କରୁନଥିବା ଜଣାପଡିଛି । ରିପୋର୍ଟ କହୁଛି, ଗତ ସାଢ଼େ ୪ ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ କମିଶନରେଟ୍‌ ପୁଲିସ୍‌ ଭୁବନେଶ୍ୱର ସାଇବର ଓ ଅର୍ଥନୈତିକ ଅପରାଧ ଥାନାକୁ ୩୦୯୯ଟି ଅଭିଯୋଗ (ଲିଖିତ ଓ ଫୋନ୍‌ ଯୋଗେ) ଆସିଥିଲା । ସେଥିରୁ ୧୬୭୦ଟି କେବଳ ଭୁବନେଶ୍ୱରର ହୋଇଥିବାବେଳେ ବାକି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଯାଜପୁର, କେନ୍ଦ୍ରାପଡା, କଟକ ଗ୍ରାମାଞ୍ଚଳ, ଢେଙ୍କାନାଳ ଭଳି ପୁଲିସ୍‌ ଜିଲ୍ଳାରୁ ଆସିଛି । 

ଜାନୁଆରୀ ମାସରେ ୪୧୮ ଜଣ, ଫେବ୍ରୁଆରୀରେ ୩୮୦, ମାର୍ଚ୍ଚରେ ୫୨୫, ଏପ୍ରିଲ୍‌ରେ ୨୬୧, ମେ’ ୧୫ ତାରିଖ ସୁଦ୍ଧା ୮୬ ଜଣ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଲୋକେ ଅଭିଯୋଗ କରିବା ପରେ ମାମଲା ରୁଜୁ ହେବ କି ନା ସେ ବିଷୟରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି ଥାନା ଅଧିକାରୀ । ଅନୁମତି ମିଳିବା ପରେ ମାମଲା ରୁଜୁ ହେଉଛି । ନ ହେଲେ ସେମିତି ପଡ଼ିରହୁଛି । ୧୬୭୦ ଜଣଙ୍କ ଅଭିଯୋଗ ମଧ୍ୟରୁ ପୁଲିସ୍‌ ମାତ୍ର ୧୨୦ଟି ମାମଲା ରୁଜୁ କରିଛି । ଯେଉଁ ବ୍ୟକ୍ତିମାନେ ସାଇବର ଠକଙ୍କ ପଞ୍ଝାରେ ପଡ଼ି ୩ ଲକ୍ଷରୁ ଅଧିକ ଟଙ୍କା ହରାଉଛନ୍ତି ସେମାନଙ୍କ ମାମଲା ପୁଲିସ ରୁଜୁ କରୁଛି । ଯଦି କୌଣସି ବ୍ୟକ୍ତି ୩ ଲକ୍ଷରୁ କମ୍‌ ଟଙ୍କାର ଠକାମିରେ ପଡ଼ି ଥାନାକୁ ଯାଉଛନ୍ତି ପୁଲିସ୍‌ ସେମାନଙ୍କ ମାମଲା ରୁଜୁ କରୁନାହିଁ ।  ପୁଲିସ୍‌ ମାମଲା ରୁଜୁ ନ କରିବାର ମୁଖ୍ୟ କାରଣ ହେଲା ତଦନ୍ତ ଓ ଚାର୍ଜସିଟ୍‌ର ଭୟ । ପୁଲିସ୍‌ଠାରୁ ସାଇବର ଅପରାଧୀମାନେ ୧୦ ଗୁଣା ଚତୁର । ଏମାନେ ଜଣେ ବ୍ୟକ୍ତିର ଆକାଉଣ୍ଟରୁ ଟଙ୍କା ନେଇ ଏମିତି ସ୍ଥାନରେ ବିନିଯୋଗ କରୁଛନ୍ତି, ତାକୁ ଧରିବା ପୁଲିସ୍‌ ପାଇଁ କାଠିକର ପାଠ । 

କାରଣ ଓଡ଼ିଶା ପୁଲିସ୍‌ ପାଖରେ ଜଣେ ହେଲେ ବି ଆଇଟି ବିଶେଷଜ୍ଞ ନାହାନ୍ତି । କିଛି ବର୍ଷ ତଳେ ଅନେକ ଇନ୍ସପେକ୍ଟର ଓ ସବ୍‌ ଇନ୍ସପେକ୍ଟରଙ୍କୁ ଓଡ଼ିଶା ପୁଲିସ୍‌ ପକ୍ଷରୁ ସାଇବର ଅପରାଧ ଜନିତ ତାଲିମ ଦିଆଯାଇଥିଲା । ଅଧିକ ଜ୍ଞାନ ଗ୍ରହଣ ପାଇଁ ରାଜ୍ୟ ବାହାରକୁ ମଧ୍ୟ କିଛି ପୁଲିସ୍‌ କର୍ମଚାରୀ ଯାଇଥିଲେ । ତାଲିମ ନେଇ ଫେରିବା ପରେ ସେମାନଙ୍କୁ ସାଇବର ଥାନା ଓ ସାଇବର ସେଲ୍‌ରେ ରଖିବା ବ୍ୟବସ୍ଥା ଥିଲା । ହେଲେ ତାଲିମପ୍ରାପ୍ତ ଅଧିକାରୀ ସାଇବର ଥାନାରେ ନ ରହି ଏଣେତେଣେ ଅଛନ୍ତି । ରାଜ୍ୟରେ ଥିବା ବିଭିନ୍ନ ସାଇବର ଥାନାରେ ଜଣେ କି ୨ ଜଣଙ୍କୁ ଛାଡ଼ି ଦେଲେ ବାକି ସବୁ ଅନଭିଜ୍ଞ ପୁଲିସ୍‌ ଅଫିସର । ଯେଉଁଥି ପାଇଁ ଅଭିଯୋଗ ପରେ ତଦନ୍ତ ଭୟରେ ମାମଲା ରୁଜୁ କରିବାକୁ ଲୋକଙ୍କୁ ସିଧା ମନା କରି ଦେଉଛି ପୁଲିସ୍‌ । ଯଦି ଆମେ ଟଙ୍କା ଲୁଟ୍‌ ଓ ଫେରସ୍ତ କଥା ଦେଖିବା ତା’ହେଲେ ଉକ୍ତ ସାଢ଼େ ୪ ମାସରେ ଭୁବନେଶ୍ୱରରୁ ୩୦ କୋଟିରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି ସାଇବର ଅପରାଧୀ । ବିଭିନ୍ନ ୱେବ୍‌ସାଇଟ୍‌ ଓ ଟ୍ରେଡିଂ ମାଧ୍ୟମରେ ଲୋକମାନେ ଟଙ୍କା ହରାଉଛନ୍ତି । ପୁଲିସ୍‌ ମାତ୍ର ୨୦ରୁ୨୫ ଲକ୍ଷ ଟଙ୍କା ଫେରସ୍ତ କରିଥିବା ବେଳେ ବ୍ୟାଙ୍କ୍‌ ସହଯୋଗରେ ବିଭିନ୍ନ ଆକାଉଣ୍ଟରେ ଥିବା ସାଢ଼େ ୭ କୋଟି ଟଙ୍କା ବ୍ଲକ୍‌ କରିଥିବା ଜଣାପଡ଼ିଛି । 

ଏନେଇ କମିଶନରେଟ୍‌ ପୁଲିସ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଥାନାରେ କୌଣସି ସାଇବର ବିଶେଷଜ୍ଞ ନାହାନ୍ତି । ଅଫିସରମାନଙ୍କୁ ଯେତିକି ତାଲିମ୍‌ ଦିଆଯାଇଥିଲା ତାକୁ ନେଇ କାମ ଚାଲୁଛି । ପ୍ରତ୍ୟେକ ଦିନ ୩୦ରୁ ୪୦ ଅଭିଯୋଗ ଆସୁଛି । ଏଥିରେ ୫ ହଜାର ଟଙ୍କା ହରାଇଥିବା ବ୍ୟକ୍ତି ମଧ୍ୟ ଅଛନ୍ତି । ଯଦି ସବୁ ଅଭିଯୋଗର ମାମଲା ରୁଜୁ କରାଯିବ ତେବେ ବର୍ଷକୁ ଗୋଟିଏ ଥାନାରେ ୪ ହଜାରରୁ ଅଧିକ ମାମଲା ହେବ । ସେ ସବୁ ମାମଲାର ତଦନ୍ତ କରି ଚାର୍ଜସିଟ୍‌ ଦାଖଲ କରିବାକୁ ପୁଲିସ୍‌ ପାଖରେ ସମୟ ନାହିଁ କି କର୍ମଚାରୀ ନାହାନ୍ତି । ସେଥିପାଇଁ ବଛା ବଛା ଅଭିଯୋଗର ମାମଲା ରୁଜୁ ହେଉଛି । ତା’ଛଡ଼ା ଲୋକମାନେ ସଚେତନ ନ ହୋଇ ଠକଙ୍କ ଶିକାର ହେଉଛନ୍ତି । ଅଧିକାଂଶ ଲୋକ ସାଇବର ଅପରାଧୀଙ୍କୁ ସବୁ କିଛି ତଥ୍ୟ ଦେଇ ଦେଉଛନ୍ତି । ତା’ପରେ ଥାନାକୁ ଆସି ଠକେଇର ଶିକାର ବୋଲି ଅଭିଯୋଗ କରନ୍ତି । ୯୦%ଶିକ୍ଷିତ ଲୋକ ହିଁ ସାଇବର ଅପରାଧୀଙ୍କ ଶିକାର ହେଉଥିବା ସେ କହିଛନ୍ତି ।

 

 

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.