ନୂଆଦିଲ୍ଲୀ,୧୯/୦୮: କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ସମାଜରେ ବୈବାହିକ ବ୍ୟବସ୍ଥା ପାଇଁ ତ୍ରିପଲ ତଲାକ ବିପଜ୍ଜନକ ଏବଂ ଏହା ମୁସଲମାନ ମହିଳାମାନଙ୍କ ଅବସ୍ଥାକୁ ଦୁଢ଼ଖଦାୟକ କରିଥାଏ। କେନ୍ଦ୍ର ସରକାର ଏକ ଯୁକ୍ତି ଉପସ୍ଥାପନ କରି ସୁପ୍ରିମକୋର୍ଟରେ ଏହି ପ୍ରତିକ୍ରିୟା ଦେଇଛନ୍ତି। କେନ୍ଦ୍ର ସରକାର କହିଛନ୍ତି ଯେ ମୁସଲିମ ସମ୍ପ୍ରଦାୟରେ ପ୍ରଚଳିତ ତ୍ରିପଲ ତଲାକ ବିରୋଧରେ ସୁପ୍ରିମକୋର୍ଟଙ୍କ ୨୦୧୭ ନିର୍ଦ୍ଦେଶ ମଧ୍ୟ ଛାଡପତ୍ର ମାମଲା ହ୍ରାସ କରିବାରେ ସକ୍ଷମ ହୋଇନାହିଁ। ଏଭଳି ପରିସ୍ଥିତିରେ ଏହାକୁ ଅପରାଧୀକରଣ କରିବା ଆବଶ୍ୟକ।
କେନ୍ଦ୍ର ସରକାର କହିଛନ୍ତି, ଟ୍ରିପଲ ତଲାକର ଶିକାର ହୋଇଥିବା ପୀଡ଼ିତାଙ୍କ ପାଖରେ ଥାନାର ଦ୍ବାରସ୍ଥ ହେବା ଛଡ଼ା ଅନ୍ୟ କୌଣସି ବିକଳ୍ପ ନାହିଁ। ଏଥିସହିତ ପୋଲିସ ମଧ୍ୟ ଏହି ପ୍ରସଙ୍ଗରେ ଅସହାୟ ହୋଇପଡିଥିଲା କାରଣ ଆଇନରେ ଏନେଇ କଡ଼ା ବ୍ୟବସ୍ଥା ନଥିବା କାରଣରୁ ଅଭିଯୁକ୍ତ ସ୍ୱାମୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଷ୍ଟସାଧ୍ୟ ହୋଇପଡୁଛି। ସୂଚନାଥାଉକି, ସୁପ୍ରିମକୋର୍ଟରେ ଏକ ପିଟିସନରେ କୁହାଯାଇଥିଲା ଯେ ଯେତେବେଳେ କୋର୍ଟ ଟ୍ରିପଲ ତଲାକକୁ ଆଇନଗତ ଘୋଷଣା କରିଛନ୍ତି, ସେତେବେଳେ ଏହାକୁ ଅପରାଧୀକରଣ କରିବାର କୌଣସି ଅର୍ଥ ନାହିଁ। ଏହି ଆବେଦନ ସମ୍ପର୍କରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ନିଜର ଆଭିମୁଖ୍ୟ ଉପସ୍ଥାପନ କରିଛନ୍ତି।
ସୂଚନାଥାଉକି, ଏହି ମାସ ଆରମ୍ଭରୁ ସମଗ୍ର କେରଳ ଜମାଇତୁଲ ଉଲାମାଙ୍କ ପକ୍ଷରୁ ଏକ ପିଟିସନ ଦାଖଲ କରାଯାଇଥିଲା। ଏହା ସୁନ୍ନିମାନଙ୍କର ଏକ ସଂଗଠନ। ଆବେଦନକାରୀ ମୁସଲିମ ମହିଳା (ବିବାହ ପରେ ଅଧିକାରର ସୁରକ୍ଷା) ଅଧିନିୟମ ୨୦୧୯ କୁ ଅସାମ୍ବିଧାନିକ ବୋଲି କହିଥିଲେ। ଏହା ମୌଳିକ ଅଧିକାରର ଉଲ୍ଲଂଘନ ବୋଲି ଆବେଦନକାରୀ କହିଥିଲେ। ଧର୍ମ ଆଧାରରେ ଏହାକୁ କୌଣସି ଆଇନ ଅନୁଯାୟୀ ଅପରାଧ ଭାବରେ ବିବେଚନା କରାଯାଇପାରିବ ନାହିଁ।
କେନ୍ଦ୍ର ସରକାର ଆବେଦନକାରୀଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ତ୍ରିପଲ ତଲାକ ମହିଳାଙ୍କ ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି। ମହିଳାମାନଙ୍କୁ ମଧ୍ୟ ସମ୍ବିଧାନରେ ସମାନ ଅଧିକାର ଦିଆଯାଇଛି। ମହିଳା ଅଧିକାରର ସୁରକ୍ଷା ପାଇଁ ସଂସଦ ସର୍ବସମ୍ମତି କ୍ରମେ ଆଇନ ପ୍ରଣୟନ କରିଛି। ଏଥିରେ ଲିଙ୍ଗଗତ ନ୍ୟାୟ ଏବଂ ସମାନତା ପାଇଁ ମହିଳାଙ୍କ ଅଧିକାର ସୁନିଶ୍ଚିତ କରାଯାଇଛି। କହିରଖୁଛୁ ଯେ, ସୁପ୍ରିମକୋର୍ଟ ଏହା ପୂର୍ବରୁ କହିଛନ୍ତି ଯେ ସଂସଦ ଦ୍ୱାରା ପ୍ରସ୍ତୁତ ଆଇନ ଉପରେ ଅଧିକ ଆଲୋଚନା କରିବାକୁ ଚାହୁଁନାହାଁନ୍ତି। ଆଇନ ତିଆରି କରିବା ବ୍ୟବସ୍ଥାପିକାର କାମ ଏବଂ ସେମାନଙ୍କୁ ସେମାନଙ୍କର କାର୍ଯ୍ୟ କରିବାକୁ ଅନୁମତି ଦିଆଯିବା ଉଚିତ୍।