ମୁମ୍ବାଇ, ୨୧।୮: ମହାରାଷ୍ଟ୍ରର ଥାନେ ବଦଲାପୁରରେ ଥିବା ଏକ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ଜଣେ ୩ ଏବଂ ଆଉ ଜଣେ ୪ ବର୍ଷୀୟା ଶିଶୁଙ୍କୁ ଯୌନ ଶୋଷଣ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାକୁ ନେଇ ମଙ୍ଗଳବାର ସେଠାରେ ତୁମୁଳକାଣ୍ଡ ଘଟିଛି । ଉତ୍ତ୍ୟକ୍ତ ଲୋକେ ଉକ୍ତ ସ୍କୁଲରେ ଭଙ୍ଗାରୁଜା କରିବା ସହ ପୁଲିସ ସହ ମୁହାଁମୁହିଁ ହୋଇଛନ୍ତି । ଏଥିସହ ସେମାନେ ବଦଲାପୁର ରେଳ ଷ୍ଟେସନରେ ଟ୍ରେନ୍ ରୋକି ଆନ୍ଦୋଳନ କରିଥିଲେ । ପୁଲିସ ସେମାନଙ୍କ ଉପରେ ଲାଠିଚାର୍ଜ କରିବା ସହ ରେଳ ଟ୍ରାକ୍ ଖାଲି କରାଇଥିଲା । ଉତ୍ତ୍ୟକ୍ତ ଲୋକଙ୍କୁ ରେଳ ଟ୍ରାକରୁ ହଟାଇବା ଲାଗି ପୁଲିସ ପ୍ରଥମେ ଲାଠିମାଡ଼ ଓ ପରେ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା । ଲୋକମାନେ ମଧ୍ୟ ପୁଲିସ ଉପରକୁ ଢ଼େଲା ପଥର ମାଡ଼ କରିଥିଲେ । ଏହି ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି । ପୁଲିସ ଏହି ଘଟଣାର ଅଭିଯୁକ୍ତ ସ୍କୁଲର ସଫେଇ କର୍ମଚାରୀ ୨୩ ବର୍ଷୀୟ ଅକ୍ଷୟ ସିନ୍ଦେକୁ ଗିରଫ କରିବା ସହ ପୋକ୍ସୋ ଆଇନରେ ମାମଲା ରୁଜୁ କରିଛି ।
ପ୍ରଥମେ ଅଭିଭାବକଙ୍କ ଏତଲା ନ ରଖିବା ଏବଂ କର୍ତ୍ତବ୍ୟରେ ହେଳା ଅଭିଯୋଗ ପରେ ୩ ପୁଲିସ କର୍ମଚାରୀଙ୍କୁ ସସ୍ପେଣ୍ଡ କରାଯାଇଛି । ସ୍କୁଲ ପ୍ରିନ୍ସିପାଲ, ଶ୍ରେଣୀ ଶିକ୍ଷକ ଏବଂ ସ୍କୁଲର ଆଉ ୨ ମହିଳା କର୍ମଚାରୀଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି । ସୂଚନା ଅନୁସାରେ ଗତ ଅଗଷ୍ଟ ୧୬ ରେ ଅଭିଯୁକ୍ତ ଅକ୍ଷୟ ସିନ୍ଦେ ସ୍କୁଲ ବାଥ୍ରୁମ୍ରେ ୨ ଶିଶୁଙ୍କୁ ଅସଦାଚରଣ ସହ ଯୌନ ଶୋଷଣ କରିଥିଲା । ଘଟଣା ପରଦିନ ସ୍କୁଲ ଯିବାକୁ ପୀଡ଼ିତା ଶିଶୁ ଅରାଜି ହୋଇଥିଲେ । କାରଣ ପଚାରିବାରେ ସେମାନେ ଘରେ ସବୁ କଥା କହିଥିଲେ । ଏହା ପରେ ଶିଶୁଙ୍କ ବାପାମା’ ଗତ ୧୭ ତାରିଖରେ ଏତଲା ଦେଇଥିଲେ । ତେବେ ପୁଲିସ ପ୍ରଥମେ ଏତଲା ରଖି ନ ଥିଲା ବୋଲି ପୀଡ଼ିତାଙ୍କ ବାପାମା’ ଅଭିଯୋଗ କରିଛନ୍ତି । ସେମାନେ କହିଛନ୍ତି ପୁଲିସ ଘଟଣାକୁ ଚପାଇବା ଲାଗି ଉଦ୍ୟମ କରିଥିଲା ।
ଅନ୍ୟପକ୍ଷରେ ସ୍କୁଲରେ ବ୍ୟାପକ ଅବ୍ୟବସ୍ଥା ଥିବା ନେଇ ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି । ଝିଅଙ୍କ ଶୌଚାଳୟରେ କୌଣସି ମହିଳା ଆଟେଣ୍ଡାଣ୍ଟ ନ ଥିବା, ସ୍କୁଲର ଅଧିକାଂଶ ସିସିଟିଭି କାମ କରୁ ନ ଥିବା ଆଦି ଜଣାପଡ଼ିଛି । ସେହିପରି ସ୍କୁଲ ମ୍ୟାନେଜମେଣ୍ଟ ଘଟଣାକୁ ଗମ୍ଭୀରତାର ସହ ନେଇ ନ ଥିବା ଅଭିଭାବକ ଅଭିଯୋଗ କରିଛନ୍ତି । ସ୍କୁଲ ପକ୍ଷରୁ ଘଟଣାକୁ ଚପାଇ ଦେବା ଲାଗି ଉଦ୍ୟମ ହୋଇଥିଲା ବୋଲି ମଧ୍ୟ ଅଭିଯୋଗ ହୋଇଛି । ଘଟଣାର ତଦନ୍ତ ପାଇଁ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସ୍ଙ୍କ ନିର୍ଦ୍ଦେଶ ପରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ଗଠନ ହୋଇଛି । ଏଥିସହ ଫାଷ୍ଟଟ୍ରାକ୍ କୋର୍ଟରେ ମାମଲାର ଶୁଣାଣି କରାଯିବ ବୋଲି ସେ କହିଛନ୍ତି । ଏଥିଲାଗି ଆବେଦନ କରିବା ନିମନ୍ତେ ଥାନେ ପୁଲିସ କମିଶନରଙ୍କୁ ଫଡ଼ନବିସ୍ ଆଦେଶ ଦେଇଛନ୍ତି । ସେହିଭଳି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘଟଣାର ବିଚାର ଫାଷ୍ଟଟ୍ରାକ୍ କୋର୍ଟରେ କରାଯିବ ଏବଂ ଦୋଷୀଙ୍କୁ ଛଡ଼ାଯିବ ନାହିଁ ବୋଲି କହିଛନ୍ତି । ସ୍କୁଲ କର୍ତ୍ତୃପକ୍ଷ ନିଯୁକ୍ତ କରୁଥିବା କର୍ମଚାରୀଙ୍କ ବାବଦରେ ଭଲ ଭାବେ ଜାଣି ତଥା ସେମାନଙ୍କ ପୃଷ୍ଠଭୂମି ଯାଞ୍ଚ କରି ନିଯୁକ୍ତି ଦେବାକୁ ସିନ୍ଦେ ପରାମର୍ଶ ଦେଇଛନ୍ତି । ଏଥିସହ ଲୋକମାନଙ୍କୁ ଶାନ୍ତି ବଜାୟ ରଖିବାକୁ ସେ ଅନୁରୋଧ କରିଛନ୍ତି । ପରିସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି । ଘଟଣାକୁ ନେଇ ବିରୋଧୀ ମହାରାଷ୍ଟ୍ର ସରକାରଙ୍କୁ ଘେରିଛନ୍ତି । ମହାରାଷ୍ଟ୍ର ବିରୋଧୀ ନେତା ତଥା କଂଗ୍ରେସ ନେତା ବିଜୟ ୱାଡେଟିଅର କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଛି । ଏପରି ଘଟଣା ମହାରାଷ୍ଟ୍ର ପାଇଁ ଲଜ୍ଜାଜନକ । ତୁରନ୍ତ ମାମଲାର ବିଚାର କରାଯାଇ ଦୋଷୀକୁ ଫାଶୀଖୁଣ୍ଟରେ ଝୁଲାଯାଉ ବୋଲି ସେ ଦାବି କରିଛନ୍ତି । ଅନ୍ୟପକ୍ଷରେ ଏହି ଘଟଣାରେ ସ୍କୁଲ ପକ୍ଷରୁ ତ୍ରୁଟି ହୋଇଥିବା ନେଇ ଏକ ବିବୃତି ଜାରି ହୋଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷାରେ ଗମ୍ଭୀର ତ୍ରୁଟି ହୋଇଥିବା ସ୍କୁଲ ପକ୍ଷରୁ କୁହାଯାଇଛି । ଅଭିଯୁକ୍ତ ସଫେଇ କର୍ମଚାରୀକୁ ଏକ ଠିକା ସଂସ୍ଥା ଦ୍ୱାରା ନିଯୁକ୍ତ କରଯାଇଥିବାବେଳେ ଉକ୍ତ ସଂସ୍ଥା ସହ ଚୁକ୍ତି ରଦ୍ଦ କରାଯାଇଥିବା ସ୍କୁଲ ପ୍ରଶାସନ ପକ୍ଷରୁ କୁହାଯାଇଛି । ସେହିପରି ୨ ଶିଶୁଙ୍କୁ ଶୌଚାଳୟକୁ ଏକା ଛାଡ଼ିଥିବା ଶ୍ରେଣୀ ଶିକ୍ଷକ ଏବଂ ଛାତ୍ରୀଙ୍କ ଦେଖାରଖା ପାଇଁ ଥିବା ୨ ଆଟେଣ୍ଡାଣ୍ଟଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି ।