ସମ୍ୱଲପୁର,୨୩/୦୯: ମଶାଣି ନିକଟରୁ ଜବତ ହେଲା ଅଜଣା ଗଳିତ ମୃତଦେହ । ମୃତ ଦେହଟି କାହାର ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । କିଛି ଦୁର୍ବୃତ୍ତ ହତ୍ୟା କରି ମୃତଦେହକୁ ସେଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ ଅନ୍ତର୍ଗତ ଗୌଶାଳା ସ୍ଥିତ ମସାଣି ପାଖରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଗୌଶାଳା ମସାଣିଠାରେ ଏକ ଅଜଣା ଗଳିତ ମୃତଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ । ଏହା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ବୁର୍ଲା ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତେବେ କିଛି ଦୁର୍ବୃତ୍ତ ହତ୍ୟା କରି ମୃତଦେହ ସେଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରୁଛି ପୋଲିସ । ମୃତଦେହକୁ ଘଟଣାସ୍ଥଳରୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଏହା ସହ ମୃତଦେହର ପରିଚୟ ଖୋଜି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।
ଉକ୍ତ ଅଜଣା ମୃତଦେହର ମୁଣ୍ଡ ଏବଂ ଜଙ୍ଘରେ ଗଭୀର କ୍ଷତ ଚିହ୍ନ ଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ ହତ୍ୟା କରାଯିବା ପରେ ଏହି ଅଜଣା ମୃତ ଦେହକୁ ଘଟଣା ସ୍ଥଳରେ ପୋଡି ଦେବାକୁ ପ୍ରୟାସ କରାଯାଇଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।