ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

‘ୟୁସିସି’ର ସମୟ ଉପନୀତ

 ଭୁବନେଶ୍ୱର :  ଅବସର ଥିଲା ସ୍ୱାଧୀନତା ଦିବସ ପାଳନର ଜାତୀୟ ଉତ୍ସବ । ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକ କଥାଟିଏ କହିଲେ । କହିଲେ- ଦେଶ ପାଇଁ ଏକ ‘ନିରପେକ୍ଷ’ ଆଚରଣ ସଂହିତାର ଆବଶ୍ୟକତା ରହିଛି³ ଯେଉଁ ‘ନିରପେକ୍ଷ’ ଆଚରଣ ସଂହିତା ମୁଖ୍ୟତଃ ସମ୍ବିଧାନର ମୂଲ୍ୟବୋଧ ଏବଂ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶାନାମାକୁ ଆଧାର କରିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଉ ଏକ କଥା ଉଠାଇଥିଲେ, ଯାହା ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ । ତାଙ୍କ ଅନୁଧ୍ୟାନ ଅନୁଯାୟୀ ଦେଶରେ ଏବେ ଯେଉଁ ଆଚରଣ ସଂହିତା କାର୍ଯ୍ୟକାରୀ ହେଉଛି ତାହା ମୁଖ୍ୟତଃ ଏକ ‘ସାମ୍ପ୍ରଦାୟିକ’ ଆଚରଣ ସଂହିତା । ୧୯୫୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ହିନ୍ଦୁ, ଜୈନ, ବୌଦ୍ଧ, ଶିଖ୍‌ଙ୍କ ପାଇଁ ଉଦ୍ଦିଷ୍ଟ ବ୍ୟକ୍ତିଗତ ଆଚରଣ ବିଧିର କେତୋଟି ନିୟମରେ ଯେଉଁ ସଂସ୍କାର ଆଣିଥିଲେ, ସେଥିରୁ ମୁସଲମାନ ସମେତ କେତେକ ସମ୍ପ୍ରଦାୟକୁ ସମ୍ପୂର୍ଣ୍ଣ ବାଦ୍‌ ଦିଆଯାଇଥିଲା । ମୋଦିଙ୍କ ଆହ୍ୱାନ ଏହି ପକ୍ଷପାତକୁ ଇଙ୍ଗିତ ହିଁ କରୁଛି ।

ପ୍ରଧାନମନ୍ତ୍ରୀଙ୍କ ବିଚାରର ଦିଗଟି ହେଲା, ଦେଶରେ ଏନଡିଏ ସରକାର ସମାନ ଆଚରଣ ସଂହିତା (ୟୁସିସି) ଲାଗୁ କରିବାକୁ ଯେଉଁ ପ୍ରୟାସ ଜାରି ରଖିଛି, ତାହାର ଉଦ୍ଦେଶ୍ୟ ବାସ୍ତବରେ ଏକ ‘ନିରପେକ୍ଷ’ ସଂହିତାକୁ ସାମନାକୁ ଆଣିବା । ଅର୍ଥାତ୍‌ ଦେଶରେ ଏପରି ଏକ ଆଚରଣ ସଂହିତା ଲାଗୁ ହେବା ବିଧେୟ, ଯାହା ପ୍ରତ୍ୟେକ ଧାର୍ମିକ ଗୋଷ୍ଠୀ ପାଇଁ ସମାନ ଭାବେ ପ୍ରଯୁଜ୍ୟ । ନେହରୁ ସରକାର ଅମଳରେ ହିନ୍ଦୁ ଆଇନରେ ଯେଉଁ ପରିବର୍ତ୍ତନ କରାଯାଇଥିଲା, ତାହାର ଉଦ୍ଦେଶ୍ୟ ଥିଲା ହିନ୍ଦୁ ଆଇନର ପଞ୍ଜୀକରଣ । ଏହି ଉଦ୍ଦେଶ୍ୟକୁ ଅତି ଉତ୍ସାହ ତଥା ତୀବ୍ରଗତିରେ ହାସଲ କରିନେଇଥିବା ନେହରୁ ସରକାର କିନ୍ତୁ ୟୁସିସିରୁ ନିଜକୁ ଖସାଇ ନେଇଥିଲେ । ସମ୍ବିଧାନ ସଭାରେ ୟୁସିସି ବିତର୍କ ହେଲା, ନେହରୁ ସରକାର ମୁସଲମାନ ନେତାଙ୍କ ଚାପ ଆଗରେ ମୁଣ୍ଡ ନୁଆଇଁ ଦେଇଥିଲେ । ଏହାର ପରିଣାମ ସ୍ୱରୂପ ଦେଶ ଆଜି ବି ସାମାଜିକ ସଂପ୍ରୀତି ତଥା ସମ୍ବିଧାନର ମୂଳଭୂତ ବିଚାର ଯଥା- ନ୍ୟାୟ, ସମାନତା ଏବଂ ଭାଇଚାରା କ୍ଷେତ୍ରରେ ଅସଙ୍ଗତିର ସମ୍ମୁଖୀନ ହେଉଛି । ସୁତରାଂ ଦେଶରେ ଗଣତାନ୍ତ୍ରିକ ଏବଂ ଧର୍ମନିରପେକ୍ଷ ମୂଲ୍ୟବୋଧ ଜାରି ରଖିବାକୁ ହେଲେ ନେହରୁ ସରକାରଙ୍କ ଐତିହାସିକ ଭୁଲ୍‌କୁ ସୁଧାରିବା ନିତାନ୍ତ ଆବଶ୍ୟକ ।

୧୯୪୦ ସମୟର ଭାରତୀୟ ଉପମହାଦେଶର ରାଜନୀତିକୁ ଦୃଷ୍ଟିରେ ରଖି ଅନୁଧ୍ୟାନ କଲେ ତତ୍କାଳୀନ ଭାରତୀୟ ରାଜନୈତିକ ନେତୃବୃନ୍ଦଙ୍କ ଦୃଢ଼ତା ଅଭାବର କାରଣ ସ୍ପଷ୍ଟ ହୁଏ । ସେହି ସମୟରେ ଏକ ସ୍ୱତନ୍ତ୍ର ଇସଲାମୀୟ ରାଷ୍ଟ୍ର ଗଠନ ଲାଗି ଉପମହାଦେଶର ମୁସଲମାନ ନେତୃତ୍ୱ ନିଜର ଦାବିକୁ ଜୋରଦାର କରିଥିଲେ । ଭାରତୀୟ ଉପମହାଦେଶର ରକ୍ତାକ୍ତ ବିଭାଜନ ଘଟିଲା ଏବଂ ଜନ୍ମ ନେଲା ପାକିସ୍ତାନ । ବିଭାଜନ ପରବର୍ତ୍ତୀ ଭାରତ ଏକ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ସମ୍ବିଧାନ ଉପରେ ଆଧାରିତ ରାଷ୍ଟ୍ର ହେବାକୁ ଶ୍ରେୟ ମଣିଲା । ଏହା ପଛରେ ଥିଲା ସଂଖ୍ୟାଗରିଷ୍ଠ ହିନ୍ଦୁ ତଥା ସିନ୍ଧୁ ବାସିନ୍ଦାଙ୍କ ଇଚ୍ଛା । ଏମାନେ ଦେଶର ମୋଟ୍‌ ଲୋକସଂଖ୍ୟାର ୮୮ପ୍ରତିଶତ ଥିଲେ । ସଂଖ୍ୟାଗରିଷ୍ଠ ହିନ୍ଦୁ ଚାହିଁନଥିଲେ, ପାକିସ୍ତାନ ପରି ଏକ ଧର୍ମଶାସିତ ରାଷ୍ଟ୍ରରେ ପରିଣତ ହେବାକୁ । ଏଣୁ ଯେଉଁମାନେ ସଂଖ୍ୟାଲଘୁ (ବିଶେଷତଃ ମୁସଲମାନ) ଭାରତରେ ଅଟକି ଗଲେ, ସେମାନେ ଭାରତର ଉଦାର ମୂଲ୍ୟବୋଧକୁ ଗ୍ରହଣ କରିନେବା ନିତାନ୍ତ ଜରୁରି ଥିଲା । ଏହାକୁ ବାସ୍ତବ ରୂପ ଦେବା ରାଜନୈତିକ ନେତୃବୃନ୍ଦଙ୍କ ପ୍ରଥମ ଦ୍ୱାୟିତ୍ୱ ହୋଇଥାନ୍ତା । ମାତ୍ର ତାହା ହେଲାନାହିଁ । ଅନ୍ୟପକ୍ଷରେ ଭାରତରେ ରହି ଯେଉଁମାନେ ତଥାପି ଚାହୁଁଥିଲେ ଯେ ଧାର୍ମିକ ନିୟମ ବଳବତ୍ତର ରହୁ ବୋଲି, ସେମାନଙ୍କ ପାଇଁ ପାକିସ୍ତାନ ଚାଲିଯିବା ଲାଗି ବିକଳ୍ପ ମଧ୍ୟ ରହିଥିଲା । ମାତ୍ର ଏହି ପରିଣାମ ପ୍ରତି କୁଣ୍ଠା କାରଣରୁ ହିଁ ୟୁସିସି ବାସ୍ତବ ରୂପ ନେଇପାରିଲା ନାହିଁ । ଏକ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ରରେ ସମ୍ବିଧାନକୁ ସର୍ବୋଚ୍ଚତା ଦେଉଥିବା ଆଇନ ପରିବର୍ତ୍ତେ ସାମ୍ପ୍ରଦାୟିକ ଛିଟା ଥିବା ଆଇନ ତଥା ପରମ୍ପରା ବିଶେଷ ସ୍ଥାନ ନେଇଗଲେ । ଅନୁଚ୍ଛେଦ ୪୪ (ସେତେବେଳେ ତାହା ଅନୁଚ୍ଛେଦ ୩୫ ଭାବେ ପରିଚିତ ଥିଲା) ଉପରେ ଯେଉଁ ବିତର୍କ ହୋଇଥିଲା ତାହାର ବିଶ୍ଳେଷଣରୁ ଏହା ହିଁ ବୁଝାପଡ଼େ । ବିତର୍କ  ହୋଇଥିଲା ୧୯୪୮ ନଭେମ୍ବର ୨୩ରେ ।

ସମ୍ବିଧାନ ସଭାରେ ମହମ୍ମଦ ଇସମାଇଲ୍‌ ସାହେବ ୟୁସିସି ସଂକ୍ରାନ୍ତ ଅନୁଚ୍ଛେଦ ୪୪ ଉପରେ ବିତର୍କ ଆରମ୍ଭ କରିଥିଲେ । ୟୁସିସିକୁ ବିରୋଧରୁ ହିଁ ବିତର୍କ ଆରମ୍ଭ ହେଲା । ସେ କହିଲେ- ବ୍ୟକ୍ତିଗତ ଆଚରଣ ଆଇନ (ପର୍ସନାଲ ଲ’)କୁ ଅନୁସରଣ କରିବା ଜଣେ ନାଗରିକର ମୌଳିକ ଅଧିକାର ଅଟେ । ମେହବୁବ ଅଲି ବେଗ ସାହିବ ବାହାଦୁର ଏବଂ ବି. ପକର ସାହିବ ବାହାଦୁର ତାଙ୍କ ସହ ସ୍ୱର ମିଳାଇଲେ । ପକର ସାହିବ କହିଥିଲେ ‘ୟୁସିସି ଏକ ନୃଶଂସ ବ୍ୟବସ୍ଥା, ଯାହାକୁ ଆଦୌ ପ୍ରଶ୍ରୟ ଦିଆଯାଇନପାରେ’ । ହୁସେନ ଇମାମ ଏବଂ ନଜିରୁଦ୍ଦିନ ଅହମଦ ମଧ୍ୟ ସମଭାବର ଯୁକ୍ତି ଉପସ୍ଥାପନ କରିଥିଲେ । ସମ୍ବିଧାନ ସଭାର ସମସ୍ତ ମୁସଲମାନ ସଦସ୍ୟ ସେଦିନ ୟୁସିସିକୁ ବିରୋଧ କରି  ମତ ଉପସ୍ଥାପନ କରିଥିଲେ । ତେବେ ଏକ. ଏମ. ମୁନ୍‌ସୀ ମୁସଲମାନ ସଦସ୍ୟଙ୍କ ଯୁକ୍ତିକୁ ଜୋରଦାର ବିରୋଧ କରିଥିଲେ ।

ଭାରତରେ ଖୋଜାସ ଏବଂ କୁଟ୍‌ଚି ମେମୋନସ୍‌ ଆଦି ମୁସଲମାନଙ୍କ ମଧ୍ୟରେ ରହିଥିବା ସଂଖ୍ୟାଲଘୁ ଗୋଷ୍ଠୀ ଶରିଅତ୍‌ ଅଧିନିୟମକୁ ନେଇ ଆଦୌ ସନ୍ତୁଷ୍ଟ ନଥିଲେ । ମାତ୍ର ସେମାନଙ୍କ ଉପରେ ଶରିଅତ୍‌ ଜବରଦସ୍ତ ଲଦି ଦିଆଯାଇଥିଲା । ଏହି ପ୍ରସଙ୍ଗ ଉଠାଇ ମୁନ୍‌ସୀଜୀ ପଚାରିଥିଲେ ‘ସେତେବେଳେ  ସଂଖ୍ୟାଲଘୁଙ୍କ ଅଧିକାର ପ୍ରଶ୍ନ କୁଆଡ଼େ ଯାଇଥିଲା?’ ସେ ଦୃଢ଼ ତଥା ନିର୍ଦ୍ଦିଷ୍ଟ ଭାବେ କହିଥିଲେ ‘ଆମେ ଚାହୁଁ ଧର୍ମଠାରୁ ବ୍ୟକ୍ତିଗତ ଆଚରଣ ଆଇନ ଅଲଗା ହେଉ’ । ‘ଆମେ ଏମିତି ଏକ ସ୍ଥିତିରେ ପହଞ୍ଚିସାରିଛୁ, ଯେତେବେଳେ ଆମକୁ  ଶକ୍ତି ପ୍ରୟୋଗ କରି ଏହା ରୋକିବାକୁ ହେବ । ବିବାହ, ବିବାହ ବିଚ୍ଛେଦ, ଉତ୍ତରାଧିକାର ଇତ୍ୟାଦି ବ୍ୟାପାରଗୁଡ଼ିକ ଆଦୌ ଧର୍ମ ଅନ୍ତର୍ଭୁକ୍ତ ନୁହେଁ । ଏଗୁଡିକ ସମ୍ପୂର୍ଣ୍ଣ ଭାବେ ଏକ ଧର୍ମନିରପେକ୍ଷ ବିଧାନ ପ୍ରସଙ୍ଗ’ । ହିନ୍ଦୁମାନେ   ଏହି ସମ୍ବିଧାନ ସମ୍ମତ ବିଧାନଗୁଡିକୁ ନିଜ ଜୀବନଚର୍ଯ୍ୟାରେ ସାମିଲ କରିନେଇଛନ୍ତି । କେ. ଏମ. ମୁନ୍‌ସୀଙ୍କ ଯୁକ୍ତିକୁ ସମର୍ଥନ କରିଥିଲେ ଏ. କ୍ରିଷ୍ଣାସ୍ୱାମୀ ଆୟାର । ସେ ଦର୍ଶାଇଥିଲେ ‘ପରିବର୍ତ୍ତିତ ସମୟ ସହ ତାଳ ଦେଇ ସଂଖ୍ୟାଗରିଷ୍ଠ ଗୋଷ୍ଠୀ (ହିନ୍ଦୁ) ହିଁ ବଦଳିବାକୁ ଆଗେଇ ଆସିଛନ୍ତି’ ।

ସମ୍ବିଧାନ ପ୍ରଣୟନ କମିଟିର ଅଧ୍ୟକ୍ଷ ଡ. ବି. ଆର୍‌. ଆମ୍ବେଦକର ଏହି ପରିପ୍ରେକ୍ଷୀରେ ମୁସଲମାନ ଗୋଷ୍ଠୀର ଆପତ୍ତିକୁ ଖାରଜ କରିଦେଇଥିଲେ । ଶରିଅତ୍‌ ଆଇନ ଭାରତ ତମାମ ସମାନ ଭାବେ ପ୍ରଚଳିତ ଥିଲା ବୋଲି ସେମାନଙ୍କର ଯୁକ୍ତିକୁ ଅସ୍ୱୀକାର କରି ସେ ସମ୍ବିଧାନ ସଭାକୁ ମନେ ପକାଇଦେବାକୁ ଭୁଲିନଥିଲେ ଯେ, ୧୯୩୯ ବେଳକୁ ନର୍ଥ-ଇଷ୍ଟ ଫ୍ରଣ୍ଟିଅର ପ୍ରୋଭିନ୍ସର ମୁସଲମାନ ବାସିନ୍ଦାଙ୍କ ପ୍ରତି ଶରିଅତ୍‌ ଲାଗୁ ହେଉନଥିଲା । ସେମାନେ ସମ୍ପତ୍ତି ଉତ୍ତରାଧିକାର ଇତ୍ୟାଦି କ୍ଷେତ୍ରରେ ହିନ୍ଦୁ ଆଇନକୁ ହିଁ ମାନୁଥିଲେ । ୟୁନାଇଟେଡ୍‌ ପ୍ରୋଭିନ୍ସ, ସେଣ୍ଟ୍ରାଲ୍‌ ପ୍ରୋଭିନ୍ସ ଏବଂ ବମ୍ବେରେ ମଧ୍ୟ ୧୯୩୭ ମସିହା ପର୍ଯ୍ୟନ୍ତ ହିନ୍ଦୁ ଆଇନ ବଳବତ୍ତର ଥିଲା । ସେହିପରି ମାଲାବାରର ମୁସଲମାନ ହିନ୍ଦୁ ମାତୃକୈନ୍ଦ୍ରିକ ସାମାଜିକ ବ୍ୟବସ୍ଥାକୁ ଅନୁସରଣ କରୁଥିଲେ । ଏଣୁ ମୁସଲମାନ ସଦସ୍ୟମାନେ ଅନୁଚ୍ଛେଦ-୪୪ରେ ଯେଉଁ ସଂଶୋଧନ ଅଣାଯାଉ ବୋଲି ଦାବି କରୁଛନ୍ତି ତାହା ପ୍ରତ୍ୟାଖ୍ୟାତ ହେବା ଉଚିତ ବୋଲି ଡ. ଆମ୍ବେଦକର ଯୁକ୍ତି ଦର୍ଶାଇଥିଲେ ।

କହିବା ବାହୁଲ୍ୟ, ଭାରତ ସ୍ୱାଧୀନତା ଲାଭ ପରବର୍ତ୍ତୀ କିଛି ବର୍ଷ ଧରି ରାଜନୈତିକ ନେତୃବୃନ୍ଦ ୟୁସିସି ଲାଗୁ କରିବା କ୍ଷେତ୍ରରେ ଯେଉଁ ଢିଲାପଣ ଦେଖାଇଥିଲେ, ତାହାର ମୂଲ୍ୟ ଏବେ ଦେଶକୁ ଦେବାକୁ ପଡୁଛି । 

ଦେଶର ସର୍ବୋଚ୍ଚ ଅଦାଲତ ମଧ୍ୟ ୟୁସିସି ଲାଗୁ ଆବଶ୍ୟକତା ଉପରେ ଜୋର ଦେଇ ଆସିଛନ୍ତି । ୟୁସିସିକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟଗୁଡ଼ିକ ମଧ୍ୟରେ ୧୯୯୫ ମେ’ ରାୟ ନିତାନ୍ତ ପ୍ରଣିଧାନଯୋଗ୍ୟ । ସରଳା ମୁଦଗଲ୍‌ (କଲ୍ୟାଣ ଆଣ୍ଡ ଆଦରସ୍‌ର ଅଧ୍ୟକ୍ଷ) ବନାମ ୟୁନିଅନ୍‌ ଅଫ ଇଣ୍ଡିଆ ଆଣ୍ଡ ଅଦର୍ସ ସମ୍ପୃକ୍ତ ମାମଲାର ବିଚାର କରି ଜଷ୍ଟିସ୍‌ କୁଲଦିପ ସିଂ ଏବଂ ଜଷ୍ଟିସ ଆର. ଏମ. ସାହାଇ କହିଥିଲେ, ଅନୁଚ୍ଛେଦ-୪୪ ‘ଏକ ସ୍ପଷ୍ଟ ଜନାଦେଶ.... ଯାହା ଦେଶରେ ସମାନ ଆଚରଣ ସଂହିତା ଲାଗୁ କରିବା ଲାଗି ଦିଗ୍‌ଦର୍ଶନ ଦେଉଛି । ଜାତୀୟ ଏକୀକରଣ ଦିଗରେ ଏହା ନିଷ୍ପତ୍ତିମୂଳକ ପଦକ୍ଷେପ’ । ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ସମାନ ଆଚରଣ ସଂହିତା ପରିବର୍ତ୍ତେ ହିନ୍ଦୁ କୋଡ୍‌ ବିଲ୍‌ ଆଗତକୁ ସମର୍ଥନ କରିଥିଲେ । ୧୯୫୪ରେ ସଂସଦରେ ନେହରୁ କହିଥିଲେ ‘ଭାରତରେ ୟୁସିସି ଅନୁମୋଦିତ କରାଇବା ଲାଗି ଉପଯୁକ୍ତ ସମୟ ଭାରତ ପାଇଁ ଆସିଛି ବୋଲି ମୁଁ ଭାବୁନାହିଁ’ । ଏହାକୁ ଉପଲକ୍ଷ୍ୟ କରି ବିଚାରପତିମାନେ ସେଦିନ ବ୍ୟଙ୍ଗାତ୍ମକ ଢଙ୍ଗରେ ମନ୍ତବ୍ୟ ଦେବାକୁ ଭୁଲିନଥିଲେ । ସେମାନେ କହିଥିଲେ ‘୧୯୪୯ରେ ଗୃହରେ ଉପସ୍ଥାପିତ ହୋଇଥିବା ଅନୁଚ୍ଛେଦ-୪୪କୁ ଶୀତଳ ଭଣ୍ଡାରରୁ ଉଦ୍ଧାର କରିବା ଲାଗି ଶାସକବୃନ୍ଦ ଦୀର୍ଘ ୪୧ବର୍ଷ ପରେ ମଧ୍ୟ ପ୍ରସ୍ତୁତ ହୋଇନାହାଁନ୍ତି । ସରକାର ଆସୁଛି, ଯାଉଛି ମାତ୍ର ସମସ୍ତ ଭାରତୀୟଙ୍କ ପାଇଁ ଏକ ସମାନ ଆଚରଣ ସଂହିତା ଲାଗୁ କରିବାରେ ସରକାର ଏପର୍ଯ୍ୟନ୍ତ ସଫଳ ହୋଇପାରି ନାହାଁନ୍ତି’ । ‘ଯେବେ ଦେଶର ୮୧ପ୍ରତିଶତ ନାଗରିକଙ୍କୁ ପଞ୍ଜୀକୃତ ଆଚରଣ ସଂହିତା ଅଧୀନସ୍ଥ କରାଯାଇପାରିଛି, ସମସ୍ତ ନାଗରିକଙ୍କ ପାଇଁ ଏକ ସମାନ ଆଚରଣ ସଂହିତା ପ୍ରଚଳନ କରିବା କୌଣସି କାରଣରୁ ଆଉ ସ୍ଥଗିତ ରଖିବାରେ ଯଥାର୍ଥତା ନାହିଁ’ । ସର୍ବୋଚ୍ଚ ଅଦାଲତଙ୍କ ଆଉ ଏକ ଟିପ୍ପଣୀ ଆହୁରି ମହତ୍ତ୍ୱପୂର୍ଣ୍ଣ । ସର୍ବୋଚ୍ଚ ଅଦାଲତଙ୍କ ଦୃଷ୍ଟିରେ ଶିଖ୍‌, ବୌଦ୍ଧ, ଜୈନଙ୍କ ସମେତ ହିନ୍ଦୁମାନେ ‘ଜାତୀୟ ଏକତା ଏବଂ ସଂହତି ରକ୍ଷା ଲାଗି ସେମାନଙ୍କର ଭାବାବେଗକୁ ଜଳାଞ୍ଜଳି ଦେଇପାରିଛନ୍ତି’ । କିନ୍ତୁ ଅନ୍ୟ କେତେକ ସମ୍ପ୍ରଦାୟ ଏହା କରିନାହାନ୍ତି । ଯଦିଓ ସମ୍ବିଧାନରେ ‘ସାଧାରଣ ଆଚରଣ ସଂହିତା’ ସାରାଦେଶ ଲାଗି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ରହିଛି । ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଯଥାର୍ଥରେ କହିଛନ୍ତି, ଦେଶରେ ‘ନିରପେକ୍ଷ ସଂହିତା’ ଲାଗୁ କରିବାର ଏହା ଉଚିତ ସମୟ ଅଟେ ।

ସର୍ବୋପରି ଭାରତର ସମ୍ବିଧାନ ରୂପକ ବୃହତ ପାତ୍ରରେ ଧର୍ମର ବିଲୟ ଘଟିବା ସୁନିଶ୍ଚିତ କରିବା ଆମର ପ୍ରାଥମିକତା ହେବା ଜରୁରି । ଯଦି କେବେ ଧର୍ମଗ୍ରନ୍ଥ ଏବଂ ସମ୍ବିଧାନ ମଧ୍ୟରେ ବିବାଦ ଦେଖାଦିଏ ତେବେ ଦେଶରେ ସମ୍ବିଧାନର ନିୟମ ନିହାତି ବଳବତ୍ତର ରହିବ । ଅନ୍ୟ ଭାବରେ କହିଲେ, ଦେଶରେ ସମ୍ବିଧାନ ହିଁ ସର୍ବୋଚ୍ଚ ଅଟନ୍ତି । ଅନ୍ୟ କୌଣସି ଗ୍ରନ୍ଥକୁ ଏହା ଉପରେ ମାଡ଼ିଦେବାକୁ ଆମେ ସୁଯୋଗ ଦେବା ଅନୁଚିତ । ଏକ ନିରପେକ୍ଷ ସମାଜ ଗଠନ ଲାଗି ସମ୍ବିଧାନ ଏକ ଦିଗବାରେଣୀ ପରି । ଏହାହିଁ ପ୍ରଧାନମନ୍ତ୍ରୀଙ୍କ ସ୍ୱାଧୀନତା ଦିବସର ବାର୍ତ୍ତା ଥିଲା । ସମାନ ଆଚରଣ ସଂହିତା (ୟୁସିସି) ଲାଗୁ ଦ୍ୱାରା ହିଁ ଭାରତୀୟ ସମ୍ବିଧାନର ସର୍ବୋଚ୍ଚତା ପ୍ରତିଫଳିତ ହୋଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.