ବାରଙ୍ଗ, ୧୬।୧୧ ସହି ପାରିଲେନି ଶାଶୁ ଘର ଗଞ୍ଜଣା। ସାତ ମାସର ଛୁଆକୁ ଛାଡ଼ି ମହିଳା କରିଦେଲେ ଆତ୍ମହତ୍ୟା। ନିର୍ଯ୍ୟାତନା ଅଭିଯୋଗ ଆଣିଲେ ପରିବାର ଲୋକେ।ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ସାଇନ୍ସ ପାର୍କ ବସ୍ତିରେ ଘଟିଛି ଅଭାବନୀୟ ଘଟଣା। ବେକରେ ଓଢ଼ଣି ଲଗାଇ ଜଣେ ମହିଳା ଫ୍ୟାନରେ ଝୁଲି ପଡ଼ିଥିବା ଜଣା ପଡ଼ିଛି। ମହିଳାଙ୍କ ନାମ ଯାଜ୍ଞସେନୀ ଜାଲି।
ଯାଞ୍ଚସେନୀ ଦୁଇ ବର୍ଷ ତଳେ ସେ ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅଂଚଳର ରାମଚନ୍ଦ୍ର ସେଠୀଙ୍କୁ ବିବାହ କରିଥିଲେ। ଶାଶୁ ଘରେ ବାରମ୍ବାର ଚୋରି ହେଉଥିବା ବେଳେ ସ୍ଥାନୀୟ ଥାନାରେ ଅଭିଯୋଗ ପରିବର୍ତ୍ତେ ଶାଶୁ ଘର ଲୋକେ ଯାଜ୍ଞସେନୀଙ୍କୁ ଦୋଷ ଦେବା ସହ ମାନସିକ ନିର୍ଯାତନା ଦେଉଥିଲେ। ଅତିଷ୍ଠ ହେବାରୁ ଯାଜ୍ଞସେନୀ ତାଙ୍କ ବାପା ମାଆଙ୍କୁ ନିଜ ଶାଶୁଘର ଡାକି ତାଙ୍କ ଉପରେ ନିର୍ଯ୍ୟାତନା ହେଉଥିବା କହି ତାଙ୍କ ସହ ବାପ ଘରକୁ ଆସିଥିଲେ। କିନ୍ତୁ ଆଜି ହଠାତ୍ ଏକ ଫୋନ୍ କଲ୍ ଆସିବା ପରେ ଯାଜ୍ଞସେନୀ ଚିନ୍ତିତ ହୋଇ ପଡ଼ିଥିଲେ । ଘରେ କେହି ନଥିବା ସମୟରେ ନିଜ ସାତ ମାସର ପୁଅକୁ ବାହାରେ ଛାଡ଼ି ଘର ଭିତରେ ଓଢ଼ଣି ଲଗାଇ ଫ୍ୟାନରେ ଝୁଲି ପଡ଼ିଥିଲେ। ଘରକୁ ବାପା ମାଆ ଓ ସମ୍ପର୍କୀୟ ମାନେ ଫେରି ଦେଖିବା ବେଳକୁ ମହିଳା ଜଣଙ୍କ ଝୁଲି ରହିଥିବା ଦେଖି ତାଙ୍କୁ କାଢ଼ିବା ସହ ପୁଲିସ୍ କୁ ଖବର ଦେଇଥିଲେ। ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଘଟଣା ସ୍ଥଳେ ପହଞ୍ଚି ଶବ ଜବତ କରି ମୃତ୍ୟୁର କାରଣ ଖୋଜିବା ସହ ତଦନ୍ତ ଆରମ୍ଭ କରିଛି।