ନୂଆଦିଲ୍ଲୀ, ୧୦/୧୧ : ୟୁଏଇର ରାଜଧାନୀ ଆବୁ ଧାବି ସ୍ଥିତ ‘କ୍ଲାଇମ୍ବ’ ଚାରିକାନ୍ଥ ମଧ୍ୟରେ ଆବଦ୍ଧ ରୋମାଞ୍ଚକର ଅନୁଭବର ଏକ ବଡ଼ ହବ୍ ଭାବେ ସମଗ୍ର ବିଶ୍ୱରେ ପରିଚିତ। ଏଠାରେ ବିଶ୍ୱର ସର୍ବବୃହତ ଇନ୍ଡୋର ସ୍କାଇ ଡାଇଭିଂ ଚ୍ୟାମ୍ବର ଓ ସର୍ବୋଚ୍ଚ ଇନ୍ଡୋର ଆରୋହଣ କାନ୍ଥ ରହିଛି । ଅଟ୍ଟାଳିକା ଭିତରେ ସ୍କାଇ ଡାଇଭିଂ ଓ ଆରୋହଣର ମଜା ନେବାକୁ ଏଠାକୁ ହଜାର ହଜାର ସଂଖ୍ୟାରେ ଲୋକ ଆସନ୍ତି।
ୟସ୍ ଦ୍ୱୀପରେ ଅବସ୍ଥିତ କ୍ଲାଇମ୍ବ ୨୦୧୯ ମସିହାରେ ଲୋକଙ୍କ ପାଇଁ ଖୋଲିଥିଲା। ଏଥିରେ ନିର୍ମିତ ଦୁଇଟି ଚ୍ୟାମ୍ବର୍ର ନିର୍ମାଣରେ ୮୦ ନିୟୁତ ପାଉଣ୍ଡ ଖର୍ଚ୍ଚ ହୋଇଛି। ସ୍କାଇ ଡାଇଭିଂ ଚ୍ୟାମ୍ବର୍ରେ ବଡ଼ ବଡ଼ ୧୬ ପଙ୍ଖ ଲାଗିଛି, ଯାହାର ଲମ୍ବ ୧୦୪ ଫୁଟ ଓ ପ୍ରସ୍ଥ ୩୨ ଫୁଟ। ଗୋଟିଏ ସ୍ଥାନରେ ଲୋକେ ସ୍କାଇ ଡାଇଭିଂ ଓ ୱାଲ୍ କ୍ଲାଇମ୍ବିଂର ମଜା ନିଅନ୍ତି। ତେବେ ଏଥିପାଇଁ ଗ୍ରାହକଙ୍କୁ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରିବାକୁ ପଡ଼େ। ପ୍ରଥମ ଥର ଉଡ଼ାଣ ପାଇଁ ଲୋକଙ୍କୁ ପ୍ରାୟ ୫୨ ପାଉଣ୍ଡ ଦେବାକୁ ପଡ଼େ। ଏଥିରେ ମାତ୍ର କିଛି ମିନିଟ୍ ଉଡ଼ାଣର ଅନୁଭବ ମିଳେ।
ଘଣ୍ଟିକିଆ ଉଡ଼ାଣ ଲାଗି ୧,୨୦୦ ପାଉଣ୍ଡରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼େ। ଏହି ଅନନ୍ୟ ଇନ୍ଡୋର ରୋମାଞ୍ଚକର ଅନୁଭବର ମଜା ନେଇଥିବା ଜଣେ ବ୍ୟକ୍ତି କହିଛନ୍ତି ‘ଚମତ୍କାର ଅନୁଭବ! ଲୋକଙ୍କୁ ଏଠାକୁ ଆସିବାକୁ ମୁଁ ପରାମର୍ଶ ଦେବି।’ ଅନେକ ଏହାକୁ ଆଶ୍ଚର୍ଯ୍ୟଜନକ ଓ ରୋମାଞ୍ଚକ ବୋଲି କହିଛନ୍ତି। କ୍ଲାଇମ୍ବର ଜେନେରାଲ ମ୍ୟାନେଜର ବିୟାଙ୍କା କହିଛନ୍ତି, ଏହି ଦୁଇ ରୋମାଞ୍ଚକର ଅନୁଭବକୁ ଗିନିଜ୍ ବିଶ୍ୱ ରେକର୍ଡସରେ ସାମିଲ କରାଯାଇଥିବାରୁ ଆମେ ଖୁବ୍ ଆନନ୍ଦିତ। ସର୍ବୋଚ୍ଚ ଇନ୍ଡୋର ସ୍କାଇ ଡାଇଭିଂ ଫ୍ଲାଇଟ୍ ଚ୍ୟାମ୍ବର ଓ ସର୍ବୋଚ୍ଚ ଇନ୍ଡୋର ଆରୋହଣ କାନ୍ଥ ପାଇଁ କ୍ଲାଇମ୍ବ ବିଶ୍ୱ ରେକର୍ଡସ୍ରେ ସ୍ଥାନ ପାଇଛି।