ଭୁବନେଶ୍ୱର,୧୩।୯: ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବାଦଲଫଟା ବର୍ଷା ହୋଇଛି । ୨୪ ଘଣ୍ଟାରେ ସେମିଳିଗୁଡ଼ାରେ ୨୧୦ମିମି ବର୍ଷା ହୋଇଛି । ଦକ୍ଷିଣ ଓଡ଼ିଶାର ଅନ୍ୟସ୍ଥାନରେ ନିର୍ଧୁମ ବର୍ଷିଛି । ତୁହାକୁ ତୁହା ବର୍ଷାରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ଗଞ୍ଜାମ ବେହାଲ ହୋଇଛି । ପାଣି ଜମିବା ଯୋଗୁ ମାଲକାନଗିରିରୁ ମୋଟୁ ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବୁଧବାର ଲଘୁଚାପ ସୃଷ୍ଟି ହେବ । ଏହା ପ୍ରଭାବରେ ଆସନ୍ତା ତିନି ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପୂର୍ବାନୁମାନ କରିଛି । ଗତକାଲିର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି କେନ୍ଦ୍ରୀୟ ବଙ୍ଗୋପସାଗର ପାଶ୍ୱର୍ବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ସକ୍ରିୟ ଅଛି । ଏହା ପ୍ରଭାବରେ ବୁଧବାର ଉତ୍ତର ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ରାଜ୍ୟରେ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଲଘୁଚାପ ସୃଷ୍ଟି ପରେ ଏହା ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି । ୧୩, ୧୪ ଓ ୧୫ରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।
୧୩ ତାରିଖ ପାଇଁ ପାଣିପାଗ ବିଭାଗ ରେଡ୍ ୱାର୍ଣ୍ଣିଂ ଜାରି କରିଛି । କଟକ, ଢେଙ୍କାନାଳ, ଅନୁଗୁଳ, ନୟାଗଡ଼, ବୌଦ୍ଧ, ସୋନପୁର, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାରେ ଅତିପ୍ରବଳ ବର୍ଷା ହୋଇପାରେ । ଯାଜପୁର, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଜପତି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏ ସବୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ୭୦ରୁ ୨୦୦ମିମି ଯାଏ ବର୍ଷା ଆଶଙ୍କା ଥିବା ପାଣିପାଗ ବିଭାଗ ସତର୍କ କରାଇଛି । ପ୍ରବଳ ବର୍ଷା ଯୋଗୁ ତଳିଆ ଅଞ୍ଚଳରେ ପାଣି ଜମିବା ସହ କଚ୍ଚା ଘର ଓ ରାସ୍ତା କ୍ଷତିଗ୍ରସ୍ତ ହୋଇପାରେ । ବର୍ଷା ଯୋଗୁ ନଦୀ ଜଳସ୍ତର ବଢ଼ିପାରେ । ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ଅଛି । ଏଥିପାଇଁ ସତର୍କ ରହିବାକୁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ୧୪ ତାରିଖରେ କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି ଓ କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ୭୦ରୁ ୨୦୦ମିମି ବର୍ଷା ହୋଇପାରେ । ମାଲକାନଗିରି, ବରଗଡ଼, ସମ୍ବଲପୁର, ଅନୁଗୁଳ, ସୋନପୁର, ବୌଦ୍ଧ, ନୟାଗଡ଼ ଓ କଟକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୧୫ରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାରୁ ୩୨୬ନଂ ଜାତୀୟ ରାଜପଥର ଦୁଇଟି ସ୍ଥାନରେ ପାଣି ଜମି ବ୍ରିଜ୍ ବୁଡ଼ିଯାଇଛି । ଗତ ୨୪ ଘଣ୍ଟାରେ କୋରାପୁଟ ସିମିଳିଗୁଡ଼ାରେ ୨୧୦, ଜୟପୁରରେ ୧୬୦, ନବରଙ୍ଗପୁର ପାପଡ଼ାହାଣ୍ଡିରେ ୧୫୦, କୋରାପୁଟ ସହରରେ ୧୦୦, ଆସ୍କାରେ ୧୦୦, ଡାବୁଗାଁରେ ୮୮, ଲାଇକେରାରେ ୮୭, ଧରାକୋଟରେ ୬୭, ରାୟଗଡ଼ା ମୁନିଗୁଡ଼ାରେ ୬୬, କୋରାପୁଟ ନନ୍ଦପୁରରେ ୬୫, ରାୟଗଡ଼ା କୋଟରାଗୁଡ଼ାରେ ୬୪ମିମି ବର୍ଷା ହୋଇଛି