ପ୍ରମୁଖ ଖବର
  • ଖଣ୍ଡପଡ଼ା: ପୋଖରୀରେ ବୁଡ଼ି ପଞ୍ଚମ ଶ୍ରେଣୀର ଛାତ୍ରଙ୍କ ମୃତ
  • ||
  • ଯଜ୍ଞର ପ୍ରସାଦ ଖାଇ ୫୦ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତି, ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି
  • ||
  • ଶନିବାରଠୁ ପିଜି ନାମଲେଖା ଆବେଦନ, ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ: ଜୁନ୍‌ ୨୨ରେ ଆଡମିଟ୍‌ କାର୍ଡ, ଜୁଲାଇ ୩ରୁ ୧୪ ପ୍ରବେଶିକା ପରୀକ୍ଷା
  • ||
  • ବାଲିପାଟଣା-ନିମାପଡ଼ା ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର
  • ||
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଭୂଇଁତଳର ଜୀବନଦାତ୍ରୀ

ଭୁବନେଶ୍ୱର:କିଛି ବର୍ଷ ଆଗରୁ ମୁଁ ଏମ୍‌.ଏସ୍‌ସି. କ୍ଲାସରେ ପରିବେଶ ବିଜ୍ଞାନର ଏକ ବିଷୟ ପଢ଼ାଇଲା ବେଳେ ପଚାରୁ ପଚାରୁ ପିଲାଙ୍କୁ ଆମ ପୃଥିବୀରେ ଋତୁଚକ୍ର ହେବାର କାରଣଟି କ’ଣ ବୋଲି ପଚାରିଦେଲି । କ୍ଲାସରେ ଅଠର ସରିକି ପିଲା । ସେମାନଙ୍କ ଭିତରୁ ଅନେକେ ଏକଡ଼ ସେକଡ଼ ଅନଉ ଥାଆନ୍ତି, ଉଦ୍ଭିଦ ବିଜ୍ଞାନ ପରିସରରେ ଏମିତି ଅବାଗିଆ ପ୍ରଶ୍ନଟିଏ କୁଆଡୁ ପଶି ଆଇଲାଣି ବୋଲି । ମୁଁ ବି ଆଗ୍ରହରେ ଲକ୍ଷ୍ୟ କରୁଥାଏ ସମସ୍ତଙ୍କ ଅଦ୍ଭୁତ ରଙ୍ଗଢଙ୍ଗକୁ । କିଛି ସମୟ ନିରବତା ପରେ ମୋ ହିସାବରେ ସବୁଠୁ ଚାଲକ ପିଲା ଠେଇଁ ମୋ ହାତ ଇଙ୍ଗିତ କରନ୍ତେ, ବିନା ଦ୍ୱିଧାରେ ଉତ୍ତର ଆସିଲା- ଆମ ଗ୍ରହର ପରିକ୍ରମଣ ହିଁ ଏଥିପାଇଁ ଦାୟୀ ବୋଲି । ପରେ ପରେ ଜଣ ଜଣ କରି ତିନି ଜଣଙ୍କୁ ଏକା ପ୍ରଶ୍ନ, ପ୍ରତିଧ୍ୱନି ହୋଇ ସେଇ ସମାନ ଉତ୍ତରଟି ଫେରୁଥାଏ ଖାଲି ରଙ୍ଗ ବଦଳାଇ ଦେଇ ଯେମିତିକି ‘ସୂର୍ଯ୍ୟ ଚାରିପାଖରେ ପୃଥିବୀର ଘୂର୍ଣ୍ଣନ' ଇତ୍ୟାଦି । ମୋ ଜାଣିବାରେ ଆଉ ବାକି ରହିଲାନି ଯେ, ଆମ ଗ୍ରହଟି ଏକ ଅଣ୍ଡାକାର କକ୍ଷ ପଥରେ ସୂର୍ଯ୍ୟ ଚାରିପଟେ ଘୂରୁଥିବା ହେତୁ, ନକ୍ଷତ୍ରଟିର ପାଖକୁ ଆସିଲେ ଖରାଦିନ ଏବଂ ତା’ଠାରୁ ଦୂରକୁ ଗଲେ ଶୀତଦିନ ଆସେ ବୋଲି ସଭିଙ୍କ ଧାରଣା । ତେଣିକି ଖଡ଼ିରେ ସୂର୍ଯ୍ୟ, ପୃଥିବୀ ଓ ଏହାର କକ୍ଷପଥ କଳାପଟାରେ ଆଙ୍କିଦେଇ ମୁଁ କହିଲି, ତୁମ ତର୍କସମ୍ମତ ଉତ୍ତର କଥା ମୁଁ ବୁଝୁଛି ଯେ, ଏଠି ଗୋଟିଏ ବିଷୟ ଟିକିଏ ଖାପ୍‌ଛଡ଼ା ଲାଗୁଛି, ଯାହାର ଏକ ସଠିକ୍‌ ବ୍ୟାଖ୍ୟାନ ମୁଁ ଖୋଜି ପାଉନି । ଯଦି ତୁମ ଧାରଣା ଠିକ୍‌, ତାହେଲେ ତ ବର୍ଷ ଭିତରେ ଉଭୟ ଖରା ଏବଂ ଶୀତ ଦୁଇଥର ଲେଖାଏଁ ଆସିବା କଥା? ଏଥରକ ସେମାନେ ବି ଟିକିଏ ଚିନ୍ତାରେ ପଡ଼ିଯାଇଥିବାର କଥା କାହିଁକି ଯେ ମୋ ଆଖିରୁ ଅଛପା ରହିପାରିଲାନି । ଦେଖିଲି, ଏମାନଙ୍କୁ ଆଉ ଏ ବିଷୟରେ ଆଉଟୁ ପାଉଟୁ ନକରି ସିଧା ସିଧା ଉତ୍ତରଟି କହିଦେବା ଭଲ ହେବ । କହିବାର କଥା ହେଲା, ଆଜିକାର ଏ ଆଲୋଚନାଟି ପୃଥିବୀ ନାମକ ଏହି ଗ୍ରହର ଅକ୍ଷୀୟ ଢଳନ ସହ ସଂଶ୍ଳିଷ୍ଟ ହୋଇଥିବା ହେତୁ ଆମର ଋତୁଚକ୍ର ସହିତ ମଧ୍ୟ ଯେ ଓତପ୍ରୋତ ଭାବରେ ଜଡ଼ିତ, ଏଥିରେ ତିଳେମାତ୍ର ସନ୍ଦେହର ଅବକାଶ ନାହିଁ ।

ପ୍ରାୟ ସାଢ଼େ ଚାରି ବିଲିୟନ ବର୍ଷର ଏ ଗ୍ରହଟି ସୃଷ୍ଟିହେବା ସମୟରେ ସିଧା ହୋଇ ଘୂରୁଥିବାର ଆପାତତଃ ନିଶ୍ଚିତ, ଠିକ୍‌ ବୁଧ, ଶୁକ୍ର ଓ ବୃହସ୍ପତିଙ୍କ ପରି । ହେଲେ ଏହାର ଅକ୍ଷଟି ଏବେ ୨୩.୫ ଡିଗ୍ରୀରେ କାହିଁକି ଢଳି ରହିଲା, ତାର ଏକ ସଠିକ୍‌ ଉତ୍ତର ଏପର୍ଯନ୍ତ ସ୍ଥିର କରାଯାଇନଥିଲେ ହେଁ, ଅନେକ ମହାକାଶ ବିଜ୍ଞାନୀଙ୍କ ମତରେ ପୃଥିବୀ ସୃଷ୍ଟିର ଆଦ୍ୟ ପର୍ଯ୍ୟାୟରେ ଅନ୍ୟ ଏକ ବଡ଼ ଖଗୋଳୀୟ ପିଣ୍ଡ ସହ ଆମ ଗ୍ରହର ଧକ୍କା ହୁଏତ ଏହାର ପ୍ରମୁଖ କାରଣ ହୋଇଥାଇପାରେ । ସେ ଯାହାହେଉ, ଆମ ଗ୍ରହର ଋତୁଚକ୍ରଟି ମୁଖ୍ୟତଃ ଏହାର ଅକ୍ଷୀୟ ଢଳନ ସହ ଜଡ଼ିତ, ଯଦିଓ ଏହା ଗ୍ରହଟିର ପରିକ୍ରମଣ ଉପରେ ମଧ୍ୟ ନିର୍ଭର କରିଥାଏ । ପୃଥିବୀ ଢଳିରହିବା ହେତୁ ଅକ୍ଷାଂଶ ବଦଳିଲେ ସୌର ରଶ୍ମିର ପ୍ରଖରତା ବଦଳିଥାଏ । ଏହା ମଧ୍ୟ ଋତୁଚକ୍ରକୁ ନିୟନ୍ତ୍ରିତ କରିଥାଏ । 

‘ନୀଳ ଗ୍ରହ' ନାମରେ ନାମିତ ଏହି ଗ୍ରହଟିର ଦୁଇ-ତୃତୀୟାଂଶରୁ ବେଶୀ ବାହ୍ୟ ଅଂଶ ଜଳରୂପୀ ଜୈବ ଦ୍ରାବକରେ ପରିପୂର୍ଣ୍ଣ । ଏତଦ୍‌ ବ୍ୟତୀତ ପୃଥିବୀରେ ବହୁ ପରିମାଣର ଜଳ ମାଟି ତଳେ ଏବଂ କିଛି ଭାଗ ବାୟୁମଣ୍ଡଳର ଜଳୀୟ ବାଷ୍ପ ରୂପେ ମଧ୍ୟ ରହିଥାଏ । ପୃଥିବୀ ଏକ ସ୍ୱୟଂ ସଂଚାଳିତ ସଂସ୍ଥାନ, ଯହିଁରେ ଜଳ ତଥା ଅନ୍ୟ ସମସ୍ତ ପଦାର୍ଥ ମୂଳତଃ ସମାନ ପରିମାଣରେ ରହିଥାଏ । ଜଳଚକ୍ର ଜଳକୁ ବିଶୋଧନ କରିବା ସଙ୍ଗେ ସଙ୍ଗେ ତା’ ନିଜ ସ୍ଥାନ ବଜାୟ ରଖିବାରେ ସହାୟକ ହୋଇଥାଏ । ଏବେ ଆମ ଗ୍ରହର ଭୂତଳ ଜଳ ସଂପଦ ବିଷୟରେ କିଛି ଜାଣିନେବାର ବେଳ ଆସିଛି । ଆମେରିକାର ନାସନାଲ ଗ୍ରାଉଣ୍ଡ ୱାଟର ଏସୋସିଏସନ ତରଫରୁ ପ୍ରକାଶିତ କିମ୍ବର୍ଲେ ମୁଲିନଙ୍କ ଆଲେଖ୍ୟରୁ ଜଣାଯାଏ ଯେ, ଆମ ଗ୍ରହର ପ୍ରାୟ ୦.୬୧ ପ୍ରତିଶତ ଜଳ ଭୂତଳ ଜଳ ରୂପେ ସଂରକ୍ଷିତ ହୋଇ ରହିଆସିଛି । ଯାହାକି ମାଟିତଳେ ଥିବା ‘ଭୂତଳ ଜଳ ସଂସ୍ଥାନ' ବା ‘ଏକ୍ୱିଫର୍‌'ମାନଙ୍କରେ ଅବସ୍ଥାନ କରିଥାଏ । ଏସବୁ ସଂସ୍ଥାନରେ ଜଳ ପରିପୂର୍ଣ୍ଣତା ହାସଲ କରିବା ସହିତ ଆରାମରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରେ । 

ପୁନଶ୍ଚ ‘ଫ୍ରଣ୍ଟିଅର୍ସ ଇନ୍‌ ଆର୍ଥ ସାଇନ୍‌ସ' ପତ୍ରିକାରେ ୨୦୨୨ ମସିହାରେ ପ୍ରକାଶିତ ଫ୍ରାପାର୍ଟ ଓ ମର୍‌ୱାଡେଙ୍କ ଏକ ପ୍ରବନ୍ଧରୁ ଜଣାପଡ଼େ ଯେ, ଗ୍ରହଟିର ମଧୁର ଜଳଭଣ୍ଡାରର ପ୍ରାୟ ୩୦ ପ୍ରତିଶତ ହେଉଛି ଭୂତଳ ଜଳ । ହ୍ୱାଏମେପ୍‌ (ବି.ଜି.ଆର୍‌.)ର ଏକ ଆକଳନ ଅନୁସାରେ, ଯଦିଓ ଏହି ଭୂତଳ ଜଳ ବିକ୍ଷିପ୍ତ ଭାବରେ ବିଶ୍ୱର କୋଣ ଅନୁକୋଣରେ ଗଚ୍ଛିତ ହୋଇ ରହିଥାଏ, ତଥାପି ଏସିଆ, ଆଫ୍ରିକା, ଦକ୍ଷିଣ ଆମେରିକା ଓ ୟୁରୋପ ମହାଦେଶରେ ଏହା ସବୁଠାରୁ ବେଶୀ ରହିଥିବାର ମଧ୍ୟ ସୂଚନା ମିଳେ । ଭୂତଳ ଜଳକୁ ନେଇ ମିଳିତ ଜାତିସଂଘର ୨୦୨୨ର ଏକ ରିପୋର୍ଟରେ କୁହାଯାଇଛି, ସମଗ୍ର ବିଶ୍ୱର ପାଖାପାଖି ୭୦ ପ୍ରତିଶତ ଭୂତଳ ଜଳ ଚାଷକାମରେ ଲାଗିଥାଏ ଏବଂ ଏହା ପୃଥିବୀର ପ୍ରାୟ ୩୮ ପ୍ରତିଶତ ଚାଷଜମିକୁ ସେଚିତ କରିଥାଏ । ଏଥିରେ ଆହୁରି ମଧ୍ୟ ବର୍ଣ୍ଣନା କରାଯାଇଛି, ୨୦୧୦ ମସିହା ବେଳକୁ ବାର୍ଷିକ ହାରାହାରି ୯୦୦ ଘ.କି.ମି.ରୁ ବେଶୀ ଭୂତଳ ଜଳ ଉତ୍ତୋଳିତ ହେଉଥିଲା । ଏକଥା ବା କାହାକୁ ଅଛପା ଯେ ଅଣଜଳସେଚିତ ଚାଷଜମି ସବୁ ବିଶେଷତଃ ବର୍ଷାଜଳ ବା ଭୂତଳ ଜଳ ଉପରେ ଆଶ୍ରା କରିଥାନ୍ତି । ଏଠାରେ ଜଣାଇଦେବା ଉଚିତ ହେଇପାରେ ଯେ, ୟୁରୋପ ଓ ଉତ୍ତର ଆମେରିକା ଭଳି ଅଳ୍ପ କେତେକ ଅଞ୍ଚଳକୁ ବାଦ୍‌ ଦେଇ ଅନ୍ୟ ସ୍ଥାନରେ ଭୂତଳ ଜଳର ଉପଯୋଗ କ୍ରମଶଃ ବଢ଼ିବାରେ ଲାଗିଛି । ଫଳସ୍ୱରୂପ, ଭୂତଳ ଜଳର ବିନିଯୋଗ ଏହାର ପୁନଃ ସଂସ୍ଥାପନ ପ୍ରକ୍ରିୟାଠାରୁ ଅଧିକ ହେବା ହେତୁ ଏହି ପ୍ରାକୃତିକ ସଂପଦର ଭବିଷ୍ୟତକୁ ନେଇ ଏକରକମ ଆଶଙ୍କା ସୃଷ୍ଟି ହୋଇଛି ।

ଏତେସବୁ ବିଷୟରେ କିଛି କିଛି ଗପିସାରିବା ପରେ ଆମକୁ କିନ୍ତୁ ଆସିବାକୁ ହେବ ଏଇ ମାତ୍ର ଆବିଷ୍କାର ହୋଇଥିବା ତଥା ନିଦ ହଜାଇ ଦେଲା ଭଳି ଏକ ନିରାଟ ସତ କଥା ଉପରକୁ । ୨୦୨୩ ମସିହାରେ ‘ଜିଓଫିଜିକାଲ୍‌ ରିସର୍ଚ୍ଚ ଲେଟରସ୍‌' ନାମକ ପ୍ରଖ୍ୟାତ ପତ୍ରିକାରେ ପ୍ରକାଶିତ ଏକ ଗବେଷଣାତ୍ମକ ପ୍ରବନ୍ଧରେ ଆମ ଗ୍ରହ ଗର୍ଭରେ ଥିବା ଜଳର ଅସୀମିତ ବ୍ୟବହାର ଏହାର ଅକ୍ଷୀୟ ଢଳନକୁ ପ୍ରଭାବିତ କରୁଥିବାର ପ୍ରମାଣ ଦିଆଯାଇଛି । କି-ୱେଅନ୍‌ ସିଓ ଏବଂ ସାଥୀ ଗବେଷକଙ୍କ ଦ୍ୱାରା ପ୍ରକାଶିତ ତଥା ବିଭିନ୍ନ କ୍ଲାଇମେଟ-ମଡେଲ ଉପରେ ଆଧାରିତ ଏ ପ୍ରବନ୍ଧଟିରେ ଉଲ୍ଲେଖ ଅଛି ଯେ, ୧୯୯୩ରୁ ୨୦୧୦ ମଧ୍ୟରେ ପ୍ରାୟ ୨୧୫୦ ଜି.ଟନ ଭୂତଳ ଜଳର ବିନିଯୋଗ ହୋଇଛି, ଯାହାକି ସମୁଦ୍ର ପତ୍ତନକୁ ପ୍ରାୟ ୬.୨୪ମି.ମି. ବଢ଼ାଇବାର ସାମର୍ଥ୍ୟ ରଖିଥାଏ । ଏକ୍ୱିଫର ସ୍ଥିତ ଏହି ଉତ୍ତୋଳିତ ଭୂତଳ ଜଳ ପର୍ଯ୍ୟାୟକ୍ରମେ ସମୁଦ୍ରରେ ମିଶିବା ହେତୁ ପୃଥିବୀର ଘୂର୍ଣ୍ଣନ-ମେରୁ ୬୪.୧୬ ଉତ୍ତରକୁ ପ୍ରାୟ ୭୮.୪୮ସେମି. ଘୁଞ୍ଚି ସାରିଲାଣି । ସାଧାରଣ ଭାବରେ କହିବାକୁ ଗଲେ, ଭୂତଳ ଜଳ କମିଯିବା ଏବଂ ସମୁଦ୍ର ପତ୍ତନ ବଢିଯିବା ବିଷୟ ପୃଥିବୀର ଅକ୍ଷୀୟ ଢଳନକୁ ବିଶେଷ ଭାବରେ ପ୍ରଭାବିତ କରିବାରେ ସକ୍ଷମ ବୋଲି ଏହି ଗବେଷଣାରୁ ସ୍ପଷ୍ଟ ହୋଇସାରିଛି ।

ଏବେ ବିଚାର କରିବାର ବେଳ, ପୃଥିବୀ ଯଦି ଢଳିନଥାନ୍ତା ବା ଆଜିଠୁ ବେଶୀ ଢଳି ରହିଥାନ୍ତା, କ'ଣ ହୁଅନ୍ତା ବୋଲି? ନିଶ୍ଚିତ କଥା, ଏହା ଉଭୟ ଋତୁଚକ୍ର ଏବଂ ଦିବା-ରାତ୍ର ଚକ୍ରରେ ବ୍ୟାପକ ଭିନ୍ନତା ଆଣିଥାନ୍ତା । ହୁଏତ ଗ୍ରୀଷ୍ମ, ବର୍ଷା ଓ ଶୀତ ଆଦି ଋତୁ ଅନୁଭୂତ ହେବା ସମ୍ଭବ ହୋଇନପାରିବା ହେତୁ, ପୃଥିବୀଟା ଯାକ ତାପମାତ୍ରା ପ୍ରାୟତଃ ସମାନ ରହିଥାନ୍ତା ଅବା ଗୋଟିଏ ଗୋଲାର୍ଦ୍ଧରେ ସୂର୍ଯ୍ୟ ଆଦୌ ଅସ୍ତ ହେଉନଥିବା ବେଳେ ଅନ୍ୟ ଗୋଲାର୍ଦ୍ଧଟି ଅନ୍ଧାରରେ ବୁଡ଼ି ରହିଥାନ୍ତା । ଏଥିସହ ବିଶ୍ୱର ସାମୂହିକ ପାଗ ତଥା ଜଳବାୟୁ ବି ଆଜିଠୁଁ ଯଥେଷ୍ଟ ଅଲଗା ହୋଇଥାନ୍ତା । ପବନ, ସାମୁଦ୍ରିକ ସ୍ରୋତ ଆଦିରେ ବ୍ୟାପକ ପରିବର୍ତ୍ତନ ଏବଂ ଅଦ୍ଭୁତ ବୃଷ୍ଟିପାତ ଚକ୍ରର ଫଳସ୍ୱରୂପ କେତେକ ଜାଗାରେ ଚରମ ଜଳବାୟୁ ପରିଲକ୍ଷିତ ହେଉଥିଲା ବେଳେ, ଆଉ କେଉଁଠି ବର୍ଷ ତମାମ ସମାନ ପ୍ରକାର ଜଳବାୟୁ ଅନୁଭୂତ ହେଉଥାନ୍ତା । ଏହି ବିଚିତ୍ର ପରିବେଶୀୟ ସ୍ଥିତିରେ ଜୀବନରୂପୀ ଅମୃତର ବୀଜ ବପନ ହୋଇପାରିଥାନ୍ତା କି ନାହିଁ ସେକଥା ବି ଠିକ୍‌ରୂପେ ଆକଳନ କରିବା ନିହାତି ଏକ ମୁସ୍କିଲ ବ୍ୟାପାର । ଯଦିବା ଜୀବଜଗତର ସୃଷ୍ଟି ସମ୍ଭବ ହୋଇଥାନ୍ତା, ସେହି ଜୀବମାନଙ୍କର ପ୍ରକୃତି ଆଜିଠୁ କାହିଁରୁ କେତେ ଭିନ୍ନ ହୋଇଥାନ୍ତା, ସିଏ ବି ଏକରକମ ନିଶ୍ଚିତ କଥା । ଏଣୁ ପୃଥିବୀର ଅକ୍ଷୀୟ ଢଳନ ଯେ ପ୍ରକାରାନ୍ତରେ ଆମ ସଭିଙ୍କ ପାଇଁ ପ୍ରକୃତିର ଏକ ବରଦାନ, ଏକଥାକୁ ସଦାସର୍ବଦା ମନରେ ହେଜୁଥିଲେ ଅତି ଉତ୍ତମ ।

ସ୍ୱଳ୍ପବୃଷ୍ଟି ଅବା ଅନାବୃଷ୍ଟି ଛାୟାରେ ରହିଥିବା ବିଶ୍ୱର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଭୂତଳ ଜଳର ଉପଯୋଗ ଜୀବନ ଧାରଣର ଏକମାତ୍ର ମାଧ୍ୟମ ହୋଇଥିବା ବେଳେ ଅଧିକାଂଶ ସ୍ଥାନରେ ଏହାର ବ୍ୟବହାର ସାମୟିକ ହୁଏତ ବ୍ୟାବସାୟିକ । ଏଣୁ ଭୂଇଁ ତଳର ଏ ଜୀବନଦାତ୍ରୀର ପୁନଃସଂସ୍ଥାପନ ପ୍ରକ୍ରିୟାକୁ ନଜରରେ ରଖି ଏହାର ବିନିଯୋଗର ଭାଗମାପ ହିସାବ କରିବାକୁ ହେବ । ଅନ୍ୟଥା ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯେ ଅଚିରେ ବହୁଗୁଣିତ ହୋଇ ଏମିତି ଚରମ ସମସ୍ୟା ସୃଷ୍ଟି କରିବ, ଯାହାର ନିଦାନ ଖୋଜୁ ଖୋଜୁ ମାନବରୂପୀ ଏ କ୍ଷୁଦ୍ର ଜୀବଟିର ସତ୍ତା ଲିଭିଯିବାର ଆଶଙ୍କାକୁ ଏ ବିଷୟରେ କିଞ୍ଚିତମାତ୍ର ଜାଣିଥିବା ଲୋକ କେବେବି ଅସ୍ୱୀକାର କରିପାରିବନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.