ପୁରୀ ୨୫/୮ : ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ସ୍ୱୟଂ ମହାବିଷ୍ଣୁ । ସେ ଅବତାରୀ ,ସମସ୍ତ ଅବତାର ତାଙ୍କ ଠୁ ସୃଷ୍ଟି ହୋଇ ସମସ୍ତ ଲୀଳା ସମାହିତ କରି ପୁଣି ମହାପ୍ରଭୁଙ୍କ ନିକଟରେ ଲୀନ ହୋଇଥାନ୍ତି। ଏହି କାରଣ ନିମନ୍ତେ ଶ୍ରୀକୃଷ୍ଣ ଜନ୍ମ ପୂର୍ବରୁ ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ନିକଟରେ ଏକ ବିଶେଷ ଭୋଗ ହୋଇଥାଏ ତାହା ଯେଉଡ ଭୋଗ ନାମରେ ପରିଚିତ । ଭୋଗ ହେବା ପରେ ଏକ ବିଶେଷ ବନ୍ଦପନା ହୋଇଥାଏ ଯାହା ଗର୍ଭ ଉଦକ ବନ୍ଦାପନା ନାମରେ ପରିଚିତ।
ଆଜି ସପ୍ତମୀ ତିଥିରେ ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପ ସରିବା ପରେ ମହାପ୍ରଭୁଙ୍କ ବେଶ ହୋଇଥାଏ ଏବଂ ୬ ମୂର୍ତ୍ତୀ ଅଳଙ୍କାର ଲାଗିହୋଇଥାଏ। ତତ୍ପରେ ଭିତରେ ପାଣି ପଡ଼ି ଧୋ ପଖାଳ ହୋଇଥାଏ। ଏହାପରେ ସୁଆରବଡୁ ଥାଳି ପକାଇ ପଢ଼ିଆରୀ ଟେରା ବାନ୍ଧି ରୋଷକୁ ଜେଉଡ଼ ଭୋଗ ଡାକି ଯାଇଥାନ୍ତି। ଏ ଭୋଗ ଛାମୁକୁ ଆସିବା ପରେ ମୁଦିରସ୍ତ ପ୍ରସାଦ ଲାଗି କରିଥାନ୍ତି। । ପଣ୍ଡା ଆସି ପଞ୍ଚ ଉପଚାରରେ ପୂଜା କରି ଭୋଗ ମଣୋହି କରିଥାନ୍ତି। ଏହାପରେ ପଣ୍ଡା , ପତି , ମୁଦିରସ୍ତ ୩ ବାଡ଼ରେ ବନ୍ଦାପନା କରିଥାନ୍ତି। ଗର୍ଭ ଉଦକ ନିମନ୍ତେ ମହାପ୍ରଭୁଙ୍କ ବାଡ଼ରେ ଅଧିକା ବନ୍ଦାପନା ହୋଇଥାଏ। ତତ୍ପରେ ଦୈନିକ ନୀତି ହୋଇଥାଏ।