ନୂଆଦିଲ୍ଲୀ,୨୪।୯: ଗୁଜରାଟର ଦାହୋଦ ଜିଲ୍ଲାରୁ ଆସଛି ଏକ ଲଜ୍ଜାଜନକ ଘଟଣା। ଜଣେ ୬ ବର୍ଷୀୟ ନାବାଳିକାର ମୃତ୍ୟୁ ମାମଲାରେ ହୋଇଛି ଆଶ୍ଚର୍ଯ୍ୟକର ଖୁଲାସା। ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ପରେ ତଣ୍ଟିଚିପି ହତ୍ୟା କରିଛନ୍ତି ସ୍କୁଲ ପ୍ରିନ୍ସପାଲ। ମାରିବା ପରେ ସ୍କୁଲ ପରିସରରେ ମୃତଦେହକୁ ଫୋପାଡି ଚାଲିଯାଇଥିଲା ଅଭିଯୁକ୍ତ ପ୍ରିନ୍ସପାଲ। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଗୋବିନ୍ଦ ନଟ(୫୫ ବର୍ଷ)କୁ ଗିରଫ କରିଛି।
ପୋଲିସୀ ସୂଚନା ଅନୁସାରେ, ନାବାଳିକାର ମୃତଦେହ ଗୁରୁବାର ସନ୍ଧ୍ୟାରେ ସ୍କୁଲ ପରିସରରୁ ମିଳିଥିଲା। ଏହାପରେ ସ୍ଥାନୀୟ ଅଞ୍ଚଳରେ ଖେଳି ଯାଇଥିଲା ଚାଞ୍ଚଲ୍ୟ। ପୋଷ୍ଟମର୍ଟମରୁ ଜଣାପଡିଥିଲା ତଣ୍ଟି ଚିପି ହତ୍ୟା କରାଯାଇଛି। ପୋଲିସ ମାମଲା ରୁଜୁ କରିବା ପରେ ତଦନ୍ତ ପାଇଁ ୧୦ଟି ଟିମ୍ ଗଠନ କରିଥିଲା।
ନାବାଳିକାର ମା’ ପୋଲିସକୁ କହିଛନ୍ତି, ସେ ପ୍ରତିଦିନ ପ୍ରିନ୍ସପାଲଙ୍କ ସହ ସ୍କୁଲ ଯାଉଥିଲା। ଯେତେବେଳେ ପୋଲିସ ଅଭିଯୁକ୍ତତ ପ୍ରିନ୍ସପାଲକୁ ପଚାରିଥିଲା ସେ କହିଥିଲା ସ୍କୁଲରେ ଛାଡି ଅନ୍ୟ କାମରେ ମୁଁ ବାହାରକୁ ଯାଇଥିଲା। ପୋଲିସକୁ ଅଭିଯୁକ୍ତର କଥା ଉପରେ ଭରସା ହୋଇନଥିଲା। ପୋଲିସ ଅଭିଯୁକ୍ତର ଫୋନ୍ ଲୋକେସନ୍ ଯାଞ୍ଚ କରିବା ପରେ ଜାଣିଥିଲା ସେ ଦିନ ବିଳମ୍ବରେ ସେ ସ୍କୁଲକୁ ଆସିଥିଲା। ପୋଲିସର ପଚରା ଉଚରା ପରେ ଅଭିଯୁକ୍ତ ନିଜର ଜଘନ୍ୟ ଅପରାଧକୁ ସ୍ବୀକାର କରିଥିଲା। ପୋଲିସର କହିବା ଅନୁସାରେ, ଅଭିଯୁକ୍ତ ପ୍ରିନ୍ସପାଲ ନାବାଳିକାକୁ ୧୦ଟା ୨୦ ମିନିଟ୍ରେ କାରରେ ବସାଇ ସ୍କୁଲକୁ ବାହାରିଥିଲା। ହେଲେ ସେ ସ୍କୁଲକୁ ନଯାଇ ବାଟରେ ନାବାଳିକା ସହ ଦୁଷ୍କର୍ମ ଉଦ୍ୟମ କରିଥିଲା। ହେଲେ ନାବାଳିକା ଜୋରରେ ଚିଲାଇବାରୁ ଭୟରେ ତଣ୍ଟି ଚିପି ହତ୍ୟା କରିଥିଲା । ତା ପରେ ମୃତଦେହକୁ ସ୍କୁଲ ବିଲ୍ଡିଂର ପଛପଟେ ପକାଇ ଦେଇଥିଲା ଅଭିଯୁକ୍ତ। । ଅଭିଯୁକ୍ତ ଗୋବିନ୍ଦ ଉପରେ ପୋକ୍ସୋ ଆକ୍ଟ ଅନୁସାରେ ଧାରା ଲଗାଯାଇ ଗିରଫ କରାଯାଇଛି।