ଖଜୁରୀପଡା, ,୯/୯(ଆପ୍ର ):ଖଜୁରୀପଡା ଥାନା ଅନ୍ତର୍ଗତ ଅରାପାଜୁ ଗ୍ରାମପଞ୍ଚାୟତ ବୁଢାରାକାଡି ପଂଚାୟତ ହାଇସ୍କୁଲରେ ଗତ ୩୧ ତାରିଖରେ ହୋଇଥିବା ଚୋରି ଘଟଣାରେ ୨ ଜଣଙ୍କୁ ପୋଲିସ ଗିରଫ କରିଛି। ଏହି ଘଟଣାରେ ଜଣେ ନାବାଳକ ମଧ୍ୟ ଧରାପଡିଛି। ସେମାନଙ୍କ ଠାରୁ ୧୦ଟି କମ୍ପ୍ୟୁଟର ସମେତ ଅନ୍ୟାନ୍ୟ ଚୋରା ସାମଗ୍ରୀ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ଦରଡ଼ା ଗ୍ରାମର ସୁମନ୍ତ ନାୟକ ଓ ଚୋରି ସାମଗ୍ରୀ ରଖିଥିବା ଅଭିଯୋଗରେ ବୁରୁପଦା ଅଂଚଳର ଦୀପକ କହଁର ଗିରଫ ହୋଇଛି । ଏଥିରେ ସାମିଲ ଥିବା ଅନ୍ୟ ଦୁଇ ନାବାଳକ ଫେରାର ଥିବା ପୋଲିସ ସୂଚନା ଦେଇଛି। ଖୁବ ଶୀଘ୍ର ସେମାନଙ୍କୁ ମଧ୍ୟ ଧରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସଦର ଏସ୍ଡ଼ିପିଓ ସୁପ୍ରସନ୍ନ ମଲ୍ଲିକ ସୂଚନା ଦେଇଛନ୍ତି।
ଖଜୁରୀପଡା ଥାନା ଅନ୍ତର୍ଗତ ଅରାପାଜୁ ଗ୍ରାମପଞ୍ଚାୟତ ବୁଢାରାକାଡି ପଂଚାୟତ ହାଇସ୍କୁଲରେ ଗତ ୩୧ ତାରିଖରେ କମ୍ପ୍ୟୁଟର ଚୋରି ହୋଇଥିଲା। ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ସାହୁ ଖଜୁରୀପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବିଭିନ୍ନ ଅଂଚଳରେ ଚଢ଼ାଉ କରି ଚୋରି ସାମଗ୍ରୀ ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି। ଉଦ୍ଧାର ହୋଇଥିବା ସାମଗ୍ରୀ ମଧ୍ୟରେ ୧୦ଟି କମ୍ପ୍ୟୁଟର ଏବଂ କିବୋର୍ଡ଼ ସମେତ ମାଉସ, କ୍ରିକେଟ ବ୍ୟାଟ, ଫୁଟବଲ, ପ୍ରିଣ୍ଟର, ଗ୍ଲୋବସ ଏବଂ ହେଡଫୋନ ଆଦି ଜବତ କରିଥବା ପୋଲିସ କହିଛି। ଅପରପକ୍ଷରେ ନିକଟରେ ଖଜୁରୀପଡା ଥାନା ଅଞ୍ଚଳରେ ଆବାସ ଯୋଜନାରେ ଘର ଏବଂ ମନ୍ଦିର ତିଆରି ପାଇଁ ରହିଥିବା ଲୁହା ଛଡ଼ ଚୋରି ମାମଲାରେ ତଦନ୍ତ ଚାଲିଥିବା ଥାନା ଅଧିକାରୀ ଗେଲ୍ଲୀ କୁମାରୀ ସାହୁ କହିଛନ୍ତି ।